ପଳେଇଲା ‘ବୁଲ୍ବୁଲ୍’:୬ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପଳାଇଲା ‘ବୁଲ୍ବୁଲ୍’ । ଓଡ଼ିଶା ଉପକୂଳରେ ଘଷି ହୋଇ ଯିବାବେଳେ ୬ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଧନଜୀବନ ହାନି ହୋଇଛି । ଓଡ଼ିଶାରେ ସିଧା ମାଡ଼ ନ ହୋଇ ମଧ୍ୟ ଚାଷୀ କୂଳକୁ ଦୁଃଖ ଦେଇଯାଇଛି ‘ବୁଲ୍ବୁଲ୍’ । ଏଥିଯୋଗୁ ପ୍ରାୟ ଅଢେ଼ଇ ଲକ୍ଷ ହେକ୍ଟର ଧାନ ଚାଷ ନଷ୍ଟ ହୋଇଛି । ବ୍ୟାପକ ପନିପରିବା ଫସଲ ମଧ୍ୟ ଉଜୁଡ଼ିଯାଇଛି । କାନ୍ଥ ପଡ଼ିବାରୁ ଜଣକର ଜୀବନ ମଧ୍ୟ ଯାଇଛି । ତେବେ ଓଡ଼ିଶା ଉପକୂଳରୁ ଦୂରେଇବା ପରେ ଆଜି ରାତି ପ୍ରାୟ ସାଢେ଼ ୮ଟାରେ ପଶ୍ଚିମବଙ୍ଗର ସୀମାନ୍ତ ସୁନ୍ଦରବନରେ ମାଡ଼ ହୋଇଛି ‘ବୁଲ୍ବୁଲ୍’ । ଉପକୂଳ ଅତିକ୍ରମ ପାଇଁ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିବାବେଳେ ସ୍ଥଳଭାଗ ଛୁଇଁଲାବେଳକୁ ୧୨୦-୧୩୦ କିମି ବେଗରେ ପବନ ବହୁଥିଲା । ମଝିରେ ମଝିରେ ୧୪୫ କିମି ଛୁଇଁଥିଲା ପବନର ବେଗ । ଏଥିରେ ସାଗର ଦ୍ୱୀପ, ସୁନ୍ଦରବନ ଓ ସୀମାନ୍ତବର୍ତ୍ତି ବାଂଲାଦେଶରେ ତାଣ୍ଡବ ଭିଆଇଛି ‘ବୁଲ୍ବୁଲ୍’ ।

ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନାଙ୍କ ସୂଚନା ମୁତାବକ, ଶୁକ୍ରବାର ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା, ପବନ ବଢ଼ିଥିଲା । ଶନିବାର ସକାଳ ସାଢେ଼ ୫ଟାବେଳେ ‘ବୁଲ୍ବୁଲ୍’ ପାରାଦୀପର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୧୦ କିମି ଦୂରରେ ଥିଲା । ସକାଳ ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘଣ୍ଟା ପ୍ରତି ୬୦-୭୦ କିମି ବେଗରେ ପବନ ବହିଥିଲା । ବେଳେବେଳେ ପବନ ବେଗ ୮୦ କିମି ଛୁଇଁଥିଲା । ପରବର୍ତ୍ତୀ ସମୟରେ ପବନର ବେଗ ୯୦ କିମିରେ ପହଞ୍ଚି ଯାଇଥିଲା । ଧାମରା ବନ୍ଦର ନିକଟରେ ସର୍ବାଧିକ ୧୧୦ କିମି ବେଗରେ ପିଟିଥିଲା ପବନ । ପୁରୀ ଓ ଗଞ୍ଜାମରେ ୪୦-୬୦ କିମି ବେଗରେ ଥଣ୍ଡା ପବନ ପ୍ରବାହିତ ହୋଇଥିଲା । କଟକ, ଭୁବନେଶ୍ୱରରେ ପାଗ କୋହଲା ରହିବା ସହ ଥଣ୍ଡା ପବନ ବହିଥିଲା ।

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ଶୁକ୍ରବାର ରାତି ତମାମ ବର୍ଷା, ପବନ ଲାଗି ରହିଥିଲା । ସକାଳ ୮ଟା ୩୦ ସୁଦ୍ଧା ରାଜନଗରରେ ୧୮୦ ମିଲିମିଟର, ପାରାଦୀପରେ ୧୬୩.୯ ମିମି, ଚାନ୍ଦବାଲିରେ ୧୫୦.୧ ମିମି ଓ ରାଜକନିକାରେ ୧୩୬ ମିମି, ବର୍ଷା ହୋଇଥିଲା । ତିର୍ତ୍ତୋଲରେ ୧୦୦ ମିମି ବର୍ଷା ହୋଇଥିବାବେଳେ ଆଳିରେ ୮୯ ମିମି, ଏରସମାରେ ୮୧, ମହାକାଳପଡ଼ାରେ ୭୫, ଭଦ୍ରକରେ ୭୨, କୁଜଙ୍ଗରେ ୬୪, ବାଲିକୁଦାରେ ୫୬, ଭୋଗରାଇରେ ୫୨.୨, ବିଞ୍ଝାରପୁରରେ ୫୧ ମିମି ବର୍ଷା ହୋଇଛି ।

ବର୍ଷା ଓ ପବନରେ ୬ ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । କେନ୍ଦ୍ରାପଡ଼ାର ରାଜକନିକାରେ କାନ୍ଥ ଭୁଶୁଡ଼ି ଜଣକର ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ତଦନ୍ତ କରିବାକୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦିଆଯାଇଛି । ପ୍ରଶାସନର କଟକଣାକୁ ବେଖାତିର କରି ଗତକାଲି ରାତିରେ ଧାମରା ନିକଟରେ ମାଛ ଧରିବାକୁ ଯାଇଥିବା ଏକ ବୋଟ୍ ଭୀଷଣ ପବନ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବୋଟ୍ ବୁଡ଼ିଯାଇଥିବାବେଳେ ଏଥିରେ ଥିବା ୯ଜଣ ଲୋକ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାରୁ ବର୍ତ୍ତିବା ପରେ ସେମାନଙ୍କୁ ନିରାପଦ ସ୍ଥାନରେ ରଖାଯାଇଛି । ବିଜୁଳି ଖୁଣ୍ଟ ପଡ଼ିବାରୁ ବାସୁଦେବପୁରରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏନ୍ଡିଆରଏଫ ଟିମ୍ ଇନ୍ସପେକ୍ଟର ମନୋରଂଜନ ପ୍ରସାଦ (୪୦) ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ବାସୁଦେବପୁର ଓ ପରେ ଭଦ୍ରକ ମେଡିକାଲ ନିଆଯାଇଥିଲା । ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି ।

ବାତ୍ୟା ଓ ବର୍ଷା ଯୋଗୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଧାନ ଓ ଅଣଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । ପ୍ରାଥମିକ ଆକଳନ ଅନୁଯାୟୀ ପ୍ରାୟ ୬ ଲକ୍ଷ ହେକ୍ଟର ଧାନ ଚାଷ ଜମିରୁ ୩୫ରୁ ୪୦ ଭାଗ ଚାଷ ଜମିରେ ଫସଲ ହାନି ହୋଇଛି । ଜଗତସିଂହପୁର ଜିଲ୍ଲାର ସମସ୍ତ ୮ଟି ବ୍ଲକ ଓ ୨ଟି ମୁ୍ୟନିସିପାଲିଟି ପ୍ରଭାବିତ ହୋଇଛି । ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ବହୁ ଗଛ ଉପୁଡ଼ିବା ସହ ଗମନାଗମନ ବିଚ୍ଛିନ୍ନ ହୋଇଛି । କେତେକ ଜାଗାରେ ବିଜୁଳି ଖୁଣ୍ଟ ଉପୁଡ଼ିଛି ।

ଯୁଦ୍ଧକାଳିନ ଭିତ୍ତିରେ ରାସ୍ତା ସଫା ଓ ବିଜୁଳି ପୁନରୁଦ୍ଧାର କାମ କରାଯାଉଛି । ପ୍ରାୟତଃ କାମ ସରିଥିବାବେଳେ ଆସନ୍ତାକାଲି ସୁଦ୍ଧା ସବୁଠି ବିଜୁଳି ସରବରାହ ସ୍ୱାଭାବିକ ହେବ ବୋଲି ଏସ୍ଆର୍ସି ସୂଚନା ଦେଇଛନ୍ତି । ଜଗତସିଂହପୁର ଓ ଯାଜପୁରରେ ରାସ୍ତାଘାଟ ସଫା ଓ ବିଜୁଳି ପୁନରୁଦ୍ଧାର କାମ ସରିଛି । ସନ୍ଧ୍ୟା ସୁଦ୍ଧା କେନ୍ଦ୍ରାପଡ଼ାର ୯ଟି ବ୍ଲକରେ ବିଜୁଳି ପୁନରୁଦ୍ଧାର କାମ ସରିଯାଇଛି । ଆଜି ରାତି ଭିତରେ କିମ୍ବା ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ବାକି ୨ଟି ବ୍ଲକରେ କାମ ସରିଯିବ । ଭଦ୍ରକରେ ଭାଙ୍ଗି ପଡ଼ିଥିବା ଗଛ ହଟାଇ ରାସ୍ତା ସଫା ଓ ବିଜୁଳି ପୁନରୁଦ୍ଧାର କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ୫୦ଧ ସରିଛି । ଆସନ୍ତାକାଲି ସୁଦ୍ଧା ପୂରା କାମ ସରିଯିବ । ମୟୂରଭଞ୍ଜରେ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା, ପବନ ଥିବାରୁ ଆସନ୍ତାକାଲି ଏଠାରେ ବିଜୁଳି ସେବା ସ୍ୱାଭାବିକ ହେବ । ବାଲେଶ୍ୱରରେ ଆଜି ରାତି ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବାଲେଶ୍ୱର, ମୟୂରଭଞ୍ଜ ବ୍ୟତୀତ ଅନ୍ୟ ଜିଲ୍ଲାରେ ରାସ୍ତାଗୁଡ଼ିକରୁ ଗଛ ଓ ବିଜୁଳି ଖୁଣ୍ଟ ପ୍ରାୟତଃ ହଟାଇ ଗମନାଗମନ ସ୍ୱାଭାବିକ କରାଯାଇଛି ।
ଶେଷ ଖବର ସୁଦ୍ଧା ବାତ୍ୟା ଓଡ଼ିଶାରୁ ବହୁ ଦୂରକୁ ପଳାଇଛି । ରାତି ପ୍ରାୟ ସାଢେ଼ ୮ଟାବେଳେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସୁନ୍ଦରବନରେ ମାଡ଼ ହୋଇଥିଲା ‘ବୁଲ୍ବୁଲ୍’ର ବାହ୍ୟ ମଣ୍ଡଳ । ସ୍ଥଳଭାଗକୁ ପ୍ରବେଶ କରିଥିଲା ‘ବୁଲ୍ବୁଲ୍’ । ଉପକୂଳ ଅତିକ୍ରମ କରି ସ୍ଥଳଭାଗ ଭିତରକୁ ସମ୍ପୂର୍ଣ୍ଣ ପ୍ରବେଶ କରିବା ପାଇଁ ପ୍ରାୟ ୩ ଘଣ୍ଟା ଲାଗିଥିଲା । ସ୍ଥଳଭାଗ ଛୁଇଁଲାବେଳେ ୧୨୦-୧୩୦ କିମି ବେଗରେ ପବନ ବହିଥିଲା । ସର୍ବାଧିକ ବେଗ ୧୪୫ କିମିରେ ପହଞ୍ଚିଥିଲା । ଏଥିରେ ସୁନ୍ଦରବନ ଓ ସୀମାନ୍ତବର୍ତ୍ତୀ ଅଞ୍ଚଳ ପୂରା ଛାରଖାର କରି ଦେଇଛି ‘ବୁଲ୍ବୁଲ୍’ । ବହୁ ସଂଖ୍ୟାରେ ଗଛ ଭାଙ୍ଗିଥିବାବେଳେ ବନ୍ୟପ୍ରାଣୀଙ୍କ ଅବସ୍ଥା ସମ୍ପର୍କରେ କିଛି ଜଣାପଡ଼ିନି । ଏହି ଜାତୀୟ ଉଦ୍ୟାନରେ ୧୦୦ରୁ ଅଧିକ ମହାବଳ ବାଘ ଅଛନ୍ତି । ଆସନ୍ତାକାଲି ସକାଳେ ବନ୍ୟପ୍ରାଣୀଙ୍କ ସ୍ଥିତି ସମ୍ପର୍କରେ ସୂଚନା ମିଳିପାରେ ।

