ପଦ୍ମପୁର ବେଆଇନ ବାଣ କାରଖାନାରେ ଚଢ଼ଉ:୪୦ ଲକ୍ଷ ଟଙ୍କାର ବାଣ, ବାରୁଦ ଜବତ

Get real time updates directly on you device, subscribe now.

ଜଗତପୁର,(ବି.ବି.ନୁ୍ୟଜ୍): ଦୀପାବଳି ଆଗରୁ କଟକ ସହର ଉପକଣ୍ଠ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ କମିସନରେଟ୍ ପୁଲିସ ପକ୍ଷରୁ ବଡ଼ଧରଣର ଚଢ଼ଉ କରାଯାଇଛି । ସେଠାରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ଶନିବାର ଭୋର ସମୟରେ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର ବାଣ, ବାରୁଦ ଓ ବାଣ ତିଆରି ସାମଗ୍ରୀ ଜବତ ହୋଇଛି । ଏଥିରେ ସଂପୃକ୍ତ ଥିବା ୧୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି ।
ଅଭିଯୁକ୍ତମାନେ ହେଲେ ତ୍ରିଲୋଚନପୁରର ଜଗା ମାଝି, ପ୍ରତାପ ଚନ୍ଦ୍ର ଘଡେ଼ଇ, ଯୋଗେନ୍ଦ୍ର ମାଝି, ରମେଶ ଚନ୍ଦ୍ର ଘଡେ଼ଇ, ବଟେଶ୍ୱର ଘଡେ଼ଇ, ଧନେଶ୍ୱର ଘଡେ଼ଇ, ସଞ୍ଜୟ ଘଡେ଼ଇ, ପ୍ରଶାନ୍ତ କୁମାର ସାହୁ, କୃଷ୍ଣଚନ୍ଦ୍ର ସାହୁ, ରଞ୍ଜନ ଘଡେ଼ଇ, ମହାଜନପୁରର ନରେନ୍ଦ୍ର ନାୟକ ଓ ବୁଲୁ ମଲ୍ଲିକ । ବାଣ ପ୍ରସ୍ତୁତରେ ବ୍ୟବହାର ହେଉଥିବା ୨୫ କେଜି ଗନ୍ ପାଉଡର, ୧୪ କେଜି ପଟାସ୍, ୩୫ କେଜି ମେଟାଲ୍ ବ୍ଲାକ୍ ପାଉଡ଼ର, ୧୨ କେଜି ଆଲୁମୁନିୟମ୍ ଡଷ୍ଟ, ୧୫ କେଜି ଲୁହା ଗୁଣ୍ଡ, ପ୍ରାୟ ୧୦ ହଜାର ପକେଟ୍ ବିଭିନ୍ନ ବାଣ ଓ ଏହା ସହିତ ବାଣ ତିଆରିରେ ଲାଗୁଥିବା ଅନ୍ୟାନ୍ୟ ଜିନିଷ ମଧ୍ୟ ଜବତ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଜଗତପୁର ଅଞ୍ଚଳରେ କିଛି ବେଆଇନ ବାଣ କାରଖାନା ଚାଲୁଥିବା ସଂପର୍କରେ ପୁଲିସକୁ ଖବର ମିଳିଥିଲା । ସୂଚନା ପାଇବା ପରେ ପୁଲିସର ଏକ ଟିମ୍ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା କାରଖାନା ଗୁଡ଼ିକ ଠାବ କରିଥିଲା । ଏନେଇ ଡିସିପି ଅଖିଳେଶ୍ୱର ସିଂହଙ୍କୁ ଉକ୍ତ ଟିମ୍ ଏକ ରିପୋର୍ଟ ପ୍ରଦାନ କରିଥିଲେ । ଏହି ରିପୋର୍ଟ ଆଧାରରେ ପୁଲିସର ଏକ ଟିମ୍ ସେଠାରେ ବ୍ୟାପକ ଚଢ଼ଉ କରିବ ବୋଲି ସ୍ଥିର ହୋଇଥିଲା । ପ୍ରାୟ ୮ଟି ବାଣ କାରଖାନାରେ ଖାନ୍ତଲାସି କରାଯାଇ ସେଠାରୁ ପ୍ରଚୁର ପରିମାଣରେ ବାରୁଦ, ବାଣ ଓ ବାଣ ତିଆରି ଜିନିଷ ଜବତ ହୋଇଥିଲା । ଜବତ ବାଣ ଓ ଅନ୍ୟ ଜିନଷର ମୂଲ୍ୟ ପ୍ରାୟ ୪୦ ଲକ୍ଷରୁ ଅଧିକ ମୂଲ୍ୟର ହେବ ବୋଲି ପୁଲିସ ଆକଳନ କରିଛି । ବୋଲି ପୁଲିସ ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons