ପାଇପ୍ରେ କ୍ଷୀର ପିଉଛନ୍ତି ମହାଦେବ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): କରୋନା ପ୍ରଭାବ ଯେ କେବଳ ମଣିଷ ଉପରେ ପଡ଼ିଛି ତା ନୁହେଁ । ଏଥିରୁ ମହାପୁରୁ ବି ବାଦ୍ ପଡ଼ିନାହାନ୍ତି । ନା ଅଛନ୍ତି ବୋଲବମ୍ ଭକ୍ତ ନା ଶୁଭୁଛି ବୋଲ୍ ବମ୍, ହର ହର ବମ୍ ଧ୍ୱନି । ଖାଁ ଖାଁ ଶିବ ମନ୍ଦିର । ଏମିତିକି ନନାଙ୍କ ଦେଖା ମିଳୁନି । କେବଳ ଦାନବାକ୍ସ ଓ ଥାଳିଟିଏ ରଖିଦେଇ ବଡ଼ି ଭୋର୍ରୁ ଚମ୍ପଟ ମାରୁଛନ୍ତି ନନା । ନା ଭଙ୍ଗାଯାଉଛି ନଡ଼ିଆ ନା ଦିଆଯାଉଛି ପାଦୁକା । କରୋନା କଟକଣା ଲାଗି ଏସବୁ ବନ୍ଦ ରଖାଯାଇଛି । କେବଳ ମନ୍ଦିର ଖୋଲାଯାଇ ନିତିକାନ୍ତି କରାଯାଉଛି । ନିତିକାନ୍ତି ସରିଗଲା ପରେ ମହାଦେବଙ୍କ ମସ୍ତକ ଉପରୁ ତାଙ୍କ ବାହନ ବୃଷଭ ପର୍ଯ୍ୟନ୍ତ ଲଟକାଇ ଦିଆଯାଉଛି ଏକ ପିତଳ ପାଇପ୍ । ଯଦି କେହି ଭକ୍ତ ଆସୁଛନ୍ତି, ମନ୍ଦିର ଗର୍ଭଦ୍ୱାରରେ ରହି ପାଇପ୍ ଆରମ୍ଭରେ ଢାଳୁଛନ୍ତି କ୍ଷୀର ଏବଂ ପଇଡ଼ ପାଣି । ତାହା ସିଧାସଳଖ ଯାଇ ପହଞ୍ଚୁଛି ମହାଦେବଙ୍କ ମସ୍ତକ ଉପରେ ଝୁଲୁଥିବା ଗଡ଼ୁରେ । ସେଥିରୁ ଥପ୍ ଥପ୍ ହୋଇ ପ୍ରଭୁଙ୍କ ମସ୍ତକରେ ପଡ଼ୁଛି କ୍ଷୀର ଓ ପଇଡ଼ ପାଣି । ତା ପରେ ରଖାଯାଇଥିବା ଥାଳିରେ ଦକ୍ଷିଣା ବାବଦରେ କେଇଟା ଟଙ୍କା ରଖିଦେଇ ଚାଲି ଆସୁଛନ୍ତି ଭକ୍ତ । ବାସ୍ ଏମିତିରେ ଚାଲିଛି ଶ୍ରାବଣ ମାସରେ ପୂଣ୍ୟ ଅର୍ଜିବା । ବିକଳ୍ପ ବ୍ୟବସ୍ଥା କରି ନନା ଖୁସ୍ । ଆଉ ନାହିଁ ମାମୁଠାରୁ କଣାମାମୁ ନ୍ୟାୟରେ ଭକ୍ତ ବି ଖୁସ୍ । ଖୋଦ୍ ମହାଦେବଙ୍କୁ ପାଇପ୍ରେ ପଇଡ଼ ଏବଂ କ୍ଷୀର ପିଉଥିବା ଦେଖି ଅନେକ ବୃଦ୍ଧବୃଦ୍ଧାଙ୍କ ଭିତରେ ଚାଲିଛି ଗୋଟିଏ ଚର୍ଚ୍ଚା- ଘୋର୍ କଳିକାଳ । ଆଉ ଦୁନିଆ ରହିବ?

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons