ପିଏଲ୍ଏଫ୍ଏସ୍ ସର୍ଭେ:୪୫% ନିୟମିତ କର୍ମଚାରୀଙ୍କ ଦରମା ୧୦ ହଜାରରୁ କମ୍

Get real time updates directly on you device, subscribe now.

ନୂଆଦିଲ୍ଲୀ:ଗତ କିଛି ବର୍ଷ ହେବ ଭାରତରେ ରୋଜଗାର ଏକ ବଡ଼ ପ୍ରସଙ୍ଗ ପାଲଟିଛି । ବେକାରି ସମସ୍ୟାକୁ ନେଇ ବିରୋଧୀ ଦଳ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ କଥା କଟାକଟି ଲାଗି ରହିଛି । ଏହି ଗରମାଗରମ୍ ଝଗଡ଼ା ମଧ୍ୟରେ ଏକ ପ୍ରଶ୍ନ ଉଠୁଛି ଯେ, ଯେଉଁମାନଙ୍କ ନିକଟରେ ରୋଜଗାର ଅଛି ସେମାନଙ୍କୁ ସେମାନଙ୍କ ପରିଶ୍ରମର ଉଚିତ ଫଳ ମିଳୁଛି ତ!
ସାମୟିକ ଶ୍ରମ ଶକ୍ତି ସର୍ଭେ(ପିଏଲ୍ଏଫ୍ଏସ୍) ୨୦୧୭-୧୮ର ସଦ୍ୟ ରିପୋର୍ଟରେ ଏସବୁ ପ୍ରଶ୍ନର ଉତ୍ତର ମିଳିଛି । ଜାତୀୟ ନମୂନା ସର୍ବେକ୍ଷଣ କାର୍ଯ୍ୟାଳୟ(ଏନ୍ଏସ୍ଏସ୍ଓ)ର ରୋଜଗାର ଏବଂ ବେରୋଜଗାର ସର୍ଭେର ସ୍ଥାନ ଏବେ ପିଏଲ୍ଏଫ୍ଏସ୍ ନେଇଛି । ଏହି ରିପୋର୍ଟରୁ ଜଣାଯାଇଛି ଯେ, ୨୦୧୧-୧୨ ଏବଂ ୨୦୧୭-୧୮ ମଧ୍ୟରେ ଦେଶର ମୋଟ କାର୍ଯ୍ୟଶକ୍ତିରେ ସ୍ଥାୟୀ ବେତନଭୋଗୀ କର୍ମଚାରୀଙ୍କ ଭାଗ ୫% ବଢ଼ିଛି । ରିପୋର୍ଟ ଅନୁସାରେ ଦେଶର ମୋଟ ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ୪୫%ଙ୍କ ଦରମା ୧୦ ହଜାର ଟଙ୍କାରୁ କମ୍ । ନିୟମିତ ମହିଳା କର୍ମଚାରୀଙ୍କ ମଧ୍ୟରେ ୬୩%ଙ୍କ ମାସିକ ଆୟ ୧୦ ହଜାର ଟଙ୍କାରୁ କମ୍ ଥିବାବେଳେ ୩୨%ଙ୍କ ଦରମା ୫,୦୦୦ ଟଙ୍କାରୁ କମ୍ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଦେଶର ୧୨% ନିୟମିତ କର୍ମଚାରୀ ୩୦ ଦିନ ଅକ୍ଲାନ୍ତ ପରିଶ୍ରମ କରି ୫,୦୦୦ ଟଙ୍କାରୁ କମ୍ ଦରମା ପାଉଛନ୍ତି । ଗ୍ରାମୀଣ ଭାରତ କଥା ଯଦି ବିଚାରକୁ ନେବା ତା’ହେଲେ ଏଠାରେ ୫୫% ନିୟମିତ କର୍ମଚାରୀଙ୍କ ଦରମା ୧୦ ହଜାର ଟଙ୍କାରୁ କମ୍ । ସହରାଞ୍ଚଳରେ ୩୮% କର୍ମଚାରୀ ୧୦ ହଜାରରୁ କମ୍ ଦରମା ପାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ରିପୋର୍ଟ ଅନୁସାରେ ୩ଧ ନିୟମିତ କର୍ମଚାରୀ ମାସକୁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଛନ୍ତି । ୧ ଲକ୍ଷରୁ ଅଧିକ ଦରମା ପାଉଥିବା କର୍ମଚାରୀଙ୍କ ସଂଖ୍ୟା ମାତ୍ର ୦.୨% । ଦରମା ବୃଦ୍ଧିକୁ ଯଦି ହିସାବକୁ ନେବା ତେବେ ୨୦୧୭ ଜୁଲାଇ-ସେପ୍ଟେମ୍ବରରେ ଗ୍ରାମୀଣ ଭାରତରେ ନିୟମିତ କର୍ମଚାରୀଙ୍କ ହାରାହାରି ମାସିକ ଦରମା ୧୧,୮୭୮ ଟଙ୍କା ଥିଲା, ଯାହାକି ୨୦୧୮ ଏପ୍ରିଲ-ଜୁନ୍ରେ ବଢ଼ି ୧୩,୨୦୭ ଟଙ୍କା ହୋଇଛି । ଅନ୍ୟପକ୍ଷରେ, ସହରାଞ୍ଚଳ ଭାରତରେ ଏହି ସମୟରେ ନିୟମିତ କର୍ମଚାରୀଙ୍କ ହାରାହାରି ମାସିକ ଦରମା ୧୬୫୩ ଟଙ୍କା ବଢ଼ି ୧୭,୪୭୩ ଟଙ୍କା ହୋଇଛି ।
ପିଏଲ୍ଏଫ୍ଏସ୍ ରିପୋର୍ଟରେ ଏହା ସାମ୍ନାକୁ ଆସିଛି ଯେ, ପାଖାପାଖି ୫୦% ନିୟମିତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାଗୁଡିକର ଲାଭ ମିଳୁନାହିଁ । ୫୪.୨% ସବୈତନିକ ଛୁଟିରୁ ବଞ୍ଚିତ ।
ପ୍ରାଥମିକ ବ୍ୟବସାୟରେ ସାମିଲ ନିୟମିତ କର୍ମଚାରୀଙ୍କୁ ସବୁଠାରୁ କମ୍(ମାସିକ ୭,୦୦୦ ଟଙ୍କା) ଦରମା ମିଳୁଛି । ଅନ୍ୟପକ୍ଷରେ ମତ୍ସ୍ୟଜୀବୀ ଏବଂ କୁଶଳୀ କୃଷି ଶ୍ରମିକଙ୍କୁ ମଧ୍ୟ ହାରାହାରି ୮ ହଜାର ଟଙ୍କା ଦରମା ମିଳୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons