ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ମଙ୍ଗଳବାର ଭେଟିଛନ୍ତି ବିଜେଡି ସାଂସଦ । ଧାନ ସଂଗ୍ରହ ବାବଦକୁ କେନ୍ଦ୍ର ଉପରେ ଓଡ଼ିଶା ଯୋଗାଣ ନିଗମର ବାକି ଗଡ଼ୁଥିବା ପାଣ୍ଠିକୁ ତୁରନ୍ତ ପ୍ରଦାନ କରିବାକୁ ସାଂସଦମାନେ ଦାବି କରିଥିଲେ । ଏହି ଟିମରେ ବିଜେଡି ସାଂସଦ ଡ. ଅମର ପଟ୍ଟନାୟକ, ଚନ୍ଦ୍ରଶେଖର ସାହୁ, ଅନୁଭବ ମହାନ୍ତି, ଡ.ସସ୍ମିତ ପାତ୍ର ଓ ଚନ୍ଦ୍ରାଣୀ ମୁର୍ମୁ ସାମିଲ ହୋଇଥିଲେ । ଏହାକୁ ବିଚାର କରିବାକୁ ମନ୍ତ୍ରୀ ଶ୍ରୀ ପାଶ୍ୱାନ ପ୍ରତିଶ୍ରୁତି ଦେଇଥିଲେ ।
ଏପରିକି ଏ ପ୍ରସଙ୍ଗରେ ସାଂସଦ ଡ. ପଟ୍ଟନାୟକ ରାଜ୍ୟସଭାରେ ଦୃଷ୍ଟି ଆକର୍ଷଣ କରିଥିଲେ । ଚାଷୀଙ୍କୁ ତୁରନ୍ତ ସବସିଡି ଅର୍ଥ ପ୍ରଦାନ ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ସେ ଦାବି ରଖିଥିଲେ । ବକେୟା ସବସିଡି ଅର୍ଥ ପ୍ରଦାନ କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥିବା ମଧ୍ୟ ଡ. ପଟ୍ଟନାୟକ ଅବଗତ କରାଇ ଏ ଦିଗରେ ଖାଦ୍ୟ ମନ୍ତ୍ରାଳୟ ତ୍ୱରିତ ପଦକ୍ଷେପ ନେବାକୁ ଦାବି କରିଥିଲେ ।


Comments are closed, but trackbacks and pingbacks are open.