ପାଟଣାଗଡ଼ ବିଧାୟକଙ୍କୁ ଜାମିନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଯନ୍ତ୍ରୀଙ୍କୁ ବସଉଠ କରାଇବା ଘଟଣାରେ ଗିରଫ ହୋଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ୨୫ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଳରେ ତାଙ୍କୁ ଜାମିନ ମିଳିଛି । ଏଥିରେ ପୁଲିସ୍କୁ ତଦନ୍ତରେ ସହଯୋଗ କରିବା, ଅଭିଯୋଗକାରୀଙ୍କୁ କୌଣସି ଧମକ ଚମକ ନ ଦେବା ଓ ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ବିଧାୟକ ଶ୍ରୀ ମେହେରଙ୍କୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଜାମିନ ପାଇ ବିଧାୟକ ଶ୍ରୀ ମେହେର ଆଶ୍ୱସ୍ତି ଲାଭ କରିଛନ୍ତି ।
ଜୁନ ୪ ତାରିଖରେ ବଲାଙ୍ଗିର ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁ’ରେ ଏକ ନିମ୍ନମାନର ରାସ୍ତା କାମକୁ ନେଇ ସର୍ବସମ୍ମୁଖରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ବସଉଠ କରାଇଥିଲେ ବିଧାୟକ ଶ୍ରୀ ମେହେର । ଜୁନ ୨୪ ତାରିଖରେ ପୁଲିସ୍ ତାଙ୍କୁ ଗିରଫ କରି ପାଟଣାଗଡ଼ ଜେଲ୍କୁ ପଠାଇଥିଲା । ହେଲେ ସେଠାରେ ସ୍ଥାୟୀ ହାଇକୋର୍ଟ ଦାବିରେ ଆଇନ୍ଜୀବୀମାନେ ଆନ୍ଦୋଳନ ଚଲାଇଥିବାରୁ ତାଙ୍କ ଜାମିନ୍ ଆବେଦନର ଶୁଣାଣି ହୋଇ ପାରିନଥିଲା । ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥବା ସବୁ ମାମଲାର ବିଚାର ପାଇଁ ଭୁବନେଶ୍ୱରରେ ଜଣେ ସ୍ପେଶାଲ୍ ଜଜଙ୍କୁ ନିଯୁକ୍ତି ଦିଆଯାଇଛି । ସେଥିପାଇଁ ଶ୍ରୀ ମେହେରଙ୍କ ମାମଲା ଭୁବନେଶ୍ୱର ଏଡିଜେ-୨କୁ ସ୍ଥାନାନ୍ତରିତ ହୋଇଥିଲା । ପାଟଣାଗଡ଼ରୁ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ଏଠାରେ ମଧ୍ୟ ଆଇନଜୀବୀ ଆନ୍ଦୋଳନ ଚଳାଇଥିବାରୁ ବିଚାରପତି ଶୁଣାଣି ୫ ତାରିଖକୁ ଘୁଞ୍ଚାଇ ଦେଇଥିଲେ ।
ତେବେ ୫ ତାରିଖରେ ମଧ୍ୟ ଓକିଲଙ୍କ ଆନ୍ଦୋଳନ ଜାରି ରହିଥିଲା । ସେପଟେ ପାଟଣାଗଡ଼ ପୁଲିସ୍ ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିନଥିଲେ । ଭିଡିଓ କନ୍ଫରେନ୍ସି ମାଧ୍ୟମରେ ବିଧାୟକଙ୍କୁ କୋର୍ଟରେ ହାଜର କରା ଯାଇଥିଲା । ହେଲେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇ ପାରିନଥିଲା । ୫ ତାରିଖ ବିଳମ୍ବିତ ରାତିରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ୬ ତାରିଖ ଦିନ ପୂର୍ବାହ୍ଣରେ ଶ୍ରୀ ମେହେର ଭିଡ଼ିଓ କନ୍ଫରେନି୍ସଂ ମାଧ୍ୟମରେ ପୁଣି ହାଜର ହୋଇଥିଲେ । ବିଚାରପତି ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ବିଧାୟକ ଝାରପଡ଼ା ଜେଲ୍ରୁ ବାହାରିଥିଲେ । ଜେଲ୍ ବାହାରେ ତାଙ୍କର କିଛି ସମର୍ଥକ ଉପସ୍ଥିତ ଥିଲେ । ଗଣମାଧ୍ୟମକୁ କିଛି ଉତ୍ତର ନ ଦେଇ ବିଧାୟକ ଚାଲି ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons