ପରିଣତ ବୟସରେ ଦଉଡିରେ ବନ୍ଧା ଜୀବନ

Get real time updates directly on you device, subscribe now.

କୋଷାଗୁମୁଡ଼ା,(ବି.ବି.ନୁ୍ୟଜ୍): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ଏକୋରୀ ପଞ୍ଚାୟତ ନୁନପାଣି ଗାଁର ଲାଇବାନ ହରିଜନ । ବୟସ ୬୪ । ପରିଣତ ବୟସରେ ହରାଇଛନ୍ତି ମାନସିକ ଭାରସାମ୍ୟ । ଏହି କାରଣରୁ ସେ ଘରେ ନରହି କେଉଁଆଡେ଼ ଚାଲିଯାଉଛନ୍ତି । ବାହାରକୁ ଚାଲି ଯାଉଥିବାରୁ ୨ ବର୍ଷ ହେଲା ପରିବାର ଲୋକେ ତାଙ୍କୁ ଏ ଗଛରେ ବାନ୍ଧି ରଖୁଛନ୍ତି ଦଉଡିÿରେ ।
ଲାଇବାନଙ୍କ ପରିବାର କହିଲେ, ସ୍ତ୍ରୀ ରାଧାମଣୀ ଓ ଦୁଇ ପୁଅ । ଏକଦା ତାଙ୍କର ବି ହସଖୁସିର ସଂସାର ଥିଲା । ଦୁଇ ପୁଅ ବାହା ହେବାପରେ ବୋହୂ ଓ ପିଲାଛୁଆଙ୍କୁ ନେଇ ଅନ୍ୟତ୍ର ରହୁଛନ୍ତି । ଘରେ ରହୁଛନ୍ତି ବୃଦ୍ଧ ଦମ୍ପତି । ଲାଇବାନ ସୁସ୍ଥ ଥିବା ବେଳେ କୁଲି ଲାଗି ପରିବାର ଚଳାଉଥିଲେ । ୨ ବର୍ଷ ହେଲା ଦେହ ଅସୁସ୍ଥ ହେବାରୁ ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । କେଉଁଆଡେ ଚାଲି ଯାଉଛନ୍ତି । ରାଧାମଣୀ ବହୁବାର ଆଖପାଖ ଗାଁକୁ ଯାଇ ତାଙ୍କୁ ଉଦ୍ଧାର କରି ଘରକୁ ଆଣୁଛନ୍ତି । ବାଧ୍ୟହୋଇ ଏବେ ଘରଠାରୁ ୨୦ ମିଟର ଦୂରରେ ଥିବା ଏକ ଗଛରେ ହାତ କିମ୍ବା ଗୋଡ଼କୁ ଦଉଡିରେ ବାନ୍ଧି ଦେଉଛନ୍ତି । ସକାଳୁ ସଞ୍ଜ ପର୍ଯ୍ୟନ୍ତ ଦଉଡିରେ ବନ୍ଧା ରହୁଛନ୍ତି ଲାଇବନ । ସ୍ତ୍ରୀ ରାଧାମଣୀ ତାଙ୍କୁ ଖୁଆଇବାଠାରୁ ଆରମ୍ଭ କରି ସମସ୍ତ ସେବାଯତ୍ନ କରୁଛନ୍ତି । ସଞ୍ଜ ହେଲେ ଦଉଡି ଖୋଲି ଘରକୁ ନେଉଛନ୍ତି । ଲାଇବନ ଅସୁସ୍ଥ ଥିବାରୁ ତାଙ୍କୁ ଛାଡି କାମ କରିବାକୁ ଏବେ ଯାଇପାରୁ ନାହାନ୍ତି ରାଧାମଣୀ । ଅନେକ ଦିନ ଭୋକ ଉପାସରେ କଟୁଥିବା କହିଛନ୍ତି ।
ସରକାରୀ ସହାୟତା କହିଲେ, ଉଭୟଙ୍କ ନାଁରେ ମିଳୁଛି ୧୦ କେଜି ଚାଉଳ । ଗତବର୍ଷ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଛି । ତାହା ମଧ୍ୟ ଅଧପନ୍ତରିଆ ହୋଇ ପଡିରହିଛି । ଲାଇବାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ଆଜି ପର୍ଯ୍ୟନ୍ତ ସାମିଲ କରାଯାଇନାହିଁ । କେବଳ ରାଧାମଣୀଙ୍କୁ ମିଳୁଛି ମାସିକ ୫୦୦ ଟଙ୍କା । ଏକ ଚାଳ କୁଡିଆରେ ମୁଣ୍ଡ ଗୁଞ୍ଜିଛନ୍ତି ଏହି ବୃଦ୍ଧ ଦମ୍ପତି । ଆଗରୁ ରାଧାମଣୀ ନିଜ ଉଦ୍ୟମରେ ଉପାର୍ଜନ କରିଥିବା ଛୋଟିଆ କୁଡ଼ିଆ ଘରକୁ ଟିଣ ଛପର କରିଥିଲେ । ଜମିବାଡି କିଛି ନାହିଁ । କେବଳ ଭତ୍ତା ଟଙ୍କାରେ କଷ୍ଟେମଷ୍ଟେ ଚଳୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons