ପଦ୍ମପୁର କଲେଜରେ ଅଧ୍ୟକ୍ଷା, ଅଧ୍ୟାପକ ଚପଲରେ ପିଟାପିଟି

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନ୍ୟୁଜ୍) କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଏବଂ ଅଧ୍ୟାପକଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । କୌଣସି କଥାକୁ ନେଇ ଆଜି କିଛି ଅଧ୍ୟାପକ ଏବଂ ଅଧ୍ୟକ୍ଷାଙ୍କ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ଚପଲରେ ପିଟାପିଟି ପର୍ଯ୍ୟନ୍ତ କଥା ଯାଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ମାମଲା ପହଞ୍ଚିଛି । କଲେଜର ଜଣେ ଅଧ୍ୟାପକଙ୍କୁ କଲେଜର ଅଧ୍ୟକ୍ଷା ଚପଲରେ ପିଟିଥିବା ନେଇ ଥାନାରେ ଅଭିଯାଗ ହୋଇଥିବା ବେଳେ ଅଧ୍ୟାପକମାନେ ତାଙ୍କୁ ମାଡ଼ ମାରିଥିବା ନେଇ ଅଧ୍ୟକ୍ଷା ମଧ୍ୟ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ଆଜି ଅପରାହ୍ଣ ୪ଟା୩୦ ସମୟରେ କଲେଜର ଓଡିଆ ଅଧ୍ୟାପକ ହରିହର ଦାସ ଏବଂ ଅନ୍ୟ କିଛି କର୍ମଚାରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା କ୍ଷଣପ୍ରଭା ପଟ୍ଟନାୟକଙ୍କ ସହ ପ୍ରୋଭିଡେଣ୍ଟ ଫଣ୍ଡ ସମ୍ବନ୍ଧରେ ଅଲୋଚନା କରୁଥିଲେ । ଏହି ସମୟରେ ଅଧ୍ୟକ୍ଷା ଜଣକ ଉକ୍ଷିପ୍ତ ହୋଇ ଓଡିଆ ଅଧ୍ୟାପକଙ୍କୁ ଚପଲରେ ପିଟିଥିବା ନେଇ ଅଧ୍ୟାପକ ଜଣକ ଥାନାରେ ଲିଖତ ଅଭିଯାଗ କରିଛନ୍ତି । ପୂର୍ବରୁ ମଧ୍ୟ ତାଙ୍କୁ ହଇରାଣ କରାଯିବା ସହ ୮ ମାସର ଦରମା ବନ୍ଦ କରିଥିବା ମଧ୍ୟ ଅଭିଯୋଗରେ ସେ ଦର୍ଶାଇଛନ୍ତି । ଅନ୍ୟପକ୍ଷେ ତାଙ୍କୁ ଆକ୍ରମଣ କରାଯାଇଥିବା ନେଇ ଭାରପ୍ରାପ୍ତ ଅଧ୍ୟକ୍ଷା ମଧ୍ୟ ଥାନାରେ ଅଭିଯାଗ କରିଛନ୍ତି । ଅଧ୍ୟକ୍ଷାଙ୍କ କହିବା ଅନୁଯାୟୀ, କଲେଜର ଓଡିଆ ଅଧ୍ୟାପକ ହରିହର ଦାସଙ୍କ ସହିତ ଅର୍ଥନୀତି ବିଭାଗ ଅଧ୍ୟାପକ ନିରଞ୍ଜନ ସାହୁ, ଇତିହାସ ବିଭାଗ ଅଧ୍ୟାପକ ଗତିକୃଷ୍ଣ ବାରିକ, ସୋସିଓଲୋଜି ଅଧ୍ୟାପିକା ସ୍ନିଗ୍ଧା ମିଶ୍ର, ସହକାରୀ ଲାଇବ୍ରେରିଆନ ମୀନାକୁମାରୀ ସାହୁ, ପିଅନ ଜୟଦେବ କୁଅଁର ପ୍ରମୁଖ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠକୁ ପଶିଆସି ଦୁର୍ବ୍ୟବହାର କରିଥିଲେ । ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ ।
ଉଭୟ ପକ୍ଷଙ୍କ ଅଭିଯାଗ ଗ୍ରହଣ କରି ପୁଲିସ ଘଟଣାର ତଦନ୍ତ କରୁଛି । ଖବର ଲେଖା ହେବାଯାଏ ଏନେଇ କୌଣସି ମାମଲା ରୁଜୁ ହୋଇନାହିଁ । ତେବେ ପିଲାଙ୍କୁ ନୈତିକ ଶିକ୍ଷା ଦେଉଥିବା ଉଚ୍ଚ ଶିକ୍ଷିତ ଅଧ୍ୟାପକ ମାନଙ୍କ ମଧ୍ୟରେ ଏତାଦୃଶ ବିଶୃଙ୍ଖଳିତ ଆଚରଣକୁ ନେଇ ଅଭିଭାବକ ଏବଂ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ଅସନ୍ତୋଷ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons