ନୟାଗଡ଼,(ବି.ବି.ନ୍ୟୁଜ୍): ଜେଲ୍ରେ ସୁରକ୍ଷା ବ୍ୟବସ୍ଥା ଢିଲା । ଏହାର ସୁଯୋଗରେ ଜଣେ ବିଚାରାଧୀନ କଏଦୀ ଦ୍ୱିତୀୟ ଥର ପାଇଁ ଆଜି ପାଚେରି ଡେଇଁ ଫେରାର ହୋଇଯାଇଛି । ଏଭଳି ଘଟଣା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସ୍ଥିତ ଉପକାରାଗାରରେ ଘଟିଛି ।
ଶନିବାର ଜିଲ୍ଲା ଜଜ୍ଙ୍କ ଉପକାରାଗାର ପରିଦର୍ଶନ କାର୍ଯ୍ୟକ୍ରମ ଥିବାରୁ ଜେଲ୍ ଭିତରେ ଅନାବନା ଘାସ ସଫା କରିବାରେ ଅନ୍ୟ ଦୁଇ କଏଦୀଙ୍କ ସହ ବିଚାରାଧୀନ କଏଦୀ ତପନ ରାଉତ(୨୭) ସାମିଲ ହୋଇଥିଲା । ଜେଲ୍ ଡାକ୍ତର କଏଦୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଡ଼୍ୟୁଟିରେ ଥିବା କର୍ମଚାରୀମାନେ ବ୍ୟସ୍ତ ଥିଲେ । ଏହାର ସୁଯୋଗରେ ତପନ ପୂର୍ବାହ୍ନ ପ୍ରାୟ ୯ଟା ୫୦ରେ ଜେଲ୍ କାନ୍ଥ ଡେଇଁ ଫେରାର ହୋଇଯାଇଥିଲା । ସହକାରୀ ଜେଲର ତଥା ଭାରପ୍ରାପ୍ତ ସୁପରିଣ୍ଟେଣ୍ଡେଣ୍ଟ ସାରଦା ପ୍ରସନ୍ନ ରାଉତଙ୍କ ଅଭିଯୋଗ କ୍ରମେ ଖଣ୍ଡପଡ଼ା ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ, ଫତେଗଡ଼ ଥାନା ଅନ୍ତର୍ଗତ କରବର ଗ୍ରାମ ହାଡ଼ୁଆସାହିର ଅରକ୍ଷିତ ରାଉତଙ୍କ ପୁଅ ତପନ ଜୁନ୍ ୯ରେ ବଳାକ୍ରାର ମାମଲାରେ ଖଣ୍ଡପଡ଼ା ଉପକାରାଗାରକୁ ଆସିଥିଲା । ୧୦ ତାରିଖ ମଧ୍ୟାହ୍ନଭୋଜନ ସମୟରେ ତପନ ପାଚେରି ଡେଇଁ ଫେରାର ହୋଇଯାଇଥିଲା । ପୁଲିସ୍ ବହୁ ଖୋଜାଖୋଜି କରି ୧୧ ତାରିଖ ତାକୁ ତା ଘରୁ ଧରିଥିଲା । ୧୨ ତାରିଖ ପୁଣି ସେ ଖଣ୍ଡପଡ଼ା ଉପକାରାଗାରକୁ ଆସିଥିଲା । ତପନ ଫେରାର ହେବା ଅଭିଯୋଗରେ ଡ଼୍ୟୁଟିରେ ଥିବା ୱାର୍ଡର ଅଜୟ କୁମାର ମଲ୍ଲିକ ଅଦ୍ୟାବଧି କାର୍ଯ୍ୟରୁ ନିଲମ୍ବିତ ଅଛନ୍ତି ।


Comments are closed, but trackbacks and pingbacks are open.