ପାଟଣାଗଡ଼,(ବି.ବି.ନୁ୍ୟଜ): ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ କୁତମୁଣ୍ଡା କାହ୍ନା ନର୍ସରୀ ସମ୍ମୁଖରେ ପିକଅପ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଚାଳକ ମୃତୁ୍ୟ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ମାରୁଥିବା ବେଳେ ଲୋକେ ତାକୁ କାବୁ କରି ପୁଲିସ ଜିମା ଦେଇଛନ୍ତି । ବାଇକ ଚାଳକ ଓ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣାଗଡ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଅପରପକ୍ଷେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସନ୍ଧ୍ୟାରେ ପାଟଣାଗଡ଼-ବଲାଙ୍ଗିର ରାସ୍ତାର ସରମୁହାଣ ଛକରେ ରାସ୍ତାରୋକ କରାଯାଇଛି ।
ସୂଚନାମତେ ଆଜି ସକାଳ ସାଢେ ୮ଟାରେ ପାଟଣାଗଡ଼ ବ୍ଲକ ବନେଇମୁଣ୍ଡା ଗାଁର ସାଧୁ ସେଠ(୪୬) ଓ ପୂର୍ଣ୍ଣବାସୀ(୩୦) ଏକ ବାଇକ(ଓଡି୩୧ଜି-୩୧୩୫) ଯୋଗେ କୁତମୁଣ୍ଡା ରାସ୍ତାଦେଇ ସୁନାମୁଦି ସାପ୍ତାହିକ ବଜାରକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ପାଟଣାଗଡର ରାଜେଶ ଡିଜେ ନାମ ଲେଖାଥିବା ଏକ ପିକଅପ ଭ୍ୟାନ( ଓଡି୦୩ସି-୭୪୭୪) କୁତମୁଣ୍ଡା କାହ୍ନା ନର୍ସରୀ ସମ୍ମୁଖରେ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଚାଳକ ସାଧୁଙ୍କ ଦୁର୍ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ସ୍ତ୍ରୀ ପୂର୍ଣ୍ଣବାସୀ ଗୁରୁତର ଆହତ ହୋଇଥିଲେ । ଉକ୍ତ ରାସ୍ତାଦେଇ ଯାଉଥିବା କିଛି ଲୋକ ଏହା ଦେଖି ଆମ୍ବୁଲାନ୍ସକୁ ଫୋନ କରି ଜଣାଇଥିଲେ । ଏଥିିସହ ଫେରାର ଉଦ୍ୟମ କରୁଥିବା ପିକଅପ ଭ୍ୟାନର ଡ୍ରାଇଭର ମୋହନ ବନଚ୍ଛୋର(୩୫)କୁ ଧରି ପୁଲିସ ଜିମା ଦେଇଥିଲେ । ପାଟଣାଗଡ ଡାକ୍ତରଖାନାରେ ଗୁରୁତର ଆହତ ପୂର୍ଣ୍ଣବାସୀଙ୍କୁ ପାଟଣାଗଡରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ୪ଟି ସନ୍ତାନ ଥିବା ଜଣାପଡିଛି । ପୁଲିସ ଦୁର୍ଘଟଣା ସ୍ଥଳରୁ ପିକଅପ୍ ଭ୍ୟାନ ଓ ବାଇକ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ତଦନ୍ତ କରୁଛି ।


Comments are closed, but trackbacks and pingbacks are open.