ପର୍ଯ୍ୟଟକଙ୍କ ଅପେକ୍ଷାରେ ‘ଗଣ୍ଡାହାତୀ’

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଗଜପତିର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ‘ଗଣ୍ଡାହାତୀ’ ଜଳ ପ୍ରପାତ । ଏହାର ଶୀତଳ ଜଳରେ ସ୍ନାନ କରିବାର ମଜା ଓ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଏଠାକୁ ଟାଣିଆଣେ । ଜିଲ୍ଲା ଓ ଜିଲ୍ଲା ବାହାରୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁ ଏଠାକୁ ପର୍ଯ୍ୟଟକଙ୍କୁ ଆସିବାକୁ ବାରଣ କରାଯାଇଛି । ଗତ ୫ ମାସ ହେଲା ଏଠାକୁ କେହି ପର୍ଯ୍ୟଟକ ଆସୁନାହାଁନ୍ତି । ତେଣୁ ପର୍ଯ୍ୟଟକଙ୍କ ଅପେକ୍ଷାରେ ଗଣ୍ଡାହାତୀ ରହିଥିବା କୁହାଯାଉଛି । ବର୍ତ୍ତମାନ ଲାଗି ରହିଥିବା ଲଗାଣବର୍ଷାରେ ପ୍ରକୃତିରାଣୀ ଗଣ୍ଡାହାତୀକୁ ଆହୁରି ସଜାଇ ଦେଇଛି । ହେଲେ ତାର ସୌନ୍ଦର୍ଯ୍ୟ ଦେଖିବା ପାଇଁ ଜଣେ ହେଲେ ପର୍ଯ୍ୟଟକ ଏଠାକୁ ଆସୁନଥିବାରୁ ସତେ ଯେମିତି ସେ ଭାଙ୍ଗି ପଡ଼ିଛି । ପର୍ଯ୍ୟଟକଙ୍କ ଆଗମନରେ ଏହି ଅଞ୍ଚଳର ବ୍ୟବସାୟୀମାନେ ମଧ୍ୟ ବେଶ୍ ଉପକୃତ ହେଉଥିଲେ । ସେମାନେ ମଧ୍ୟ ବର୍ତ୍ତମାନ ଆର୍ଥିକ ଅନାଟନରେ ରହିବାକୁ ବାଧ୍ୟ ହେଉଥିବା ବୁଦ୍ଧିଜୀବୀ ଗଣେଶ ହିଷୋୟୀ କହିଛନ୍ତି ।
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅଧିନରେ ରହିଛି ଗଣ୍ଡହାତୀ । ଏହାର ନାମ କରଣକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ମତ ପ୍ରକାଶ କରିଛନ୍ତି । ଏହି ଅଞ୍ଚଳରେ ପୂର୍ବରୁ ଗଣ୍ଡା ଗଣ୍ଡା ହାତୀଙ୍କ ଚଳପ୍ରଚଳ ରହୁଥିଲା । ଏହି ଜଳ ପ୍ରପାତକୁ ସେମାନେ ପାଣି ପିଉଥିଲେ । ତେଣୁ ଏହାର ନା ଗଣ୍ଡାହାତୀ ହୋଇଛି ବୋଲି କେତେକ ଲୋକ କହୁଥିବା ବେଳେ ଏହି ଅଞ୍ଚଳରେ ପୂର୍ବରୁ ଉଭୟ ଗଣ୍ଡା ଓ ହାତୀଙ୍କ ଚଳ ପ୍ରଚଳ ରହିଥିବାରୁ ଏହାର ଏଭଳି ନାମକରଣ ହୋଇଥିବା ମଧ୍ୟ ମତ ପ୍ରକାଶ ପାଉଛି । ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏଠାକୁ ଥରେ ଯିଏ ଆସିଛି, ସିଏ ପୁଣିଥରେ ନଆସି ରହିପାରିବନାହିଁ । ଲୋକେ ଏଠାରେ ବଣ ଭେଜିର ବି ବେଶ୍ ମଜା ନେଇଥାନ୍ତି । ବିଶେଷ କରି ବର୍ଷାଦିନରେ ଏହି ଜଳ ପ୍ରପାତ ଅଧିକ ସୁନ୍ଦର ହୋଇଥାଏ । ଦେଖିଲେ ଲାଗେ ସତେ ଯେମିତି ପ୍ରକୃତିରାଣୀ ଧଳା ଫର ଫର ଶାଢୀରେ ସଜେଇ ହୋଇଛି । ଜିଲ୍ଲା ପାଇଁ ‘ଗଣ୍ଡାହତୀ’ ପ୍ରକୃତିର ବରଦାନ । ଏଠାକୁ ପ୍ରତିବର୍ଷ ପର୍ଯ୍ୟଟକ ଆସି ପ୍ରକୃତିକୁ ଉପଭୋଗ କରିବାର ସୁଯୋଗ ପାଉଥିଲେ । ତେବେ ବର୍ତ୍ତମାନ କରୋନା ଏଥିରେ ପ୍ରତବନ୍ଧକ ହୋଇଛି ବୋଲି ଗଣ୍ଡାହାତୀର ସରପଞ୍ଚ ଦୁର୍ଯ୍ୟ ଶବର କହିଛନ୍ତି । ସେଭଳି ୨୦୧୬ ମସିହାରେ ୩୫,୬୯୩ ଜଣ ପର୍ଯ୍ୟଟକ ଏଠାକୁ ଆସିଥିବା ବେଳେ ୨୦୧୭ରେ ୩୯,୫୨୧ଜଣ, ୨୦୧୮ରେ ୪୩,୨୮୫ଜଣ ଏବଂ ୨୦୧୯ରେ ୪୭,୮୬୨ଜଣ ପର୍ଯ୍ୟଟକ ଏଠାକୁ ଆସିଛନ୍ତି । ଗତ ୪ ବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ ପ୍ରତିବର୍ଷ ପର୍ଯ୍ୟଟକଙ୍କ ସଂଖା ବୃଦ୍ଧି ପାଉଥିବା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମୀୟ ସେଠୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons