ରାଉରକେଲା,(ବି.ବି.ନୁ୍ୟଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସି ଜରିଆରେ ରାଜ୍ୟର ତୃତୀୟ ତଥା ପଶ୍ଚିମ ଓଡ଼ିଶାର ପ୍ରଥମ ପ୍ଲାଜ୍ମା ବ୍ୟାଙ୍କ୍ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଉଦ୍ଘାଟନ କରିଛନ୍ତି । ଏହା ଦ୍ୱାରା ପଶ୍ଚିମ ଓଡ଼ିଶାରେ ଗୁରୁତର କୋଭିଡ୍ ରୋଗୀମାନଙ୍କ ଚିକିତ୍ସାରେ ଅଧିକ ସଫଳତା ଆସି ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀର ସାମ୍ନା କରୁଥିବା ବେଳେ ଅଗଣିତ କୋଭିଡ୍ ରୋଗୀଙ୍କ ପାଇଁ ପ୍ଲାଜ୍ମା ଥେରାପି ଏକ ଆଶାର କିରଣ ହୋଇପାରିଛି । ଓଡ଼ିଶାରେ ପ୍ଲାଜ୍ମା ଥେରାପି ଏକ ସଫଳ ଚିକିତ୍ସା ପଦ୍ଧତି ରୂପେ ବିଶ୍ୱାସ ସୃଷ୍ଟି କରିଛି । ଏଥିପାଇଁ ସାରା ରାଜ୍ୟର ଲୋକଙ୍କ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ଆମର ପ୍ରତିଶ୍ରୁତିବଦ୍ଧତାକୁ କାର୍ଯ୍ୟକାରୀ କରିବାକୁ ଯାଇ ପ୍ଲାଜ୍ମା ଥେରାପିକୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ସମ୍ପ୍ରସାରିତ କରିବାକୁ ଆମେ ନିଷ୍ପତ୍ତି ନେଇଛୁ । କଟକ ଓ ଭୁବନେଶ୍ୱରରେ ଏହାର ସଫଳ ପ୍ରୟୋଗ ପରେ ପଶ୍ଚିମ ଓଡ଼ିଶାରେ ତୃତୀୟ ପ୍ଲାଜ୍ମା ବ୍ୟାଙ୍କ୍ ଉଦ୍ଘାଟିତ ହେବା ଖୁସିର କଥା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ପଦ୍ଧତି ଉପରେ ଜନସାଧାରଣର ବହୁତ ଆଶା ଓ ବିଶ୍ୱାସ ଥିବାରୁ ରାଉରକେଲା ଆଇଜିଏଚ୍ର ଦାୟିତ୍ୱ ଆଜି ଅନେକ ପରିମାଣରେ ବଢ଼ି ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ଜନସାଧାରଣଙ୍କ ଆଶୀର୍ବାଦରେ ଏହି ନୂଆ କେନ୍ଦ୍ର ଲୋକଙ୍କୁ ଉତ୍ତମ ସେବା ଦେବା ସହ ସେମାନଙ୍କ ଭରସାକୁ ପୂରଣ କରିବାରେ ସମ୍ପୂର୍ଣ୍ଣ ସଫଳ ହେବ ବୋଲି ଆଶା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ରାଜ୍ୟର ଜଣେ ବି ବ୍ୟକ୍ତି ସବୁ ଠାରୁ ଉତ୍ତମ ଚିକିତ୍ସା ପାଇବାରୁ କେବେ ବି ବଞ୍ଚିତ ହେବେ ନାହିଁ । ଆମର ଏହି ପ୍ରତିଶ୍ରୁତି ରାଜ୍ୟର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଉପରେ ଥିବା ଆଶା ଓ ଭରସା ଉପରେ ପର୍ଯ୍ୟବେଶିତ । ଏଭଳି ଆହ୍ୱାନମୂଳକ ସମୟରେ ସେମାନେ ବହୁତ ଭଲ କାମ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ରାଜ୍ୟର ସବୁ କୋଭିଡ୍ ଯୋଦ୍ଧାମାନଙ୍କ ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ପ୍ରଶଂସା କରିବା, ସେମାନଙ୍କୁ ସମର୍ଥନ ଦେବା ତଥା ଏପରି ସମୟରେ ସେମାନଙ୍କ ସହିତ ଦୃଢ଼ ଭାବେ ଠିଆ ହେବାରେ ତାଙ୍କ ସହ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ । ପ୍ଲାଜ୍ମା ଦାନ ଆଜି ଜନସାଧାରଣଙ୍କ ରୂପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଏବଂ ଏଥିପାଇଁ ରାଜ୍ୟ ସରକାର ପୁରା ସମର୍ଥନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ୭୦ଟି ପ୍ଲାଜ୍ମା ୟୁନିଟ୍ ସଂଗ୍ୟହୀତ ହୋଇଛି । ୮ ଜଣ ପ୍ଲାଜ୍ମା ଚିକିତ୍ସିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୭ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି । ଏହି ଉଦ୍ୟମକୁ ଆହୁରି ଆଗକୁ ନେବା ପାଇଁ ରାଜ୍ୟର ସବୁ ବିଧାୟକମାନଙ୍କୁ ପ୍ଲାଜ୍ମା ଦାନ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ଏବଂ ପ୍ଲାଜ୍ମା ଦାନକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ଅନୁରୋଧ ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଖୁବ ଶୀଘ୍ର ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜ ଓ ବୁର୍ଲାର ଭୀମ୍ସାର ଠାରେ ପ୍ଲାଜ୍ମା ଚିକିତ୍ସା କେନ୍ଦ୍ର ପ୍ରତିÂା ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ଦ୍ୱାରା ରାଜ୍ୟର ସବୁ ଅଞ୍ଚଳରେ ପ୍ଲାଜମା ଚିକିତ୍ସାର ସୁବିଧା ସହଜରେ ମିଳି ପାରିବ ଓ ଆମେ ସମସ୍ତେ ଆମର ଏକ ଗୁରୁଦାୟିତ୍ୱକୁ ପୂରଣ କରି ପାରିବୁ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ସେବାରେ ସବୁଠାରୁ ଉଚ୍ଚମାନ ବଜାୟ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ କରୋନାକୁ ହରାଇବାରେ ପ୍ଲାଜ୍ମା ଥେରାପିର ସଫଳତା ଦ୍ୱାରା ପଶ୍ଚିମ ଓଡ଼ିଶାବାସୀ ମଧ୍ୟ ଆଇଜିଏଚ୍ ପ୍ଲାଜ୍ମା ବ୍ୟାଙ୍କ୍ ଦ୍ୱାରା ବିଶେଷ ଉପକାର ପାଇବେ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ଲାଜ୍ମା ଦାନକୁ ଉତ୍ସାହିତ କରିବା ପରେ ଗୁରୁତ୍ୱାରୋପ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଇଜିଏଚ୍ରେ ପ୍ଲାଜ୍ମା ଥେରାପି ଉପରେ ସୂଚନା ଦେଇଥିଲେ । ରାଉରକେଲା ଇସ୍ପାତ କାରଖାନା (ଆରଏସ୍ପି) ନୂତନ ପ୍ଲେଟ୍ ମିଲ୍ ବିଭାଗର ଡେପୁଟି ମ୍ୟାନେଜର ସୀମାଞ୍ଚଳ ଗୌଡ ଆଇଜିଏଚ୍ରେ ପ୍ରଥମ ପ୍ଲାଜ୍ମା ଦାନ କରିଥିବା ବେଳେ ସେ କରୋନା ରୋଗ ସମ୍ପର୍କରେ ତାଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ ଏବଂ ସମସ୍ତଙ୍କୁ ପ୍ଲାଜ୍ମା ଦାନ କରିବା ପାଇଁ ଅନୁରୋଧ କରିଥିଲେ । ଏହି ଉଦ୍ଘାଟନ ଉତ୍ସବରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶ୍ରମ କର୍ମଚାରୀ ଓ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଉତ୍ତରାଞ୍ଚଳ ଆରଡିସି ନିରଞ୍ଜନ ସାହୁ, ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ, ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ଆରଏସ୍ପି ସିଇଓ ଦୀପକ ଚଟ୍ଟରାଜ, ସିଡିଏମ୍ଓ ଡା. ସରୋଜ କୁମାର ମିଶ୍ର, ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଆରଜିଏଚ୍ ଓ ଆଇଜିଏଚ୍ର ନିଦେ୍ର୍ଧଶକ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.