‘ବୁଲ୍ବୁଲ୍’ ଓଡ଼ିଶା ଉପକୂଳର ଅଧିକ ନିକଟକୁ ଆସିଥିଲା । ଯେଉଁଥିପାଇଁ ଉପକୂଳ ଓଡ଼ିଶାରେ କ୍ଷୟକ୍ଷତି ଅଧିକ ହୋଇଛି । ଶୁକ୍ରବାର ରାତିରେ ପଲାସା ଅତିକ୍ରମ କରିବା ପରେ ଦିଗ ବଦଳାଇଥିଲା ବାତ୍ୟା । ଉତ୍ତର-ପୂର୍ବ ଦିଗରେ ଗତି କରୁଥିବାବେଳେ ଅଚାନକ ଉତ୍ତର ପଶ୍ଚିମରେ ଚାଲିଥିଲା । ଏଥିଯୋଗୁ ବାତ୍ୟାର ଦ୍ୱିତୀୟ ମଣ୍ଡଳ ଓଡ଼ିଶା ଉପକୂଳ ଛୁଇଁଥିଲା । ପୂର୍ବରୁ ଅନୁମାନ କରାଯାଉଥିଲା, ‘ବୁଲ୍ବୁଲ୍’ ପାରାଦୀପଠାରୁ ୧୩୫ କିମି ଦୂରରେ ସମୁଦ୍ର ଭିତରେ ଆଗକୁ ବଢ଼ିବ । ମାତ୍ର ଏହି ଦୂରତା ଖସି ଆସିଥିଲା ୯୦ କିମିକୁ । ଅର୍ଥାତ୍ ପୂର୍ବାନୁମାନଠାରୁ ପ୍ରାୟ ୪୫ କିମି ପାଖକୁ ଆସିଥିଲା ‘ବୁଲ୍ବୁଲ୍’ । ଚାନ୍ଦବାଲିରେ ମଧ୍ୟ ବାତ୍ୟା ପୂର୍ବାନୁମାନଠାରୁ ଉପକୂଳର ଅଧିକ ନିକଟତର ହେଲା । ପ୍ରାୟ ୯୦ କିମି ପାଖକୁ ପଳାଇ ଆସିଥିଲା । ଯେଉଁଥିପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ବେଶି କ୍ଷତି ହୋଇଛି । ‘ବୁଲ୍ବୁଲ୍’ ଏଭଳି ଗତିପଥ ବଦଳାଇବାରୁ ବିଭିନ୍ନ ପାଣିପାଗ ମଡେଲ୍ର ପୂର୍ବାନୁମାନ ଭୁଲ୍ ପ୍ରମାଣିତ ହୋଇଛି । ଗତିପଥ ବଦଳିବା ପଛରେ ଏକ କାରଣ ରହିଛି । ପଶ୍ଚିମ ଭାରତରୁ ଶୁଷ୍କ ପବନ ଆସଥିଲେ, ଏହା ‘ବୁଲ୍ବୁଲ୍’କୁ ଓଡ଼ିଶା ଆସିବା ବାଟରେ ଜଗିଥାନ୍ତା । ଫଳରେ ‘ବୁଲ୍ବୁଲ୍’ ଓଡ଼ିଶାଠୁ ଦୂରରେ ଦୂରରେ ପଳାଇଥାନ୍ତା । ମାତ୍ର ଯେଉଁ ଶୁଷ୍କ ପବନ ବହୁଥିଲା, ତାହା ସେତେ ଶକ୍ତିଶାଳୀ ହେଲାନି । ଯେଉଁଥିପାଇଁ ‘ବୁଲ୍ବୁଲ୍’ର ବାହ୍ୟମଣ୍ଡଳ ପରିବର୍ତ୍ତେ ଦ୍ୱିତୀୟ ମଣ୍ଡଳ ଓଡ଼ିଶାରେ ଘଷି ହୋଇଗଲା । ତେଣୁ ପୂର୍ବାନୁମାନଠାରୁ ପବନର ବେଗ ବଢ଼ି ଯାଇଥିଲା ।
ବାତ୍ୟା ସ୍ଥିତି ପ୍ରଭାବ ବାବଦରେ ଆଜି କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅବଗତ କରାଯାଇଛି । ଫସଲ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ର ସରକାର ଏକ ଅନୁଧ୍ୟାନକାରୀ ଟିମ୍ ପଠାଇବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ବାତ୍ୟା ଓ ବର୍ଷା ଯୋଗୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ମୋଟ ୩୬୮୨ ଜଣ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ପଶ୍ଚିମବଙ୍ଗରୁ ଆସିଥିବା ୪୩ଟି ମାଛ ଧରା ଡଙ୍ଗା ଓ ସେଥିରେ ଥିବା ୩୮୧ଜଣ ମତ୍ସ୍ୟଜୀବୀ ଓ କର୍ମଚାରୀଙ୍କୁ ଧାମରା ମାଛଧରା ବନ୍ଦର ଓ ତାଳଚୁଆରେ ରଖାଯାଇଛି । ବାତ୍ୟା ପଳାଇବା ସହ ରାଜ୍ୟରେ ବର୍ଷା କମିଯାଇଛି । ଆସନ୍ତାକାଲି ପାଗ ଶୁଖିଲା ରହିବ । କାଁ ଭାଁ ବର୍ଷା ହୋଇପାରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons