ଦାରିଙ୍ଗବାଡ଼ି, (ବି.ବି.ନୁ୍ୟଜ୍): ଚଳିତ ଶୀତଋତୁରେ ଦାରିଙ୍ଗବାଡ଼ି ଅଞ୍ଚଳରେ ୫ମ ଥର ପାଇଁ ରବିବାର ତୁଷାରପାତ ହୋଇଛି । କିଛିଦିନ ହେଲା ପାଗ ମେଘୁଆ ଥିବା ଯୋଗୁ ଥଣ୍ଡା କମିଥିବା ବେଳେ ଶନିବାର ଠାରୁ ପୁଣି ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଥିଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ିରେ ଶନିବାର ତାପମାତ୍ରା ୯.୦ ଡିଗ୍ରୀ ସେଲ୍ସିଅସ୍ ଥିବାବେଳେ ରବିବାର ୭.୨ ଡିଗ୍ରୀ ସେଲସିଅସ୍ ରହିଥିଲା । ତେବେ ରାତିରେ ତାପମାତ୍ରା ବହୁତ କମୁଥିବା ଅଞ୍ଚଳବାସୀ ଦାବି କରୁଛନ୍ତି । ଯାହାଫଳରେ କି ସ୍ଥାନୀୟ ଅଞ୍ଚଳରେ ତୁଷାରପାତ ହେଉଛି । ତୁଷାରପାତ ଓ ପ୍ରବଳ ଜାଡ଼ ସାଙ୍ଗକୁ କୋହଲା ପବନ ଜନଜୀବନ ଅସ୍ଥବ୍ୟସ୍ତ କରିଦେଉଛି ।
ଉପାନ୍ତ ଅଞ୍ଚଳରେ ତାପମାତ୍ରା ଆହୁରୀ ଅଧିକ କମିକାକୁଥିବା ଅନୁମାନ କରାଯାଉଛି । ଜାଡ଼ରୁ ରକ୍ଷା ପାଇବା ପାଇଁ ଲୋକେ ନିଅାଁର ସାହାରା ନେବାସହ ଗରମ ପାନୀୟ ବ୍ୟବହାର କରୁଛନ୍ତି । ରବିବାର ଦାରିଙ୍ଗବାଡ଼ି ସମେତ ପର୍ତମାହା, ଗୁମିକିଆ, ସୀତାପାଙ୍ଗା, ସିଆଙ୍ଗବାଲି, ମ୍ଲୁକଚେରୀ, ପାଙ୍ଗାଲି, ଗାନ୍ଦାରଗୁଡ଼ି, ଗଡ଼ପାକାଲି, ସିମନବାଡ଼ି, ତିଲୋରି, କିରିକୁଟି, ବାଡ଼ାବାଙ୍ଗା, ଶ୍ରାନିକେତା, ଗଦଡ଼ି, ପାଙ୍ଗାଲି ଆଦି ଅଞ୍ଚଳର ପାଳଗଦା, ସୁଖିଲା କାଠ, ହଲଦି ପତ୍ର ଭଳି ସ୍ଥାନରେ ତୁଷାରପାତ ପଡ଼ିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ତୁଷାରପାତ ମଜା ନେବା ପାଇଁ ରାଜ୍ୟ ତଥା ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଜମିବା ସହ ବଣଭୋଜିର ଆସର ମଧ୍ୟ ଜମୁଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡ଼ିର ଡୁଲୁରୀ ପାଇନବଣ, କିରିକୁଟିର ଲଭର୍ସ ପଏଣ୍ଟ୍ ଓ ଦାସିଙ୍ଗବାଡ଼ିର ମିଡିୟୁବାନ୍ଦା ଜଳ ପ୍ରପାତରେ ହଜାରହଜାର ପର୍ଯ୍ୟଟକ ବଣଭୋଜି କରୁଥିବା ବେଳେ ନେଚର ପାର୍କ, ହିଲଭିୟୁ ପାର୍କ, ଏମୋପକ୍ଷୀ ପାର୍କ, ଗ୍ରୀନବାଡ଼ି ସ୍ଥିତି ସାଇଲେଣ୍ଟ ଭ୍ୟାଲି ଓ ବୋଟିଙ୍ଗ ସ୍ଥଳ, କଫି ବଗିଚା ଭଳି ଆଦି ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି ।
Comments are closed, but trackbacks and pingbacks are open.