ପିପିଲି-ଡେଲାଙ୍ଗର ବିକାଶ ଦାୟିତ୍ୱ ମୁଁ ନେବି:ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ପିପିଲି-ଡେଲାଙ୍ଗ ଅଞ୍ଚଳରେ ବହୁତ ଭଲ କାମ ହୋଇଛି । ଆଗକୁ ଆହୁରି ଅନେକ ଭଲ ଭଲ କାମ ପାଇଁ ସୁଯୋଗ ରହିଛି । ପିପିଲି-ଡେଲାଙ୍ଗର ବିକାଶ ଦାୟିତ୍ୱ ଏଣିକି ମୋର । ଆପଣଙ୍କ ଅଞ୍ଚଳରେ ବିକାଶମୂଳକ କାମ ମୁଁ ନିଜେ ବୁଝିବି । ମୋର ଅନୁରୋଧ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆପଣମାନେ ଆଶୀର୍ବାଦ କରନ୍ତୁ ।
ପିପିଲି-ଡେଲାଙ୍ଗବାସୀଙ୍କୁ ଏମତି ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ଭୋଟ ମାଗିଛନ୍ତି । ତେବେ କରୋନା ଦୂର ହେବା ପରେ ସେ ନିଜେ ପିପିଲି-ଡେଲାଙ୍ଗ ଯାଇ ଲୋକମାନଙ୍କୁ ଭେଟିବେ ବୋଲି ପ୍ରତଶ୍ରୁତି ଦେଇଛନ୍ତି ।
କରୋନା କାରଣରୁ ନବୀନ ନିବାସରୁ ଭର୍ଚୁଆଲରେ ପିପିଲି-ଡେଲାଙ୍ଗବାସୀଙ୍କ ସହ ଯୋଡ଼ି ହୋଇ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଭୋଟ ପ୍ରଚାର କରିଛନ୍ତି । ଜନସାଧାରଣଙ୍କୁ ନମସ୍କାର କରି ନବୀନ କହିଲେ, ମୁଁ ଜାଣେ ମୋ ପ୍ରତି ଆପଣମାନଙ୍କର ବହୁତ ଭଲ ପାଇବା ରହିଛି । ଯଦି ମୁଁ ପିପିଲି-ଡେଲାଙ୍ଗ ଯାଇଥାନ୍ତି ତେବେ ଆପଣମାନେ ମୋତେ ଆର୍ଶୀବାଦ କରିବାକୁ ବହୁ ସଂଖ୍ୟାରେ ଏକାଠି ହୋଇଥାନ୍ତେ । ମାତ୍ର ଭାବିଲି କୋଭିଡ୍ ସମୟରେ ଏହା ଉଚିତ୍ ହେବ ନାହିଁ । ମୋ ପାଇଁ କିଏ ବିପଦରେ ପଡ଼ୁ ଏହା ମୁଁ ଚାହେଁ ନାହିଁ । ସେଥିପାଇଁ ଆଜି ଭିଡିଓ କନଫରେନ୍ସିଂରେ ଆପଣମାନଙ୍କୁ ଭେଟୁଛି । ଆପଣଙ୍କ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଯୋଗୁଁ ଏ ଉପ ନିର୍ବାଚନ ହେଉଛି ।
ନବୀନ କହିଲେ, ପିପିଲିର ଜନସାଧାରଣ ସବୁବଳେ ବିଜୁ ଜନତା ଦଳ ସହିତ ଅଛନ୍ତି । ବିଜୁ ବାବୁଙ୍କ ପ୍ରତି ଓ ବିଜୁ ପରିବାର ପ୍ରତି ଆପଣମାନଙ୍କର ବହୁତ ଭଲ ପାଇବା ରହିଛି । ଅପ୍ରେଲ ୧୭ରେ ଆମେ ବିଜୁ ବାବୁଙ୍କର ତେଇଶ ତମ ଶ୍ରାଦ୍ଧଦିବସ ପାଳନ କରୁଛେ । ବିଜୁବାବୁ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ଅମୂଲ୍ୟ ରନô । ସେ ସବୁବେଳେ ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ।
ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ । ସେ ଚାଷୀ ମାନଙ୍କର ବିକାଶ ହେଉ ବା ଗରିବ ଲୋକର କଲ୍ୟାଣ । ମା’ମାନଙ୍କ ବିକାଶ ହେଉ ବା ଭିତ୍ତିଭୂମିର ବିକାଶ । ସବୁଥିରେ ଓଡ଼ିଶା ସାରା ଦେଶରେ ଆଜି ଆଗରେ । ଆମ ରାଜ୍ୟର ୭୦ ଲକ୍ଷ ମା’ ମାନଙ୍କୁ ନେଇ ଗଠିତ ମିଶନ ଶକ୍ତି ଆଜି ବିକାଶର ସାରଥି ହୋଇଛି । ମା’ ମାନଙ୍କର ସମୃଦ୍ଧି ହିଁ ପରିବାରର ସମୃଦ୍ଧି । ଆଜି ଆମର ମା’ମାନେ ହେଉଛନ୍ତିି ଗାଁ, ପଞ୍ଚାୟତ, ବ୍ଲକ୍ ଆଦିରେ ଥିବା ସରକାରୀ ସମ୍ପତ୍ତିର ମାଲିକ । ମୋର ଅନୁରୋଧ ମା’ ମାନେ ବହୁ ସଂଖ୍ୟାରେ ଆସି ଶଙ୍ଖ ଚିହ୍ନରେ ଭୋଟ ଦେଇ ଆମକୁ ଆର୍ଶିବାଦ କରନ୍ତୁ ।
ନବୀନ ବେଶ ଭାବପ୍ରବଣ ହୋଇ କହିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରେÂ ଭକ୍ତ ଦାସିଆଙ୍କ ପବିତ୍ର ଭୂମି ହେଉଛି ପିପିଲି-ଡେଲାଙ୍ଗ । ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରାର ସ୍ମୃତିରେ ଧନ୍ୟ ହୋଇଛି ଏ ପିପିଲି-ଡେଲାଙ୍ଗ । ଏ ମାଟି ହେଉଛି କଳାର ଭୂମି । ଏହାର ଚାନ୍ଦୁଆ ଦେଶ ବିଦେଶରେ ଓଡିଶା ପାଇଁ ସୁନାମ ଆଣିଛି । ଧନ୍ୟ ଏ ମାଟି, ଧନ୍ୟ ତାର ଇତିହାସ । ଏ ମାଟିକୁ ମୋର ପ୍ରଣାମ । ଆଜି ସାରା ଓଡ଼ିଶା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ପାଳନ କରୁଛି । ବେରବୋଇ ଆଶ୍ରମରେ ବାପୁ ଆଠ ଦିନ ରହିଥିଲେ । ଆଜି ପିପିଲି-ଡେଲାଙ୍ଗ ଯାଇଥିଲେ ମୁଁ ବହୁତ ଖୁସି ହୋଇଥାନ୍ତି ।
ମୁଖ୍ୟମନ୍ତ୍ରୀ କହିଲେ, କରୋନାକୁ ରୋକିବା ପାଇଁ ମଧ୍ୟ ଓଡ଼ିଶା ବହୁତ ଭଲ କାମ କରିଛି । ଆପଣମାନେ ଜାଣନ୍ତି କରୋନାର ଦ୍ୱିତୀୟ ଲହର ଭୟ ଏବେ ଦେଖା ଦେଇଛି । ତେଣୁ ଆମକୁ ସତର୍କ ରହବାକୁ ହେବ । ମୋର ଅନୁରୋଧ ଆପଣମାନେ କୋଭିଡ୍ ନିୟମ ପାଳନ କରନ୍ତୁ । ଘରୁ ବାହାରିଲେ ଠିକ୍ ଭାବରେ ମାସ୍କ ପିନ୍ଧି ଯାଆନ୍ତୁ । ପୁଣି ଥରେ ଆପଣମାନଙ୍କୁ ଅନୁରୋଧ କରୁଛି, ବିଜୁ ଜନତା ଦଳର ପ୍ରାର୍ଥୀକୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons