ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍:ପ୍ରମୋଦଙ୍କୁ ଦ୍ୱିତୀୟ ସ୍ୱର୍ଣ୍ଣ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): ସ୍ୱିଜରଲାଣ୍ଡର ବାସେଲ ଠାରେ ଅନୁଷ୍ଠିତ ପାରା ବ୍ୟାଡମିଣ୍ଟନ୍ ବିଶ୍ୱ ଚାମ୍ପିଅନ୍ସିପ୍ରେ ଓଡ଼ିଶାର ପ୍ରତିଭାବାନ୍ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଏତିହାସିକ ସଫଳତା ଅର୍ଜନ କରିଛନ୍ତି । ଦିନକ ତଳେ ପୁରୁଷ ଡବଲ୍ସ ଚାମ୍ପିଅନ୍ ହୋଇଥିବା ପ୍ରମୋଦ ଆଜି ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ(ଏସ୍ଏଲ୍-୩ବର୍ଗ)ରେ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛନ୍ତି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ସାବ୍ୟସ୍ତ ହୋଇଛନ୍ତି ପ୍ରମୋଦ । ଡବଲ୍ସ ଭଳି ସିଙ୍ଗଲ୍ସ ଫାଇନାଲ୍ରେ ସେ ଅନୁରୂପ ପ୍ରଭାବ ବିସ୍ତାର କରି ଖେଳି ରୋମାଞ୍ଚକର ବିଜୟ ହାସଲ କରିଥିଲେ । ସେ ଦ୍ୱିତୀୟ ସିଡ୍ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କୁ ୬-୨୧, ୨୧-୧୪, ୨୧-୫ ଗେମରେ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ପ୍ରମୋଦଙ୍କୁ ୫୧ମିନିଟ୍ ଲାଗିଥିଲା । ପାରା ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍ରେ ଏହା ପ୍ରମୋଦଙ୍କର ଚତୁର୍ଥ ସ୍ୱର୍ଣ୍ଣ ପଦକ ରହିଥିଲା । ମ୍ୟାଚ୍ ଆରମ୍ଭରୁ ବେଥେଲ ଉନ୍ନତ ଖେଳ ପ୍ରଦର୍ଶନ କରି ପ୍ରଥମ ଗେମ୍ ହାତେଇ ଥିଲେ । ଦ୍ୱିତୀୟ ଗେମ୍ରେ ପ୍ରମୋଦ ଲଢୁଆ ଖେଳ ପ୍ରଦର୍ଶନ କରି ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଗେମ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ଶେଷରେ ପ୍ରମୋଦ ଚତୁରତାର ସହ କିଛି ପଏଣ୍ଟ ହାତେଇ ଦ୍ୱିତୀୟ ଗେମ୍ ଜିତିଥିଲେ । ତୃତୀୟ ଗେମ୍ ସମ୍ପୂର୍ଣ୍ଣ ଏକ ତରଫା ରହିଥିଲା । ବେଥେଲଙ୍କୁ ସହଜରେ ପଏଣ୍ଟ ଦେଇ ନଥିଲେ ପ୍ରମୋଦ । ଧୈର୍ଯ୍ୟ ହରାଇ ବେଥେଲ ତ୍ରୁଟି କରିଥିଲେ । ପ୍ରମୋଦ ଏହାର ଫାଇଦା ଉଠାଇ ସ୍ମରଣୀୟ ବିଜୟ ହାସଲ କରିଥିଲେ ।ସେ ପୂର୍ବରୁ ପୁରୁଷ ଡବଲ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ମନୋଜ ସରକାରଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ଫାଇନାଲ୍ରେ ନିତେଶ କୁମାର ଓ ତରୁଣ ଯୋଡିଙ୍କୁ ୧୪-୨୧, ୨୧-୧୫, ୨୧-୧୬ ଗେମ୍ରେ ହରାଇଥିଲେ । ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନ୍ସିପ୍ରେ ଭାରତ ମୋଟ୍ ୧୨ଟି ପଦକ ହାସଲ କରିଥିଲା । ଅନ୍ତିମ ଦିବସରେ ପ୍ରମୋଦଙ୍କ ସହ ଏସ୍ଏଲ୍-୪ ବର୍ଗରେ ତରୁଣ ରୌପ୍ୟ ପଦକ ଜିତିଥିଲେ । ସେହିପରି ଏସ୍ଏଲ୍-୩ ବର୍ଗରେ ମନୋଜ ସରକାର, ଏସଏଲ୍-୪ ବର୍ଗରେ ଶୁକାନ୍ତ କଦମ, ଏମ୍ଏସ୍ ଏସଏସ୍-୬ ବର୍ଗରେ କ୍ରିଷ୍ଣା ନାଗର ଓ ଏସୟୁ-୫ ବର୍ଗରେ ରାକୁମାର ଓ ରାକେଶ ଯୋଡି ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons