ନବରଙ୍ଗପୁର,(ବି.ବି.ନ୍ୟୁଜ୍): ସ୍ୱାଧୀନତାକୁ ୭୨ ବର୍ଷ ବିତିଯାଇଛି । ଆଜିବି ପାହାଡ଼ ଉପରେ ସେମାନେ ବିତାଉଛନ୍ତି ଅଭିଶପ୍ତ ଜୀବନ । ସରକାରୀ କଳ ପହଞ୍ଚି ପାରିନି ସେମାନଙ୍କ ପାଖରେ । ମୌଳିକ ସୁବିଧା ପାଇଁ ଅନାଇ ରହିଛନ୍ତି ଗ୍ରାମବାସୀ । ପିଇବା ପାଣି, ବିଜୁଳି ଓ ରାସ୍ତା ପାଲଟିଛି ସାତ ସପନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତେନ୍ତୁଳିଖୁଣ୍ଟି ବ୍ଲକର ପାହାଡ ଉପର ଗାଁ ପାଙ୍ଗଣମରାରେ ।
ବ୍ଲକ ସଦର ମହକୁମାରୁ ମାତ୍ର ୧୫ କିମି ଦୂରରେ ରହିଛି ଏ ଗାଁ । ପାହାଡ ଉପରେ ଥିବା ଏହି ଗାଁକୁ ଯିବାକୁ ହେଲେ ଉପରଗୋଡି ଗାଁ ପର୍ଯ୍ୟନ୍ତ ରହିଛି ପକ୍କା ରାସ୍ତା । ସେଠାରୁ କେବଳ ପାହାଡିଆ ଅଙ୍କବଙ୍କା ପଥୁରିଆ ରାସ୍ତା । କେବଳ ରାସ୍ତା ନୁହେଁ, ପାହାଡ ଉପର ପାହାଡ ଭଳି ଏକାଧିକ ସମସ୍ୟା । ରାଜସ୍ୱ ଗାଁର ମାନ୍ୟତା ସିନା ମିଳିଛି, ହେଲେ ବିଶୁଦ୍ଧ ପାନୀୟଜଳ ମୁନ୍ଦିଏରୁ ବଞ୍ଚିତ ହୋଇଛନ୍ତି ଗ୍ରାମବାସୀ । ଆଜି ପର୍ଯ୍ୟନ୍ତ ଗାଁ ଲୋକେ ବିଜୁଳି ଆଲୁ ଦେଖି ନାହାନ୍ତି । ସଞ୍ଜ ନଇଁଲେ ଗାଁରେ ରାଜୁତି କରୁଛି ଅନ୍ଧକାର । ଅଭିଶପ୍ତ ଜୀବନ ବିତାଉଛନ୍ତି ୨୨ ଆଦିବାସୀ ପରିବାର ।
ପାହାଡ ଉପରେ ପ୍ରାୟ ୨୦ ଏକର ଝୋଲା ଜମିରେ ଧାନ ଚାଷ କରୁଛନ୍ତି ଲୋକେ । ପୋଡୁଚାଷ କରି ପେଟ ପୋଷୁଛନ୍ତି । ଜଙ୍ଗଲରୁ କାଠ, ବିଭିନ୍ନ ପତ୍ର ଏବଂ ଅନ୍ୟାନ୍ୟ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରି କଷ୍ଟମଷ୍ଟେ ଚଳି ଯାଉଛନ୍ତି । ପେଟ ଚାଖଣ୍ଡକ ପାଇଁ ପାହାଡକୁ ବାଛି ନେଇଛନ୍ତି ଆଶ୍ରୟସ୍ଥଳୀ ଭାବେ । ଆଜି ନୁହେଁ, କେଉଁ ଆବହମାନ କାଳରୁ ଏଠାରେ ମୁଣ୍ଡ ରଖି ବଞ୍ଚି ଆସୁଛନ୍ତି । ସମସ୍ୟା ଭିତରେ ଦିନରାତି ରୁଦ୍ଧି ହୋଇଯାଉଛନ୍ତି । ତଥାପି ଅନ୍ୟସ୍ଥାନକୁ ଗଲେ ଜୀବିକା ହରାଇବାର ଭୟ ଘାରୁଛି । ବାଧ୍ୟହୋଇ ପିଲାଛୁଆଙ୍କୁ ଧରି ଜୀବନ ଯୁଦ୍ଧରେ ସଂଘର୍ଷ କରି ଆସୁଛନ୍ତି । ପାହାଡି ନାଳ ସେମାନଙ୍କ ଶୋଷ ମେଣ୍ଟାଉଛି । ପାହାଡରୁ ଖସୁଥିବା ଝରଣା ପାଣି ଏକ ଚାଷ ଜମିର ଚୁଆରେ ଜମା ହୋଉଛି । ସେହି ପାଣିକୁ ସେମାନେ ସଂଗ୍ରହ କରୁଛନ୍ତି । ପିଇବାଠାରୁ ଆରମ୍ଭ କରି ରୋଷେଇବାସ ପର୍ଯ୍ୟନ୍ତ ସବୁ କାମରେ ଲାଗୁଛି ଏହି ଦୂଷିତ ପାଣି । ରାସ୍ତା ନଥିବାରୁ ରୋଗୀ ଏବଂ ଗର୍ଭବତୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ପ୍ରଥମେ ଖଟିଆ ଯୋଗାଡ଼ କରିବାକୁ ପଡୁଛି । ତା ଉପରେ ଶୁଆଇ ପାହାଡ଼ିଆ ରାସ୍ତାରେ ବୋହି କରି ନେବାକୁ ପଡୁଛି ପ୍ରାୟ ୫ କିମି । ଉପରଗୋଡି ଗାଁ ପର୍ଯ୍ୟନ୍ତ ଯିବାପରେ ସେଠାରୁ ଆମ୍ବୁଲାନ୍ସ କିମ୍ବା ଅଟୋରେ ଡାକ୍ତରଖାନା ନିଆଯାଉଛି ।
ବହୁବର୍ଷ ତଳେ ପାଙ୍ଗଣମରା ଗାଁ ପାଇଁ ମଞ୍ଜୁର ହୋଇଥିଲା ଏକ ପ୍ରାଥମିକ ବିଦ୍ୟାଳୟ । କିନ୍ତୁ ଗମନାଗମନ ସୁବିଧା ନଥିବାରୁ ତାହାକୁ ପାହାଡ଼ତଳ ଗାଁ ମଦୁଗୁଲମିରେ ଖୋଲାଗଲା ୧୯୯୦ରେ । ବାଧ୍ୟହୋଇ ପାଙ୍ଗଣମୋରା ଗାଁର ପିଲାମାନେ ବିପଦପୂର୍ଣ୍ଣ ଭାବେ ଯିବାଆସିବା କରୁଛନ୍ତି । ବନ୍ୟଜନ୍ତୁ ଭୟରେ ଅନେକ ପାଠପଢାରେଡୋରି ବାନ୍ଧିଛନ୍ତି । ମୋଟାମୋଟି କହିବାକୁ ଗଲେ ପାଙ୍ଗଣମୋରାରେ ବିକାଶର ପାଦଚିହ୍ନ ପଡ଼ିନି । ସ୍ୱାଧୀନତାର ସ୍ୱାଦ ଚାଖି ନାହାନ୍ତି ଗାଁ ଲୋକେ । ପ୍ରଶାସନିକ ଅଧିକାରୀ ଏବଂ ନେତାମାନଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ଏ ଗାଁ । ବର୍ଷ ପରେ ବର୍ଷ ବିତୁଛି, ସେମାନଙ୍କ ଭାଗ୍ୟରେ ବିକାଶର ସୂର୍ଯ୍ୟୋଦୟ ହେଉନି । ଦେଖାଯାଉ, ଆଉ କେତେବର୍ଷ ପରେ ସରକାର ପାଙ୍ଗଣମୋରା ଗାଁର ଚିତ୍ର ବଦଳାଇବାରେ ସଫଳ ହେଉଛନ୍ତି ।
Comments are closed, but trackbacks and pingbacks are open.