ପାକ୍ର ନୂଆ ହ୍ୱାଟସଆପ୍ ଗ୍ରୁପ ‘କେବିସି ଅନଲାଇନ’

Get real time updates directly on you device, subscribe now.

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟସ୍ଆପ୍ ମାଧ୍ୟମରେ ସେନାର ଗୋପନ ତଥ୍ୟ ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ସେନା ପକ୍ଷରୁ ଏହା ସବୁ ଅଫିସର ଓ ଯବାନଙ୍କୁ ଏଥିରୁ ଦୂରେଇ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶ ଅନୁସାରେ ଅନେକ ସେନା ଅଫିସର ଓ ଯବାନ ନିଜ ମଧ୍ୟରେ ସେୟାର କରାଯାଉଥିବା ହ୍ୱାଟସଆପ୍ ଗ୍ରୁପ୍ ଛାଡିଦେଇଛନ୍ତି । ହେଲେ ବର୍ତ୍ତମାନ ପାକିସ୍ତାନର କିଛି ବ୍ୟକ୍ତି ନକଲି ହ୍ୱାଟସଆପ୍ ଗ୍ରୁପ୍ ଖୋଲି ଭାରତୀୟ ସେନା ଅଧିକାରୀ ଓ ଯବାନଙ୍କ ସହ ଯୋଡିହେବାକୁ ପ୍ରୟାସ କରୁଛନ୍ତି । ଏହାରି ମାଧ୍ୟମରେ ସେମାନେ ସେନା ସହ ଜଡିତ ଗୋପନ ତଥ୍ୟ, ଫଟୋ ଓ ଭିଡିଓ ହାତେଇବାକୁ ଚେଷ୍ଟା କରୁଥିବା ଘଟଣା ସାମ୍ନାକୁ ଆସିଛି ।
ପାକିସ୍ତାନରୁ ଆସୁଥିବା ଏହି ହ୍ୱାଟସଆପ୍ ଗ୍ରୁପ୍ର ନାମ ରଖାଯାଇଛି କେବିସି (କୌନ ବନେଗା କରୋଡପତି) ଅନଲାଇନ । ଏହା ପଛରେ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ହାତ ରହିଥିବା ଆଶଙ୍କା କରାଯାଉଛି । ଏକଥା ଜଣାପଡିବା ପରେ ଏଥିରୁ ଦୂରେଇ ରହିବା ଲାଗି ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ) ଏହାର ସମସ୍ତ ଅଫିସର ଓ ଯବାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଛି । ବିଏସ୍ଏଫ ପକ୍ଷରୁ ବିଭିନ୍ନ ୟୁନିଟ୍ ଓ କେନ୍ଦ୍ରମାନଙ୍କୁ ପଠାଯାଇଥିବା ଏକ ନୋଟିସ୍ରେ ଆଶଙ୍କା ପ୍ରକାଶ କରାଯାଇଛି ଯେ ପାକିସ୍ତାନରୁ ଆସୁଥିବା ଏହି ହ୍ୱାଟସଆପ୍ ଗ୍ରୁପ୍ ସେନା ଓ ସାମରିକ ପ୍ରତିଷ୍ଠାନର ଗୋପନ ତଥ୍ୟ ହାସଲ କରିବା ଲାଗି ଉଦ୍ଦିଷ୍ଟ । ଯେଉଁଥିରେ ପାକିସ୍ତାନର ଏକ ମୋବାଇଲ ଫୋନ୍ ନମ୍ବର ୍ମ୯୨୩୦୮୫୭୬୩୬୭୭ ବ୍ୟବହାର କରାଯାଇଛି । ଏହି କେବିସି ଅନ୍ଲାଇନ ଗ୍ରୁପ୍ ବିଏସ୍ଏଫ ଯବାନଙ୍କୁ ନିଜ ଗ୍ରୁପ୍ରେ ଯୋଡିବାକୁ ପ୍ରୟାସ କରୁଛି । ସେଥିପାଇଁ ଏହି ଗ୍ରୁପ୍ରେ ଆକର୍ଷକ ଲିଙ୍କ ମଧ୍ୟ ପଠାଯାଉଛି । ଯଦି କେହି ସେହି ଲିଙ୍କ୍କୁ କ୍ଲିକ୍ କରୁଛନ୍ତି ତେବେ ତାହା ପାକିସ୍ତାନରେ ଥିବା ଡିଭାଇସ୍ (ଉପକରଣ) ସହିତ ଯୋଡିହୋଇଯାଉଛି । ଯାହାଫଳରେ ସେହି ଗ୍ରୁପ୍ରେ ସେୟାର ହେଉଥିବା ସବୁ ମେସେଜ, ଫଟୋ, ଭିଡିଓ ଆଦି ପାକିସ୍ତାନକୁ ଚାଲିଯିବାର ସମ୍ଭାବନା ରହିଛି । ତେଣୁ ନିଜ ୟୁନିଟ୍ କିମ୍ବା କେନ୍ଦ୍ର ଅଧୀନରେ କ।।ର୍ଯ୍ୟ କରୁଥିବା ଅଫିସର ଓ ଯବାନଙ୍କୁ ଏହି ସନ୍ଦିଗ୍ଧ ହ୍ୱାଟସଆପ୍ ଗ୍ରୁପ୍ ସମ୍ପର୍କରେ ଜଣାଇବା ସହିତ ସେମାନଙ୍କୁ ଏଥିରୁ ଦୂରେଇ ରହିବା ଓ ସଚେତନ କରିବା ଲାଗି ବିଏସ୍ଏଫ ପଠାଇଥିବା ଉକ୍ତ ନୋଟିସରେ ଜଣାଇଛି ।
ଭାରତରେ ପ୍ରସାରଣ ହେଉଥିବା ଲୋକପ୍ରିୟ ରିୟଲିଟି ଟେଲିଭିଜନ ଶୋ’ କେବିସିର ନୂତନ ସଂସ୍କରଣ ଆସନ୍ତା ଅଗଷ୍ଟ ମାସରୁ ପ୍ରସାରଣ ହେବାକୁ ଯାଉଛି । ଏଭଳି ସମୟରେ ସେହି ନାମରେ ପାକିସ୍ତାନରୁ ଆସିଥିବା ଏହି କେବିସି ହ୍ୱାଟସଆପ୍ ଗ୍ରୁପ୍ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାର ସମ୍ଭାବନା ରହିଛି । ସେହିଭଳି ନିଜ ୟୁନିଟ୍ କିମ୍ବା ବାଟାଲିୟନ୍ ଭିତରେ ହ୍ୱାଟସଆପ୍ ଗ୍ରୁପ୍ ଗଠନ କରି ତାକୁ ବ୍ୟବହାର କରୁଥିବା ସେନା ଅଫିସର ଓ ଯବାନଙ୍କୁ ପୂର୍ବରୁ ସତର୍କ କରାଇ ଦିଆଯାଇଥିଲା । ସେନା ମୁଖ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ ହ୍ୱାଟସଆପ୍ ଗ୍ରୁପ୍ ଦ୍ୱାରା ଅଫିସର ଓ ଯବାନମାନେ ହନିଟ୍ରାପର ଶିକାର ହେବାର ଆଶଙ୍କା ରହିଛି ବୋଲି କୁହାଯାଇଥିଲା । ସେନା ଅଫିସରମାନେ ସେମାନଙ୍କ ପୋଷ୍ଟିଂ ଓ ସୈନ୍ୟ ଗତିବିଧି ସମ୍ପର୍କରେ ହ୍ୱାଟସଆପ୍ ଗ୍ରୁପ୍ରେ ତଥ୍ୟ ଆଦାନ ପ୍ରଦାନ କରୁଥିବାରୁ ତାକୁ ଚୀନ୍ ଓ ପାକିସ୍ତାନ ଭଳି ଶତ୍ରୁମାନେ ଟ୍ରାକ୍ କରିବାର ଆଶଙ୍କା ଦେଖାଦେଇଥିଲା । ଏପରିକି ଯୁଦ୍ଧଜାହାଜର ଅବସ୍ଥିତି, ସେନା ବାଟାଲିୟନ ମୁତୟନ, ସୈନିକଙ୍କ ଗତିବିଧି ଓ ପାଟ୍ରୋଲିଂ ଆଦି ତଥ୍ୟ ସୋସିଆଲ ନେଟୱାର୍କିଂ ସାଇଟ୍ରେ ସେୟାର କରିବା ଅଭିଯୋଗରେ କେତେକ ସେନା ଅଧିକାରୀ କୋର୍ଟ ମାର୍ଶଲର ସମ୍ମୁଖୀନ ମଧ୍ୟ ହୋଇଥିଲେ । ତେବେ ସେନାର ଏଭଳି ନିର୍ଦ୍ଦେଶନାମାକୁ ଗ୍ରହଣ କରିଥିଲେ ମଧ୍ୟ କିଛି ଅଫିସର ଆପତ୍ତି ଉଠାଇଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons