ପାଇଖାନାରେ ୪ ଶିଶୁଙ୍କ ସହିତ କଟୁଛି ଜୀବନ

Get real time updates directly on you device, subscribe now.

ଖାଇବାକୁ ନାହିଁ କି ପିନ୍ଧିବାକୁ ନାହିଁ
ମିଳୁନି ବିଧବା ଭତ୍ତା
କେନ୍ଦୁଝର,(ବି.ବି.ନ୍ୟୁଜ୍): ସମସ୍ତଙ୍କ ପାଇଁ ପକ୍କାଘର ଓ ମୁଣ୍ଡ ଉପରେ ଛାତ ସ୍ଲୋଗାନ ଆଜି ପ୍ରହସନ ପାଲଟିଛି । ସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ଆଦିବାସୀ ମହିଳା ତାଙ୍କର ୪ କନ୍ୟା ସନ୍ତାନଙ୍କୁ ନେଇ ସ୍ୱଚ୍ଛ ଭାରତ ଅଭିଯାନରେ ପାଇଥିବା ପାଇଖାନାରେ ମୁଣ୍ଡ ଗୁଞ୍ଜିଛନ୍ତି । ୫ କିଲୋ ରିହାତି ଚାଉଳରେ ୫ ପ୍ରାଣୀ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ପଞ୍ଚାୟତ ମୁଖ୍ୟାଳୟରୁ ମାତ୍ର ୨ କିମି ଏବଂ ସଦର ମହକୁମାର ଠାରୁ ୪ କିମି ଦୂରରେ ଏହି ବିଧବା ଏଭଳି ଜୀବନ କାଟୁଥିବା ବେଳେ ପ୍ରଶାସନ ନିକଟରେ ଖବର ପହଞ୍ଚି ପାରୁନାହିଁ । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ସଦର ବ୍ଲକ ଶିରିଷପାଳ ପଞ୍ଚାୟତର ରାଙ୍କି ଗ୍ରାମରେ ଦେଖିବାକୁ ମିଳିଛି ।
ରାଙ୍କି ଗ୍ରାମର ମୁଣ୍ଡାସାହିରେ ପ୍ରାୟ ୫୦ ଆଦିବାସୀ ମୁଣ୍ଡା ପରିବାର ବାସ କରୁଛନ୍ତି । ପଦିଆ ମୁଣ୍ଡା ନାମକ ଜଣେ ଯୁବକ ପତ୍ନୀ ରଇବାରୀ ଏବଂ ୪ଟି କନ୍ୟା ସନ୍ତାନକୁ ନେଇ ଏହି ଅଞ୍ଚଳରେ ବସବାସ କରୁଥିଲେ । ଦେଢ଼ବର୍ଷ ତଳେ ପଦିଆ କୌଣସି କାରଣରୁ ଆନନ୍ଦପୁର ଅଞ୍ଚଳକୁ ଯାଇଥିବା ବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ । ସ୍ୱାମୀ ମୃତ୍ୟୁ ସମୟରେ ସାନଝିଅ ୨ ମାସର ହୋଇଥିଲା । ବଡ଼ଝିଅର ଏବେ ବୟସ ୫ ବର୍ଷ, ୨ ଝିଅ ଯମଜ । ସେମାନଙ୍କର ମଧ୍ୟ ବୟସ ୪ । ସ୍ୱାମୀ ରୋଜଗାରରେ ସମଗ୍ର ପରିବାର ଚଳୁଥିଲା । ହଠାତ୍ ପଦିଆଙ୍କ ମୃତ୍ୟୁ ପରେ ୪ ସନ୍ତାନଙ୍କ ବୋଝ କେବଳ ରଇବାରୀଙ୍କ ଉପରେ ପଡ଼ିଲା । ୪ ଛୋଟ ପିଲାଙ୍କୁ ଛାଡ଼ି ମୂଲ ଲାଗି ଯାଇପାରିଲେନି । ଏହି ପରିବାର ପୂର୍ବରୁ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ କିଲୋ ରିହାତି ଚାଉଳ ପାଉଥିଲେ । ପଦିଆଙ୍କ ମୃତ୍ୟୁ ପରେ ପ୍ରଶାସନ ୫ କିଲୋ ଚାଉଳ କାଟି ଦେଇଥିଲା । ରୋଜଗାର ନଥିବାରୁ ଭଙ୍ଗା ଦଦରା ଘର ମରାମତି କରି ପାରିଲେନି, ମାଟିରେ ମିଶିଗଲା । ଫଳରେ ୫ ପ୍ରାଣୀଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଏବେ ସ୍ୱଚ୍ଛ ଭାରତ ଅଭିଯାନ ପାଇଖାନା ହିଁ ଭରସା । ଏହି ୪ ଫୁଟ୍ ଲମ୍ବ ଓ ୩ ଫୁଟ୍ ଓସାର ପାଇଖାନାରେ ପଶୁଙ୍କ ଭଳି ଜାକିଜୁକି ରହୁଛନ୍ତି ଏହି ଆଦିବାସୀ ପରିବାର ।
ଖାଲି ଏତିକି ନୁହେଁ ୫ ଜଣଙ୍କୁ ଅନେକ ସମୟରେ ଖାଇବାକୁ ମିଳୁନି । ୫ କିଲୋ ଚାଉଳ ସରିଗଲେ ଅନାହାରରେ ମଧ୍ୟ ସମୟ ବିତୁଛି ବୋଲି ରଇବାରୀ କୁହନ୍ତି । ସାଇପଡ଼ିଶାଙ୍କ ସହାୟତାରେ ଶିଶୁଙ୍କ ଜୀବନ ବଞ୍ଚାଇ ରଖିଛନ୍ତି । ଛୋଟ ପିଲା ଥିବାରୁ କୌଣସି କାମଧନ୍ଦା ତାଙ୍କୁ ମିଳିପାରୁନି । ଅତି ଦୟନୀୟ ଭାବେ ଜୀବନ କାଟୁଥିବା ଅଭାବୀ ପରିବାର ପ୍ରତି ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଆଖିବୁଜି ଦେଇଥିବା ପରିତାପର ବିଷୟ ବୋଲି ସ୍ଥାନୀୟ ଅଞ୍ଚଳର ସମାଜସେବୀ ପୂର୍ଣ୍ଣ ରାଉତ କହିଛନ୍ତି । ପଡ଼ୋଶୀ ଡାବ ମୁଣ୍ଡା ଓ ରଜନୀ ମୁଣ୍ଡା ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ବିଶେଷ କରି ବର୍ଷା ହେଲେ ପରପିଣ୍ଡାରେ ସେମାନେ ଆଶ୍ରୟ ନେଇଥାନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।
ବିଧବା ଭତ୍ତା ପାଇଁ ଅନେକ ଗୁହାରି କରି ମଧ୍ୟ ସେ ସଫଳ ହୋଇପାରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବ ଚନ୍ଦ୍ର ମାଝୀଙ୍କୁ ପଚାରିବାରୁ ଖବରପାଇବା ପରେ ସଦର ବିଡିଓଙ୍କୁ ଘଟଣାସ୍ଥଳକୁ ପଠାଇଥିବା କହିଛନ୍ତି । ବିଡିଓ ରିପୋର୍ଟ ଦେବା ପରେ ରଇବାରୀକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ । ବାସଗୃହ ସହିତ ବିଧବା ଭତ୍ତା ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ଚାଉଳର ବ୍ୟବସ୍ଥା କରାଯିବ ବୋଲି ଡ. ମାଝୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons