ଲମତାପୁଟ: ପଲିଥିନ୍ ତଳେ ବ୍ୟାଙ୍କ ସେବା । ଲକ୍ଷ ଲକ୍ଷ ଟଙ୍କାର କାରବାର । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା । କଥାଟା କିନ୍ତୁ ଏକଦମ୍ ସତ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଡାବୁଗୁଡା ଗାଁ ପାହାଡ ପାଦଦେଶରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ବ୍ୟାଙ୍କ କିଓସ୍କରେ ନେଟୱର୍କ ନଥିବାରୁ ସୃଷ୍ଟି ହୋଇଛି ଏଭଳି ସମସ୍ୟା । ଗ୍ରାହକମାନେ କୁଡିଆ ଚାରିପାଖରେ ଘେରି ରହିଛନ୍ତି ସେବା ପାଇବା ପାଇଁ । ଏଥିରୁ ଜଳ ଜଳ ହୋଇ ଦିଶୁଛି ଆମ ବ୍ୟାଙ୍କ ସେବା କେତେ ସୁରକ୍ଷିତ ।
ଡାବୁଗୁଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ରହିଛି ଗୋଟିଏ କିଓସ୍କ । ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇପାରୁନି । ଦୀର୍ଘଦିନରୁ ଏହି ସମସ୍ୟା ଲାଗିରହିଛି । ଏପରିସ୍ଥଳେ ସେବା ଯୋଗାଇ ଦେବାକୁ କିଓସ୍କ ପକ୍ଷରୁ ଗାଁ ପାଖ କାଜୁ ପାହାଡ ତଳେ ଟଙ୍ଗାଯାଇଛି ପଲିଥିନ୍ । ତାରି ତଳେ କର୍ମଚାରୀମାନେ ଲ୍ୟାପଟପ, ଫିଙ୍ଗର ସ୍କାନର ଧରି ଟଙ୍କା ଜମା ଏବଂ ଉଠାଣ କରୁଛନ୍ତି । ପାହାଡ ପାଖରେ ନେଟୱର୍କ ଆସୁଥିବାରୁ କର୍ତ୍ତୃପକ୍ଷ କାଜୁ ଗଛରେ ୱାଇଫାଇ ଡଙ୍ଗଲ ବାନ୍ଧି କାମ କରୁଛନ୍ତି । ଡାବୁଗୁଡା ସମେତ ପେଟା ପଞ୍ଚାୟତବାସୀଙ୍କୁ ଏଠାରୁ ସେବା ଯୋଗାଇ ଦିଆଯାଉଛି । ବେଳେବେଳେ ଏଠାରେ ମଧ୍ୟ ନେଟୱର୍କ ଫେଲ୍ ହୋଇଯାଉଛି । ଦୁଇଟି ଯାକ ପଞ୍ଚାୟତର ସ୍କୁଲ ପିଲାମାନେ ସେମାନଙ୍କ ଆକାଉଣ୍ଟ ଖୋଲିବାକୁ ଭିଡ କରୁଥିବା ଦେଖିବାକୁ ମିଳୁଛି । ଦିନକୁ ମାତ୍ର ୫ରୁ ୧୦ ଟି ଖାତା ଖୋଲାଯାଇ ପାରୁଥିବା କର୍ତ୍ତୃପକ୍ଷ କହିଛନ୍ତି । ମନରେଗା ଟଙ୍କା ଉଠାଇବାକୁ ୧୫ କିମି ଦୂର ପେଟା ପଞ୍ଚାୟତ ଲୋକେ ଏଠାକୁ ଆସିବାକୁ ବାଧ୍ୟ ହେଉଛନ୍ତି ।
ଶନିବାର ପେଟା ପଞ୍ଚାୟତର କେତେଜଣ ଗ୍ରାହକ କହିଛନ୍ତି ଯେ ‘ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ଟଙ୍କା ଉଠାଇବାକୁ ଗାଁରୁ ପାଖାପାଖି ୨୦ ଜଣ ଆସିଛୁ । ନେଟ୍ କାମ କରୁ ନଥିବାରୁ ଦୁଇଘଣ୍ଟା ଅପେକ୍ଷା କରିବାକୁ ପଡିଛି । ସନ୍ଧ୍ୟାସୁଦ୍ଧା ଟଙ୍କା ଉଠାଇ ଘରକୁ ଯିବୁ । ପେଟା ପଞ୍ଚାୟତ ଅଞ୍ଚଳରେ ବ୍ୟାଙ୍କ ସେବା ନଥିବାରୁ ଟଙ୍କା ଉଠାଣ ଓ ଜମା ପାଇଁ ବଡ ହଇରାଣ ହେଉଛୁ ।’ ପଞ୍ଚାୟତରେ ଗୋଟିଏ ନୂଆ କିଓସ୍କ ଖୋଲିବାକୁ ଏମାନେ ଦାବି କରିଛନ୍ତି । ଡାବୁଗୁଡାବାସୀ କହିଛନ୍ତି, ପଞ୍ଚାୟତରେ ନେଟୱର୍କ ସମସ୍ୟା ଦୀର୍ଘ ଦିନରୁ ଲାଗି ରହିଛି । ନିର୍ବାଚନ ଜିତିଲେ ସମସ୍ୟା ଦୂର କରିବାକୁ ସ୍ଥାନୀୟ ଜନପ୍ରତିନିଧିମାନେ କହିଥିଲେ । କିନ୍ତୁ ଭୋଟ ପରେ ଭୁଲିଗଲେ । ଆଗାମୀ ନିର୍ବାଚନରେ ନେତାମାନଙ୍କୁ ଏହାର ଉଚିତ ଜବାବ୍ ଦେବେ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.