ବାଲିଆପାଳ,(ବି.ବି.ନ୍ୟୁଜ୍): ବାଲିଆପାଳ ଅଞ୍ଚଳର ଜନୈକ ଚାଷୀ ନିଜର ଆବଶ୍ୟକତା ପାଇଁ ଏକ ନୂତନ କୃଷି ଯନ୍ତ୍ରପାତି ଉଦ୍ଭାବନ କରିଛନ୍ତି, ଯାହା ପାଇଁ ସେ ଆଜି ରାଜ୍ୟସ୍ତରରେ ପୁରସ୍କୃତ ହୋଇଛନ୍ତି । ପୁରସ୍କୃତ ହୋଇଥିବା ଯୁବକଙ୍କ ନାମ ରତନ କୁମାର (ବଳରାମ) ବାରିକ, ପିତା ଚକ୍ରଧର ବାରିକ । ଘର ବାଲିଆପାଳ ବ୍ଲକ ବେତଗଡ଼ିଆ ପଞ୍ଚାୟତ ନାରାୟଣପୁର ଗ୍ରାମରେ । ତାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନରେ ସମ୍ମାନିତ କରିବା ପାଇଁ ମନୋନୀତ କରାଯାଇଥିଲା । ଗତ ଅଗଷ୍ଟ ୬ ତାରିଖରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କୃଷି ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ତାଙ୍କୁ ବାଲେଶ୍ୱର ଠାରେ ସମ୍ମାନିତ କରିଛନ୍ତି । ପୁରସ୍କାର ବାବଦରେ ତାଙ୍କୁ ୧୫ ହଜାର ଟଙ୍କାର ଏକ ଚେକ୍ ଓ ସାର୍ଟିଫିକେଟ ମିଳିଛି । ତାଙ୍କର ଏହି ଉଦ୍ଭାବନ ସ୍ଥାନୀୟ ଅଞ୍ଚଳର ପାନ ଚାଷୀଙ୍କ ମଧ୍ୟରେ ଅନେକ ଆଶା ସଞ୍ଚାର କରିଛି ।
ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ରତନ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି । ନିଜର ଦେଢ ଏକର ଚାଷ ଜମି ରହିଛି । ସେଥିରେ ଦୁଇଟି ପାନ ବରଜ ଏବଂ ଅନ୍ୟାନ୍ୟ ଚାଷ କରି ପରିବାର ଚଳାନ୍ତି । ପାନ ବରଜରେ ଔଷଧ ସିଞ୍ଚନର ଅସୁବିଧାକୁ ଲକ୍ଷ୍ୟ କରି ସେ ଏକ ବ୍ୟାଟେରୀ ଚାଲିତ ଅଟୋମେଟିକ ମେସିନ ଉଦ୍ଭାବନ କରିବା ପାଇଁ ଚିନ୍ତା କଲେ । ଏଥିରେ ବାରମ୍ବାର ବିଫଳ ହେବା ସତ୍ତେ୍ୱ ନିଜ ଉଦ୍ୟମରୁ ଓହରିଲେ ନାହିଁ । ଶେଷରେ ସଫଳ ହେଲେ । ଏହି ସିଞ୍ଚନ ଯନ୍ତ୍ର ପାଇଁ ଏକ ୧୦ ଲିଟର ବିଶିଷ୍ଟ ପ୍ଲାଷ୍ଟିକ ଡବା, ଗୋଟିଏ ୧୨ ଭୋଲ୍ଟ ବ୍ୟାଟେରୀ, ଗୋଟିଏ ଡିସି ମଟର ପମ୍ପ, ବ୍ୟାଟେରୀ ଚାର୍ଜର, ପ୍ଲାଷ୍ଟିକ ବେଲ୍ଟ, ସୁଇଚ୍, ପ୍ଲାଷ୍ଟିକ ମୁଠି, ପ୍ଲାଷ୍ଟିକ ପାଇପ, ଡବାକୁ ଧରି ରଖିବା ପାଇଁ ଏକ ପ୍ଲାଷ୍ଟିକ ବେସ୍, ୱେୟାରିଂ ତାର, ପ୍ଲାଷ୍ଟିକ ହ୍ୟାଣ୍ଡଲ, ପ୍ଲାଷ୍ଟିକ ମୁଖାରି ଆଦିର ଆବଶ୍ୟକ ପଡ଼ିଥାଏ । ଏସବୁକୁ ଯୋଡ଼ାଯୋଡ଼ି କରି ସେ ସ୍ପ୍ରେ ମେସିନ ତିଆରି କରିଛନ୍ତି । ମେସିନରେ ଲାଗିଥିବା ମୁଠି ଦ୍ୱାରା କଣ୍ଟ୍ରୋଲ କରାଯାଇ ଔଷଧ ସ୍ପ୍ରେ କରାଯାଏ । ଏହି ମେସିନରେ ୨ ଘଣ୍ଟାରେ ତିନୋଟି ବଡ଼ ପାନ ବରଜରେ ଔଷଧ ସ୍ପ୍ରେ କରାଯାଇ ପାରୁଥିବା ବେଳେ ଚାଷୀମାନେ ବ୍ୟବହାର କରୁଥିବା ଅନ୍ୟ ମେସିନରେ ତିନୋଟି ପାନ ବରଜରେ ଔଷଧ ଦେବା ପାଇଁ ୧୨ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଲାଗେ । ଏହି ମେସିନ ତିଆରି ପାଇଁ ସର୍ବମୋଟ ୨୩ ଶହ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ । ନିଜର ଆବଶ୍ୟକ ପାଇଁ ସେ ଏହି ମେସିନ ତିଆରି କରିଥିଲେ । ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳର କିଛି ଚାଷୀ ଅର୍ଡର ଦେବାରୁ ସ୍ୱଳ୍ପ ପାରିଶ୍ରମିକ ନେଇ ସେମାନଙ୍କୁ ୭ଟି ତିଆରି କରି ଦେଇଛନ୍ତି । ଆହୁରି ୩୦ଟି ମେସିନ ତିଆରି କରି ଦେବା ପାଇଁ ତାଙ୍କ ପାଖରେ ଚାଷୀଙ୍କ ଭିଡ଼ ଲାଗିଛି ।
Comments are closed, but trackbacks and pingbacks are open.