ପହଞ୍ଚିଲା ରୋଡ୍ ସୁଇପର୍ ମେସିନ୍

Get real time updates directly on you device, subscribe now.

ଜୟପୁର: ସହରର ମୁଖ୍ୟରାସ୍ତା ସହ ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ସଡ଼କରୁ ଆବର୍ଜନା ଉଠାଇବ ମେସିନ୍ । ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ପୌର କାର୍ଯ୍ୟାଳୟରେ ପହଞ୍ଚିଛି ଏଭଳି ଏକ ଯନ୍ତ୍ର । ଯାହାର ନାଁ ହେଉଛି ରୋଡ୍ ସୁଇପର୍ ମେସିନ୍ । ମେସିନ୍ରେ ଲାଗିଥିବା ୨ଟି ସାଇଡ୍ ଏବଂ ଗୋଟିଏ ସେଣ୍ଟ୍ରାଲ ବ୍ରସ୍ ସିଷ୍ଟମ୍ ରାସ୍ତା ସଫା କରିବ । ରାସ୍ତାରେ ପଡ଼ିଥିବା ଛୋଟ ଛୋଟ ଇଟା, ପଥର, ଧୂଳି ଏବଂ ଅଳିଆ ଉଠାଇବ ମେସିନ୍ରେ ଲାଗିଥିବା ଭ୍ୟାକୁ୍ୟମ କ୍ଲିନର୍ । ଜିଲ୍ଲା ମିନେରାଲ ଫଣ୍ଡରୁ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହି ମେସିନ୍ କିଣାଯାଇଛି । ପରିଚାଳନା ତାଲିମ୍ ପରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ମିନେରାଲ ଫଣ୍ଡରୁ ଜୟପୁର, କୋଟପାଡ଼ ଏବଂ କୋରାପୁଟ ପୌରସଂସ୍ଥା ପାଇଁ ଏଭଳି ୩ଟି ମେସିନ କିଣାଯାଇଛି । ଗତ ୨୬ ତାରିଖରେ ସ୍ଥାନୀୟ ପୌର କାର୍ଯ୍ୟାଳୟ ପରିସରରେ ଗୋଟିଏ ମେସିନ୍ ପହଞ୍ଚିଛି । ଦିଲ୍ଲୀର ଏକ କମ୍ପାନି ଏହି ମେସିନ୍ ଯୋଗାଇଛି । ଏହାର ପ୍ରକୃତ ନାଁ ହେଉଛି ଟ୍ରକ୍ ମାଉଣ୍ଟେଡ୍ ଭ୍ୟାକୁ୍ୟମ୍ ବେସ୍ ରୋଡ୍ ସୁଇପିଙ୍ଗ୍ ମେସିନ୍ । ସଂକ୍ଷେପରେ ରୋଡ୍ ସୁଇପର୍ ମେସିନ୍ । ଏକ ଭ୍ୟାନ ଉପରେ ମେସିନ୍ ଫିଟ୍ କରାଯାଇଛି । ଯାହାକୁ ଏକ ଡିଜେ ସେଟ୍ ବିଦୁ୍ୟତ୍ ଯୋଗାଇବ । ମେସିନ୍ର ତଳେ ରହିଛି ୧୬୦୦ ମିମିର ୨ଟି ସାଇଡ୍ ବ୍ରସ୍ ଏବଂ ୧୪୦୦ ମିମିର ଗୋଟିଏ ସେଣ୍ଟ୍ରାଲ ବ୍ରସ୍ । ମେସିନ୍ ଇଞ୍ଜିନର କ୍ଷମତା ରହିଛି ୪୫ ଏଚ୍ପି(ଅଶ୍ୱଶକ୍ତି) । ସାଇଡ୍ ବ୍ରସ୍ ଅଳିଆ, ପଲିଥିନ୍, ଜରି, ଧୂଳି, ଅଧାକେଜିରୁ କମ୍ ଓଜନର ଇଟା, ପଥର ଏବଂ ଅନ୍ୟାନ୍ୟ ସାମଗ୍ରୀ ମଝିକୁ ଆଣିବ । ସେଣ୍ଟ୍ରାଲ ବ୍ରସ୍ ଏହାକୁ ସଂଗ୍ରହ କରି ଏକାଠି କରିବ । ଭ୍ୟାକୁ୍ୟମ୍ ପାୱାର ଦ୍ୱାରା ସଂଗୃହୀତ ଆବର୍ଜନା ଗାଡ଼ି ଉପରେ ଥିବା ଏକ ଟାଙ୍କିରେ ରଖାଯିବ । ଟାଙ୍କି ପୂର୍ଣ୍ଣ ହୋଇଗଲେ ଡମ୍ପିଂ ପଏଣ୍ଟ କିମ୍ବା ଟ୍ରାକ୍ଟର ଡାଲାରେ ଅଳିଆ ଖାଲି କରାଯାଇ ପାରିବ । ଫୁଟପାଥ୍, ପିଚୁ, କଂକ୍ରିଟ୍ ରାସ୍ତା, ଜାତୀୟ ରାଜପଥ ଡିଭାଇଡର ସଫା ଲାଗି ଏହା ବ୍ୟବହାର କରାଯିବ । ଦିନେ ୨ ଦିନ ଭିତରେ କମ୍ପାନି କର୍ମଚାରୀ ଏଠାରେ ପହଞ୍ଚିବେ । ପୌର ସଫେଇ କର୍ମଚାରୀଙ୍କୁ ମେସିନ୍ ପରିଚାଳନା ସମ୍ପର୍କରେ ତାଲିମ୍ ଦେବେ । ମେସିନ୍ ଠିକ୍ରେ କାମ କରୁଛି ବୋଲି ପୌରସଂସ୍ଥାର ହୃଦବୋଧ ହେବା ପରେ କମ୍ପାନି କର୍ମଚାରୀଙ୍କୁ ଏନ୍ଓସି ମିଳିବ । ରକ୍ଷଣାବେକ୍ଷଣ ଏବଂ ମରାମତି ଲାଗି ବାହାରକୁ ନେବାକୁ ପଡ଼ିବନି । କମ୍ପାନି କର୍ମଚାରୀ ପୌର କାର୍ଯ୍ୟାଳୟକୁ ଆସି ମରାମତି କରିବେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।
ସୂଚନାଥାଉକି, ପୂର୍ବରୁ ପାୱାରଗ୍ରୀଡ୍ ପକ୍ଷରୁ ଏକ ରାସ୍ତା ସଫେଇ ମେସିନ୍ ପୌରସଂସ୍ଥାକୁ ପ୍ରଦାନ କରାଯାଇଥିଲା । ବର୍ଷ ବର୍ଷ ଧରି ଏହା କାର୍ଯ୍ୟାଳୟ ଗୋଦାମରେ ପଡି ରହିଥିଲା । ଏ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପରେ ମେସିନ୍କୁ ହାତଗଣତି କେତେଥର ରାସ୍ତାକୁ ଅଣାଯାଇଥିଲା । କିନ୍ତୁ ମେସିନ୍ଟି ଏଠାକାର ସଡ଼କ ଲାଗି ଉପଯୁକ୍ତ ପ୍ରମାଣିତ ହୋଇପାରିଲାନି । ଠିକ୍ରେ କାମ କରୁନଥିବାରୁ କର୍ମଚାରୀମାନେ ମଧ୍ୟ ଏହାକୁ ଚଲାଇବା ଲାଗି ଅନିଛୁକ ଥିଲେ । ଏହାକୁ ଆଖିରେ ରଖି ଉପରୋକ୍ତ ମେସିନ୍ ଅଣାଯାଇଛି । ଦେଖାଯାଉ, ଆସିଥିବା ଯନ୍ତ୍ରଟି ଏଠାକାର ସଡ଼କ ଲାଗି କେତେ ଉପଯୁକ୍ତ ସାବ୍ୟସ୍ତ ହେଉଛି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons