ବ୍ରହ୍ମପୁର, (ବି.ବି.ବୁ୍ୟରୋ): ଗୋଟିଏ ପଟେ କ୍ରାଇମ୍ବ୍ରାଞ୍ଚ୍ ଟିମ୍, ଆରପଟେ ଏସ୍ଆଇଟି । ବରିÂ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଓ ଆକାଶ ପାଠକ ବାପା- ପୁଅଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ଖୋଳତାଡ଼କୁ ବ୍ୟାପକ କରାଯାଇଛି । ମଙ୍ଗଳବାର ଲଗାତାର ତୃତୀୟ ଦିନ ପାଇଁ ବ୍ରହ୍ମପୁର ପୁଲିସ ଜିଲ୍ଲା ମୁଖ୍ୟାଳୟରେ ଏସ୍ଆଇଟି ଅଧିକାରୀମାନେ ପଚରାଉଚୁରା କରିଛନ୍ତି । ସେପଟେ ଅଭୟକାନ୍ତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଗଠିତ ଏସ୍ଆଇଟି ମଙ୍ଗଳବାର ବ୍ରହ୍ମପୁରରେ ପହଞ୍ଚି ତନାଘନା ଆରମ୍ଭ କରିଛି । ସିଆଇଡି- କ୍ରାଇମ୍ବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା ନିଜେ ଏହାର ତଦାରଖ କରିଛନ୍ତି ।
ବରିÂ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ତଦନ୍ତ ଜୋର୍ ଧରିଛି । ସେ ୨୦୦୬-୧୩ ମସିହା ମଧ୍ୟରେ ବ୍ରହ୍ମପୁରରେ ଡିଏଫ୍ଓ ଏବଂ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି) ସାଧାରଣ ପରିଚାଳକ ଭାବେ କାର୍ଯ୍ୟରତ ଥିଲେ । ତେଣୁ ୯ ଜଣିଆ ସ୍ୱତନ୍ତ୍ର ଯାଞ୍ଚ ଟିମ୍ (ଏସ୍ଆଇଟି) ମଙ୍ଗଳବାର ବ୍ରହ୍ମପୁରରେ ତନାଘନା କରିଛି । ବ୍ରହ୍ମପୁର ଡିଏଫ୍ଓ ଅଫିସ୍, ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି) କାର୍ଯ୍ୟାଳୟରେ ଅଧିକାରୀଙ୍କୁ ପଚରାଉଚୁରା କରିଛି । ଏଏସ୍ପି ଶାନ୍ତନୁ ପାଢୀଙ୍କ ନେତୃତ୍ୱରେ ଡିଏସ୍ପି ରଞ୍ଜନ କୁମାର ଦାଶ ଓ ସନ୍ଧ୍ୟାରାଣୀ ସାହୁଙ୍କ ତତ୍ତ୍ୱାବଧାନରେ ଗଠିତ ଏସ୍ଆଇଟି ବ୍ରହ୍ମପୁରରେ ତନାଘନା ଚଳାଇଛି । ସାରା ରାଜ୍ୟର ୮ଟି ସ୍ଥାନରେ ଏଭଳି ଯାଞ୍ଚ ଚାଲିଥିବା ସୂଚନା ମିଳିଛି । ଅଭୟ ପାଠକ ବ୍ରହ୍ମପୁରରେ କାର୍ଯ୍ୟରତ ଥିବା ବେଳେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିଲା । ତେଣୁ ତାହାର କାଗଜପତ୍ର ଯାଞ୍ଚ କରିବା ସାଙ୍ଗକୁ ଦାୟିତ୍ୱରେ ଥିବା ଅଧିକାରୀ ତଥା କର୍ମଚାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ସେହିପରି ବନ ବିଭାଗ ଦ୍ୱାରା ସହରର କେତେକ ଡାକଘର ଓ ଷ୍ଟେଟ୍ ବ୍ୟାଙ୍କ୍ରେ ଅର୍ଥ ଜମା ରଖାଯାଇଥିବାରୁ ସେଠାକୁ ମଧ୍ୟ ଯାଇ ଏସ୍ଆଇଟି ତଦନ୍ତକାରୀ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି । ପାଠକଙ୍କ ନାମରେ ଚାରାରୋପଣ ଦୁର୍ନୀତି ଅଭିଯୋଗ ଉଠିଥିବାରୁ ସେ ବାବଦରେ ଓଏଫ୍ଡିସି କାର୍ଯ୍ୟାଳୟରେ ତନାଘନା କରିବା ସହ ପାଠକ ଏଠି ଡିଏଫ୍ଓ ଥିବା ସମୟରେ କୌଣସି ଅନିୟମିତତା ଘଟିଥିଲା କି ସେ ବାବଦରେ ତଥ୍ୟ ସଂଗ୍ରହ ପାଇଁ ଚେଷ୍ଟା କରିଛି ଏସ୍ଆଇଟି । ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଚଢଉରୁ ମିଳିଥିବା ତଥ୍ୟ ସହ ବ୍ରହ୍ମପୁରର ତଥ୍ୟ ସାମିଲ୍ କରି ତର୍ଜମା କରାଯିବ ବୋଲି ଜଣାଯାଇଛି ।
ଅପରପକ୍ଷରେ ସ୍ଥାନୀୟ ଜିଲ୍ଲା ପୁଲିସ ମୁଖ୍ୟାଳୟ ପରିସରସ୍ଥିତ ଆଇପିଏସ୍ ମେସ୍ରେ କ୍ରାଇମ୍ବ୍ରାଞ୍ଚ୍ର ୧୦ ଜଣିଆ ତନାଘନା ଚଳାଇଛି । ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାମରେ ଅଭୟଙ୍କ ପୁଅ ଆକାଶ ପାଠକ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗର ପ୍ରମାଣ ସଂଗ୍ରହ କରୁଛି । ଏ ସମ୍ବନ୍ଧରେ ବିଭିନ୍ନ ବର୍ଗର ଓ ବିଭିନ୍ନ ସ୍ଥାନର ଲୋକଙ୍କୁ ତୃତୀୟ ଦିନରେ ବି ମାରାଥନ୍ ଜେରା କରାଯାଉଛି । ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ଯେ- ଏହି ଅଭିଯୋଗରେ ଜଡିତ ଥିବା କୁହାଯାଉଥିବା ଗୋପାଳପୁର ବିଧାୟକଙ୍କ ସମେତ ତାଙ୍କର ପାଖ ଲୋକ ବୋଲାଉଥିବା ଜିଲ୍ଲାର ଆଉ ଦୁଇ ବିଧାୟକଙ୍କ କିଛି ଖାସ୍ ଲୋକ ତଥା ସମର୍ଥକଙ୍କୁ ଜେରା କରାଯାଇଥିବା ଜଣାପଡିଛି । କ୍ରାଇମବ୍ରାଞ୍ଚ ଡିଏସ୍ପି ବିକାଶ ବେଉରିଆଙ୍କ ନେତୃତ୍ୱରେ ୩ ଇନ୍ସପେକ୍ଟର, ୩ ସବ୍ଇନ୍ସପେକ୍ଟର ସମେତ ବୈଷୟିକ ଅଧିକାରୀମାନେ ଛାନ୍ଭିନ୍ ଚଳାଇଛନ୍ତି । ବିଜେଡିର କିଛି ଯୁବ ନେତା ତଥା ବ୍ୟବସାୟୀଙ୍କ ବିଧାୟକଙ୍କ ସହ ସମ୍ପୃକ୍ତି ଥିବା ଜାଣିପାରି ସେମାନଙ୍କୁ ଆଇପିଏସ୍ ମେସ୍କୁ ଡାକି ପଚରାଉଚୁରା କରାଯାଇଥିବା ଜଣାପଡିଛି ।
ଆଇଜି (ସିଆଇଡି-ସିବି) ଅମିତେନ୍ଦ୍ରନାଥ ସିହ୍ନା ବ୍ରହ୍ମପୁରରେ ତଦନ୍ତ କାର୍ଯ୍ୟ ତଦାରଖ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଚୁମ୍ବକରେ ସୂଚନା ଦେଇ ସେ କହିଛନ୍ତି ଯେ- କ୍ରାଇମ୍ବ୍ରାଞ୍ଚ୍ ଟାଟା କମ୍ପାନୀର ଅଭିଯୋଗ ଆଧାରରେ ସାଇବର୍ ପୁଲିସ ଥାନାରେ ଆକାଶ ପାଠକ ନାଁରେ ଗୋଟିଏ କେସ୍ ରୁଜୁ କରିଛି । ତାହାର ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚ୍ର ଗୋଟିଏ ଟିମ୍ ପୁନେ ଯାଇଥିଲା । ଆଉ ଏକ ଟିମ୍ ବ୍ରହ୍ମପୁରରେ ଚାକିରୀ ଦେବା ନାଁରେ ଅର୍ଥ ଠକେଇ ଅଭିଯୋଗର ତଦନ୍ତ କରୁଛି । ଆମେ ସବୁ ଦିଗରୁ ତଦନ୍ତ ଜାରି ରଖିଛୁ । ଏଠି କିଛି ଲୋକଙ୍କ ପରୀକ୍ଷା କରାଯାଇଛି ତଥା ବୟାନ ରେକର୍ଡ କରାଯାଉଛି । ସବୁ ଜିନିଷ ଉପରେ ଆମେ ତର୍ଜମା କରିବୁ । ଏହି କାର୍ଯ୍ୟ ପାଇଁ ଏକ ଏସ୍ଆଇଟି ଗଠିତ ହୋଇଛି । ସେଥିରେ ବିଭିନ୍ନ ର୍ୟାଙ୍କ୍ର ଅଫିସର୍ ସାମିଲ୍ ଅଛନ୍ତି ବୋଲି କହିଥିଲେ ଆଇଜି ସିହ୍ନା ।
Comments are closed, but trackbacks and pingbacks are open.