ପଶ୍ଚିମବଙ୍ଗରୁ ଆସିଲେ ୩୦୦ ମହିଳା

Get real time updates directly on you device, subscribe now.

ଜୟପୁର: ଲଘୁଚାପଜନିତ ବର୍ଷା ପରେ ଜୟପୁର ଉପଖଣ୍ଡରେ ଏବେ ଆଗେଇ ଚାଲିଛି ଚାଷକାମ । କାଦୁଅ ପରେ ପଲା( ଧାନ ତଳି) ରୋଇବା କାମ ଆରମ୍ଭ ହୋଇଛି । ସାଧାରଣତଃ ପଲା ରୋଇବା କାମ କରିଥାନ୍ତି ମହିଳା କୃଷି ଶ୍ରମିକ । ସ୍ଥାନୀୟ ଅଞ୍ଚଳରେ ମହିଳା କୃଷି ଶ୍ରମିକଙ୍କ ଏବେ ଅଭାବ ଦେଖାଦେଇଛି । ଫଳରେ ପଶ୍ଚିମବଙ୍ଗରୁ ଆସିଛନ୍ତି ପ୍ରାୟ ୩୦୦ କୃଷି ଶ୍ରମିକ ।
ଚାଷୀଙ୍କ ସୂଚନା ଅନୁସାରେ, ଜୟପୁୁର ଉପଖଣ୍ଡରେ ଏକା ସମୟରେ ଚାଷ କାମ ଆରମ୍ଭ ହୋଇଥାଏ । କେନାଲ ଥିବାରୁ ସମସ୍ତେ ରବି ଫସଲ କରିଥାନ୍ତି । ଏହାପରେ ପାଣିପାଗ ଦେଖି ଖରିଫ ଫସଲ ପାଇଁ ଚାଷ କାମ ଆରମ୍ଭ କରିଥାନ୍ତି । ଏହି ଅଞ୍ଚଳରେ ଅଧିକାଂଶ ଚାଷୀ ହଳଲଙ୍ଗଳ ବଦଳରେ ଟ୍ରାକ୍ଟର ବ୍ୟବହାର କରୁଥିବାରୁ କୃଷି ଶ୍ରମିକଙ୍କ ଦରକାର ପଡି ନଥାଏ । କିନ୍ତୁ ପଲା ରୋଇବାକୁ ଶ୍ରମିକ ଦରକାର । ଏହି କାମ କେବଳ ମହିଳା ଶ୍ରମିକମାନେ ହିଁ କରିଥାନ୍ତି । ସ୍ଥାନୀୟ ଅଞ୍ଚଳର ମହିଳା ଶ୍ରମିକମାନେ ସହରକୁ ଯାଇ ବିଭିନ୍ନ ନିର୍ମାଣ କାମରେ ନିୟୋଜିତ ଥିବାରୁ ଜମିକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଜମିକୁ ଆସି କାଦୁଅରେ କାମ କରିବା ଅପେକ୍ଷା ନିର୍ମାଣ କାମକୁ ଅଧିକ ପସନ୍ଦ କରୁଛନ୍ତି । ନିର୍ମାଣ କାମରେ ଅଧିକ ପାରିଶ୍ରମିକ ବି ମିଳିଥାଏ । ଏଥିପାଇଁ ଦିନକୁ ଦିନ ମହିଳା ଶ୍ରମିକଙ୍କ ଅଭାବ ଦେଖାଦେଲାଣି ।
ମହିଳା କୃଷି ଶ୍ରମିକ ଅଭାବ ହେଉଥିବାରୁ ପଶ୍ଚିମବଙ୍ଗ ଅଞ୍ଚଳର କୃଷି ଶ୍ରମିକମାନେ ଏଠାକୁ ଗତ ୪ ବର୍ଷ ହେଲା ଆସୁଛନ୍ତି । କେତେକ ମଧ୍ୟସ୍ଥି ସେମାନଙ୍କୁ ଆଣି ଧାନପଲା ରୋଇବା କାମରେ ନିୟୋଜିତ କରୁଛନ୍ତି । ପଲା ଉପାଡିବା, ରୋଇବା ଇତ୍ୟାଦି କାମ କରିଥାନ୍ତି । ଏକର ପିଛା ସେମାନେ ୩ ହଜାର ୫ଶହ ଟଙ୍କା ନେଉଛନ୍ତି । ଦଳ ଦଳ ହୋଇ ସେମାନେ ବିଭିନ୍ନ ସ୍ଥାନରେ କାମ କରୁଛନ୍ତି । ସକାଳ ସାଢେ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କାମ କରୁଛନ୍ତି । ମଧ୍ୟାହ୍ନରେ କେବଳ ଖାଇବା ପାଇଁ କିଛି ସମୟ ବନ୍ଦ ରଖୁଛନ୍ତି । ସ୍ଥାନୀୟ ଶ୍ରମିକମାନେ କେବଳ ରୋଇବା ଲାଗି ଏକରକୁ ୩ ହଜାର ୫୦୦ ଟଙ୍କା ଓ ପରିବହନ କରିବା ଖର୍ଚ୍ଚ ଅଲଗା ନେଇଥାନ୍ତି । ଏଥିସହ ପଶ୍ଚିମବଙ୍ଗର ଶ୍ରମିକମାନେ ଯେଉଁ କାମ ଗୋଟିଏ ଦିନରେ କରନ୍ତି, ସେହି କାମକୁ ସ୍ଥାନୀୟ ଶ୍ରମିକମାନେ ୩ରୁ ୪ ଦିନ ଲଗାଇଦିଅନ୍ତି । ତ ଛଡ଼ା ସ୍ଥାନୀୟ କୃଷି ଶ୍ରମିକଙ୍କୁ ଖୁସାମଦ କରି ଆଣିବାକୁ ପଡିଥାଏ । ଏଥିପାଇଁ ଏବେ ଅଧିକାଂଶ ବଡ ଚାଷୀ ପଶ୍ଚିମବଙ୍ଗ କୃଷି ଶ୍ରମିକଙ୍କ ଉପରେ ଅଧିକ ନିର୍ଭର କରୁଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons