କଟକ,୨(ବି.ବି.ବୁ୍ୟରୋ): ନୟାସଡ଼କସ୍ଥିତ ଫାଇନାନ୍ସ ସଂସ୍ଥା ଆଇଆଇଏଫ୍ଏଲ୍ (ଇଣ୍ଡିଆନ୍ ଇନ୍ଫୋଲାଇନ୍ ଲିମିଟେଡ୍) ଡକାୟତି ଘଟଣାର ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି । ସଂସ୍ଥାର ସହକାରୀ ମ୍ୟାନେଜର୍ ଲାଲା ଅମ୍ରିତ ରାଏ ଡକାୟତିର ମାଷ୍ଟର୍ମାଇଣ୍ଡ୍ ବୋଲି ପୁଲିସ ଗତକାଲି ଘୋଷଣା କରିଥିଲାବେଳେ ଆଜି ଆଉ ଏକ ଚାଞ୍ଚଲ୍ୟକର ରହସ୍ୟ ଉନ୍ମୋଚିତ ହୋଇଛି । ଏହି ଡକାୟତି ପଛରେ ସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କର ବଡ଼ଧରଣର ସଂପୃକ୍ତି ସାମ୍ନାକୁ ଆସିଛି । ସଂପୃକ୍ତ କର୍ମଚାରୀଙ୍କ ନାମ ନିଳିମା ଲେଙ୍କା ଓ ତାଙ୍କ ଘର ପୁରୀଘାଟ ଥାନା ଅନ୍ତର୍ଗତ ଭଗତପୁର ଅଞ୍ଚଳରେ । ଅମ୍ରିତ ରାଏ ସହ ମିଶି ନିଳିମା ଏଭଳି କାରନାମାକୁ ରୂପ ଦେଇଥିବା ଡିସିପି ପ୍ରତୀକ ସିଂହ ଆଜି କହିଛନ୍ତି ।
ସଂସ୍ଥାର ଦୁଇ ଜଣ କର୍ମଚାରୀ ଲୁଟ୍ ଘଟଣାରେ ସଂପୃକ୍ତ ଥିବା ପ୍ରମାଣ ମିଳିବା ପରେ ପୁଲିସ୍ର ସନେ୍ଦହ ଆହୁରି ବଢିବାରେ ଲାଗିଛି । ଫଳରେ ସମ୍ପୃକ୍ତ ଫାଇନାନ୍ସ ସଂସ୍ଥାର ଏକାଧିକ କର୍ମଚାରୀ ପୁଲିସର ରାଡାରରେ ଅଛନ୍ତି । ଅନ୍ୟପକ୍ଷରେ ଗତକାଲିଠାରୁ ଅଟକ ଥିବା ଅଭିଯୁକ୍ତମାନଙ୍କୁ ପୁଲିସ୍ ଆଜି ଗିରଫ ଦର୍ଶାଇ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମୁଖ୍ୟ ଅଭିଯୁକ୍ତ ତଥା ମର୍କତନଗର ଅଞ୍ଚଳରେ ରହୁଥିବା ଉମାଚରଣ ରାଏଙ୍କ ପୁଅ ଲାଲା ଅମ୍ରିତ ସାଗର ରାଏ(୩୫), ପୁରୀଘାଟ ଥାନା, ଭଗତପୁର ଅଞ୍ଚଳର ମହିଳା କର୍ମଚାରୀ ନିଳିମା ଲେଙ୍କା(୩୪), କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳର ବାପି ଓରଫ ରଞ୍ଜନ ବେହେରା (୩୬), ରାଜକିଶୋର ସାହୁ, ପବିତ୍ର ବେହେରା, ପ୍ରକାଶ ସାହୁ(୨୮) ଏବଂ ଜଗତପୁର ଥାନା ବହୁଗ୍ରାମ ଅଞ୍ଚଳର ବାପି ଓରଫ ସନ୍ତୋଷ ଭୋଇ(୩୫) । ଅଭିଯୁକ୍ତମାନଙ୍କଠାରୁ ପୁଲିସ୍ ପ୍ରାୟ ୩ କେଜି ଓଜନର ସୁନା ଗହଣା, ଏକ ଅଡି କାର, ବୁଲେଟ୍, ପଲ୍ସର୍ ବାଇକ୍, ହୋଣ୍ଡା ଡ୍ରିମ୍ ୟୋଗା ବାଇକ୍, ମୋବାଇଲ୍ ଫୋନ୍, ପ୍ଲାଷ୍ଟିକ୍ ବନ୍ଧୁକ ଜବତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଡିସିପି ସୂଚନା ଦେଇଛନ୍ତି । ଉକ୍ତ ଘଟଣାରେ ଆହୁରି ଅଧିକ ଖୋଳତାଡ଼ କରି ଡକାୟତି ହୋଇଥିବା ସୁନାଗହଣା, ଟଙ୍କାପଇସା ଆଦିର ସନ୍ଧାନ ପାଇବା ପାଇଁ ପୁଲିସ୍ ଅଭିଯୁକ୍ତମାନଙ୍କୁ ରିମାଣ୍ଡାରେ ଆଣିବା ପାଇଁ ନିଷ୍ପତ୍ତି ନେଇଥିବାର ଡିସିପି ଶ୍ରୀ ସିଂ କହିଛନ୍ତି ।
ପୁଲିସର କହିବାନୁସାରେ, ଆଇଆଇଏଫ୍ଏଲ୍ ଡକାୟତିରେ ସମ୍ପୃକ୍ତ ଅଭିଯୁକ୍ତମାନେ ଧରାପଡ଼ିଥିଲେ ହେଁ ଏଥିରେ ଆଉ କିଛି ଅଭିଯୁକ୍ତଙ୍କର ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । ବ୍ରାଞ୍ଚରୁ ଡକାୟତି ହୋଇଥିବା ଏବଂ ଚୋରି ହୋଇଥିବା ସୁନାଗହଣା ମଧ୍ୟରୁ ଏଯାବତ ୩ କିଲୋ ଜବତ ହୋଇଥିବା ବେଳେ ଆହୁରି ବହୁ ପରିମାଣର ସୁନା ଅଭିଯୁକ୍ତମାନେ ଲୁଚାଇ ରଖିଥିବାର ପୁଲିସ୍ ଜାଣିବାକୁ ପାଇଛି । ବ୍ରାଞ୍ଚ୍ରେ ଗଚ୍ଛିତ ଥିବା ସୁନା ଏବଂ ଟଙ୍କାର ବାସ୍ତବିକ ତଥ୍ୟ ଜାଣିବା ପାଇଁ କମିସନରେଟ୍ ପୁଲିସ୍ ଏବେ ଆଇଆଇଏଫ୍ଏଲ୍ ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ବରିÂ ଅଧିକାରୀଙ୍କ ସହଯୋଗ ଲୋଡ଼ିଛି । ଫାଇନାନ୍ସ ସଂସ୍ଥାରେ ବହୁ ଜାଲିଆତି ହୋଇଥିବା ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଛି । ଜାଲିଆତି ଓ ଚୋରିରେ ଉକ୍ତ ଫାଇନାନ୍ସ ସଂସ୍ଥାରେ କୋଟି କୋଟି ଟଙ୍କା ସୁନା ହଡ଼ପ ହୋଇଥିବା ପୁଲିସ୍ କହିଛି । ମାଷ୍ଟର୍ମାଇଣ୍ଡ୍ ଲାଲା ଅମୃତ ସାଗର ରାଏକୁ ସବୁ କ୍ଷେତ୍ରରେ ଅନ୍ୟତମ ମହିଳା କର୍ମଚାରୀ ନିଳିମା ରାଏ ସହଯୋଗ କରୁଥିଲେ । ବ୍ରାଞ୍ଚ୍ର ଲକର ଚାବି ସମ୍ପୃକ୍ତ ଦୁଇ କର୍ମଚାରୀମାନଙ୍କ ପାଖରେ ଥିବାରୁ ସେମାନେ ମନଇଚ୍ଛା ବିଭିନ୍ନ ସମୟରେ ଲକରରୁ ସୁନା ନେଉଥିଲେ । ଅଡିଟ୍ରେ ଖସିନପାରିବାରୁ ଲାଲା ଅମି୍ରତ ସାଗର କରିଥିବା ଡକାୟତି ଷଡ଼ଯନ୍ତ୍ରରେ ଅଭିଯୁକ୍ତ ମହିଳା କର୍ମଚାରୀ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ ବୋଲି ଡିସିପି କହିଛନ୍ତି । ଅଭିଯୁକ୍ତ ଲାଲା ଆଇଆଇଏଫ୍ଏଲ୍ ଲକରରୁ ସୁନା ଏବଂ ଲକ୍ଷାଧିକ ଟଙ୍କା ନେଇ ବିଭିନ୍ନ ଆଡେ଼ ବିନିଯୋଗ କରିଥିବାର ପୁଲିସ୍ ଜାଣିବାକୁ ପାଇଛି । ତାର ବହୁ ବ୍ୟାଙ୍କ ଆକାଉଣ୍ଟ୍ ମଧ୍ୟ ପୁଲିସ୍ ହାବୁଡ଼ରେ ପଡ଼ିଛି । ବିଭିନ୍ନ ଆକାଉଣ୍ଟ୍ରେ ଲକ୍ଷାଧିକ ଟଙ୍କା ଜମା ହୋଇରହିଥିବା ତଦନ୍ତରୁ ଜଣାପଡ଼ିଛି ।


Comments are closed, but trackbacks and pingbacks are open.