ପପୁ ପମପମଙ୍କ ନାଁରେ ଏତଲା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପୁଣି ଅଡ଼ୁଆରେ ପଡ଼ିଛନ୍ତି ହାସ୍ୟ ଅଭିନେତା ପପୁ ପମ୍ପମ୍ ଓରଫ୍ ତତ୍ତ୍ୱପ୍ରକାଶ ଶତପଥୀ । ତାଙ୍କ ବିରୋଧରେ ମହିଳା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପପୁଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ‘ମିଷ୍ଟର୍ କହ୍ନେୟା’ର ପୋଷ୍ଟର୍କୁ ନେଇ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ମହିଳା ଥାନା ଓ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଫିଲ୍ମର ପୋଷ୍ଟର୍ରେ ମହିଳାମାନଙ୍କୁ ଅପମାନିତ କରାଯାଇଥିବାରୁ ପପୁଙ୍କ ସମେତ ପ୍ରଯୋଜକ ସୀତାରାମ ଅଗ୍ରୱାଲ ଓ ନିର୍ଦ୍ଦେଶକ ରମେଶ ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲେଖିଛନ୍ତି । ଖାଲି ସେତିକି ନୁହେଁ ଏହି ଫିଲ୍ମକୁ ସଂପୂର୍ଣ୍ଣ ବ୍ୟାନ କରିବାକୁ ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି । ଏତଲା ମୁତାବକ ମହିଳା ଥାନା ପୁଲିସ କେସ୍ ନମ୍ବର-୮୯/୧୯, ଦଫା-୬ର ମହିଳାଙ୍କ ଉପରେ ଅରୁଚିକର ଉପସ୍ଥାପନା ନିରୋଧ ଆଇନ ଲଗାଇ ତଦନ୍ତ ଆରମ୍ଭ କରିଛି ।
ଆସନ୍ତା ଗଣେଶ ପୂଜାରେ ରିଲିଜ ହେବ ସିଦ୍ଧାର୍ଥ ଟିଭି ଓ ମ୍ୟୁଜିକ୍ ନିବେଦିତ ଓଡ଼ିଆ ଫିଲ୍ମ ‘ମିଷ୍ଟର୍ କହ୍ନେୟା’ । ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାର ଏକ ପୋଷ୍ଟର୍କୁ ନେଇ ବିବାଦ ଦେଖାଦେଇଛି । ପୋଷ୍ଟର୍ରେ ୭ଜଣ ଯୁବତୀ ତଳେ ଆଣ୍ଠେଇଥିବାବେଳେ ସେମାନଙ୍କ ବେକରେ ଲାଗିଥିବା ରଶିକୁ ଧରି ପପୁ ସାରଥୀ ଷ୍ଟାଇଲ୍ରେ ଛିଡ଼ା ହୋଇଛନ୍ତି । ଏହି ପୋଷ୍ଟର୍ ନେଇ ସୋସିଆଲ୍ ମିଡିଆରେ ଦୃଢ଼ ନିନ୍ଦା କରାଯାଇଛି । ପୋଷ୍ଟର୍ରେ ନାରୀମାନଙ୍କୁ ଅସମ୍ମାନିତ କରାଯାଇଥିବା କୁହାଯାଇଛି । ଏଥିସହ ଏହା ସମାଜକୁ ଏକ ଖରାପ ବାର୍ତ୍ତା ଦେଉଛି ବୋଲି ଫେସ୍ବୁକ୍ରେ ଅନେକ ବ୍ୟକ୍ତି ପ୍ରତିକ୍ରିୟା ଦେଇଛନ୍ତି ।
ସେପଟେ ସଂପୃକ୍ତ ଫିଲ୍ମ ପ୍ରଯୋଜନା ସଂସ୍ଥା ପ୍ରତିକ୍ରିୟା ପ୍ରକାଶ କରିଛି ଯେ, ‘ମିଷ୍ଟର୍ କହ୍ନେୟା’ ଫିଲ୍ମର କୌଣସି ପୋଷ୍ଟର୍ ଆଜି ପର୍ଯ୍ୟନ୍ତ ରିଲିଜ ହୋଇନାହିଁ । ସୋସିଆଲ ମିଡିଆରେ ଦର୍ଶାଯାଇଥିବା ପୋଷ୍ଟର୍ରେ ଯେଉଁ ଯୁବତୀ ଅଛନ୍ତି, ସେମାନେ କେହି ‘ମିଷ୍ଟର୍ କହ୍ନେୟା’ ଫିଲ୍ମର କଳାକାର ନୁହନ୍ତି । ଉକ୍ତ ପୋଷ୍ଟର୍କୁ କିଏ ଓ କାହିଁକି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛି ତାହା ମଧ୍ୟ ପ୍ରଯୋଜନା ସଂସ୍ଥା ଜାଣି ନଥିବା କହିଛନ୍ତି ।
ସୂଚନା ଥାଉକି, ପପୁ ପମ୍ପମ୍ କାଷ୍ଟିଂ କାଉଚ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ଜାମିନରେ ଆସି କିଛିଦିନର ନିରବତା ପରେ ସେ ପୁଣି ଚଳଚ୍ଚିତ୍ର ଜଗତକୁ ଫେରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons