
ଭୁବନେଶ୍ଵର: ବହୁ ଚର୍ଚ୍ଚିତ ପିପିଲି ବିଧାନସଭାର ଉପ ନିର୍ବାଚନ ପାଇଁ ବିଜୁ ଜନତା ଦଳ ତାର ପ୍ରାର୍ଥୀ ଘୋଷଣା କରିଛି। ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶାସକ ବିଜେଡି ଏହି ଚର୍ଚ୍ଚିତ ଆସନରୁ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରିଛି। ଏହା ପୂର୍ବରୁ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା। ଦଳ ଗତ ନିର୍ବାଚନର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପୁଣି ଥରେ ପିପିଲି ମଇଦାନକୁ ଓହ୍ଲାଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ପ୍ରମୁଖ ନବୀନ ପଟ୍ଟନାୟକ ଶୁକ୍ରବାର ରୁଦ୍ରଙ୍କ ନାମ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୭ରେ ପିପିଲି ଉପ ନିର୍ବାଚନର ମତଦାନ ହେବ।
ପିପିଲି ଉପ ନିର୍ବାଚନ ପାଇଁ ମାର୍ଚ୍ଚ ୨୩ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୦ ରହିଛି। ଏହା ପୂର୍ରବୁ ଶାସକ ବିଜେଡି ସବୁ କଳ୍ପନାର କଳ୍ପନାର ଅବସାନ ଘଟାଇ ସ୍ଵର୍ଗତଃ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ମହାରଥୀଙ୍କୁ ନିଜର ପ୍ରାର୍ଥୀ କରିଛି। ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା।
ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ପ୍ରଥମେ ଚର୍ଚ୍ଚା ଜୋର ଧରିଥିଲା। ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଥିଲେ ଯେ, ଉପ-ନିର୍ବାଚନରେ ଲଢିବାକୁ ସୁଯୋଗ ମିଳିଲେ ସେ ଖୁସି ହେବେ । ଦଳୀୟ ମୁଖ୍ୟଙ୍କ ଆଭିମୁଖ୍ୟକୁ ଦୃଷ୍ଟିରେ ରଖିଲେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ରାଜନୀତିକୁ ଆସିପାରନ୍ତି ବୋଲି ଆଲୋଚନା ହେଉଥିଲା। ଅନ୍ୟପଟେ ବିଜେପି ପରାଜିତ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପୁଣି ଥରେ ପିପିଲି ମଇଦାନରେ ଓହ୍ଲାଇଥିବା ବେଳେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ ଦଳୀୟ ହାଇକମାଣ୍ଡଙ୍କ ଉପରେ ସଭିଙ୍କ ନଜର ରହିଛି।
ପିପିଲି ବିଧାନସଭା ମଣ୍ଡଳ ବିଜେଡିର ଗଡ ଭାବେ ପରିଚିତ। ୨୦୦୦ ମସିହା ପରଠୁ ଅର୍ଥାତ ବିଜେଡି ଦଳ ଗଠନ ଦିନଠୁ ଏହି ଆସନରେ ଦଳର ଦବଦବା ରହି ଆସିଛି। ପ୍ରଦୀପ ମହାରଥୀ କ୍ରମାଗତ ପାଞ୍ଚ ଥର ପିପିଲିରୁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମହାରଥୀଙ୍କ ଯୋଗୁଁ ପିପିଲି ବିରୋଧୀ ବିଜେପି ଓ କଂଗ୍ରେସ ପାଇଁ ଏ ଯାଏଁ ଅଭେଦ୍ୟ ଦୁର୍ଗ ପାଲଟିଛି। ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ମହାରଥୀ ବିଜୟ ହାସଲ କରିଥିଲେ। ତେବେ ପ୍ରଥମ ଥର ବିଜେଡି ମହାରଥୀଙ୍କ ବିନା ମଇଦାନକୁ ଓହ୍ଲାଇବ।
ବିଜେଡିର ଅଭେଦ୍ୟ ଦୁର୍ଗ ରହିଆସିଥିବା ପିପିଲି ନିର୍ବାଚନ ମଣ୍ଡଳୀ ଅକ୍ତିଆର କରିବାକୁ ବିରୋଧୀ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଜେପିରୁ ଦଳର ଜିଲ୍ଲା ସଭାପତି ଭାବେ ମଙ୍ଗ ଧରିଥିବା ଆଶ୍ରିତ ପଟ୍ଟନାୟକ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେପି ତାଙ୍କ ଉପରେ ଭରସା କରି ପୁଣି ଥରେ ପ୍ରାର୍ଥୀ କରିଛି। ଅଞ୍ଚଳବାସୀଙ୍କ ପ୍ରମୁଖ ସମସ୍ୟାକୁ ଅସ୍ତ୍ର କରାଯାଇ ଘନଘନ ପ୍ରଚାର ଆରମ୍ଭ ହୋଇଛି। ପିପିଲି ଉପନିର୍ବାଚନରେ ଜିତି ନିଜର ପତିଆରା ଜାହିର କରିବାକୁ ୨ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରଶାସନିକ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ବିଜେଡି, ବିଜେପି ଓ କଂଗ୍ରେସ ସମାନ୍ତରାଳ ପଦକ୍ଷେପ ନେଉଥିବା ନଜର ଆସୁଛି ।
୨୦୧୯ ନିର୍ବାଚନରେ ଏହି ଆସନରେ ଶାସକ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିଥିଲା। ମହାରଥୀଙ୍କୁ ୮୮, ୫୧୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଆସ୍ରିତ ପଟ୍ଟନାୟକଙ୍କୁ ୭୧, ୭୩୧ ଭୋଟ୍ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ମାତ୍ର ୯,୮୩୦ ଭୋଟ୍ ସାଉଁଟିବାରେ ସକ୍ଷମ ହୋଇଥିଲେ।
Comments are closed, but trackbacks and pingbacks are open.