ନୂଆଦିଲ୍ଲୀ : ସାରା ଦେଶରେ ବେଲଗାମ ପିଆଜ । ନାସିକ୍ ରୁ ନୂଆଦିଲ୍ଲୀ, ହାଇଦ୍ରାବାଦରୁ ହରିୟାଣା, ପଶ୍ଚିମବଙ୍ଗରୁ ଓଡ଼ିଶା- ସବୁଠୁ ୧୨୦ ରୁ ୧୫୦ ଟଙ୍କା ମଧ୍ୟରେ ବିକ୍ରି ହେଲାଣି ପିଆଜ । ପ୍ରତି ଦିନ ବଢି ଚାଲିଛି ଦର। ଯାହାକୁ ନେଇ ପାର୍ଲାମେଣ୍ଟରେ ଝଡ । ପିଆଜ ଦର ବୃଦ୍ଧି ପାଇଁ ସରକାରଙ୍କୁ ଦାୟୀ କରି ଧାରାଣା ଦେଇଥିଲେ କଂଗ୍ରେସ ସାଂସଦ ।
ପାର୍ଲାମେଣ୍ଟରେ ପିଆଜ ତାତି । ପିଆଜକୁ ନେଇ ସାରା ଦେଶରେ ଚିନ୍ତା ବଢିଥିବା ବେଳେ ସଂସଦ ହୁଲସ୍ତୁଲ ହୋଇଛି । ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଦରବୃଦ୍ଧି ଉପରେ ଅଙ୍କୁଶ ଲଗାଇବାକୁ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ରରେ କାହିଁକି ପିଆଜ ଉତ୍ପାଦନ ହ୍ରାସ ପାଇଲା ବୋଲି ପ୍ରଶ୍ନ କରିଛନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲେ ।
ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯାହା କହିଲେ ତାକୁ ନେଇ ଠିଆ ହୋଇଛି ଆଉ ଏକ ବିବାଦ । ଅର୍ଥ ମନ୍ତ୍ରୀଙ୍କ ଉତ୍ତର ହେଲା ମୁଁ ଏତେ ପିଆଜ ରସୁଣ ଖାଏନି । ଏଭଳି ପ୍ରତିକ୍ରିୟାକୁ ନେଇ ତାତିଥିଲେ ବିରୋଧୀ । କଂଗ୍ରେସ ସାଂସଦ ପାର୍ଲାମେଣ୍ଟ ବାହାରେ ଧାରଣା ଦେଇଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ପିଆଜ ଦର ବୃଦ୍ଧି ନେଇ ସରକାର ଚିନ୍ତିତ ଅଛନ୍ତି ।
ଏ ଦୃଶ୍ୟ ଦିଲ୍ଲୀର । ଏଠି ପିଆଜ ଦର ବୃଦ୍ଧିକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ସାଧାରଣ ଖାଉଟି । ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ଫଟୋରେ ପିଆଜ ମାଳ ପକାଇ ପ୍ରତିବାଦ କରିଛନ୍ତି । ସରକାର ବିରୋଧୀ ନାରା ଦେଇଛନ୍ତି । ସ୍ଥିତି ଏମିତି ହୋଇଥିଲା କି ଦିଲ୍ଲୀ ରାସ୍ତାରେ ପୋଲିସ ଓ ଆନ୍ଦୋଳନକାରୀ ଧସ୍ତଧସ୍ତି ହୋଇଥିଲେ।
ସାରା ଦେଶରେ ହୁ ହୁ ବଢି ଚାଲିଛି ପିଆଜ । ଏକଦମ ବେଲଗାମ । କେଉଁଠି ୧୫୦ ତ କେଉଁଠି କେଜି ପ୍ରତି ୧୩୦ ଟଙ୍କାରେ ବିକ୍ରି ହେଉଛି ।
ହାଇଦ୍ରାବାଦରେ ୧୫୦ ଟଙ୍କାରେ ବିକ୍ରି ହେଉଛି ପିଆଜ । ପିଆଜର ପେଣ୍ଠସ୍ଥଳ କୁହାଯାଉଥିବା ନାସିକ୍ ରେ ବି ଦର ୧୦୦ ଉପରେ। ଏଭଳି ସ୍ଥିତିରେ ଦର ଚଢ଼ା ଥିବା ଦେଖି କିଛି ଚାଷୀ ପିଆଜ ପାକଳ ହେବା ପୂର୍ବରୁ ମଣ୍ଡିକୁ ନେଇ ଆସିଛନ୍ତି। ଫଳ ହୋଇଛି ମଣ୍ଡିରେ ମାତ୍ର ଦିନେ ଦୁଇଦିନ ମଧ୍ୟରେ ପିଆଜ ପଚିଯାଉଛି।
ପିଆଜ ଦର ନେଇ ଲୋକେ ଅତିଷ୍ଠ ଥିବା ବେଳେ ଯେତେବେଳେ ମନ୍ତ୍ରୀ କହୁଛନ୍ତି ସେ ପିଆଜ ଖାଆନ୍ତି ନାହିଁ ସେତେବେଳେ ଲୋକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
Comments are closed, but trackbacks and pingbacks are open.