ଫୁଲବାଣୀ: ଜିଲା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କନ୍ଧମାଳର ପରିଚିତ ଆଧ୍ୟାତ୍ମିକ ପ୍ରତିଭା, ଲୋକକବି ଓ ସମାଜ ସଂସ୍କାରକ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆଜି ଭୁବନେଶ୍ୱର ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି ।
ଗତ ୧୪ ତାରିଖରେ ପୂର୍ଣ୍ଣମାସୀଙ୍କ କୋଭିଡ୍ ପଜିଟିଭ ଥିବା ଜଣାପଡିବା ପରେ ନିଜ ବାସଭବନରେ ରହି ଚିକିିତ୍ସିତ ହେଉଥିଲେ । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା ଦାୟିତ୍ୱ ନେଇଥିଲେ । ସ୍ୱାସ୍ଥ୍ୟବସ୍ଥ୍ୟାରେ ଅବନିତି ହେବାରୁ ତାଙ୍କୁ ଗୁରୁବାର ଫୁଲବାଣୀ କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଗତକାଲି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ମାତ୍ର ଶୁକ୍ରବାର ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଉଦ୍ବେଗର କାରଣ ନାହିଁ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ରାଜ୍ୟଶ୍ରୀ ପଟ୍ଟନାୟକ କହିଛନ୍ତି । ତାଙ୍କର ଅଲଟ୍ରା ସାଉଣ୍ଡ୍ ସହ ଅନ୍ୟ କିଛି ଉନ୍ନତ ପରୀକ୍ଷଣର ଆବଶ୍ୟକତା ରହିଛି । ଯାହାକି ଏଠାରେ ସୁବିଧା ନାହିଁ । ଏନେଇ ଭୁବନେଶ୍ୱର ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ପୂର୍ଣ୍ଣମାସୀଙ୍କ ଅମ୍ଳଜାନ ସ୍ତର ବି ଠିକ୍ ରହିଥିବା ଡାକ୍ତର କହିଛନ୍ତି । ଅପରପକ୍ଷରେ କନ୍ଧମାଳର ଲୋକପ୍ରିୟ ଅଧ୍ୟାତ୍ମିକ ପ୍ରତିଭା ଏବଂ ଅଗଣିତ ଅନୁଗାମୀଙ୍କ ଅତି ପ୍ରିୟ ପୂର୍ଣ୍ଣମାସୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଜିଲାର ଲୋକେ ଚିନ୍ତିତ ହୋଇ ପଡିଛନ୍ତି । ଜିଲାର ବିଭିନ୍ନ ମହଲରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.