ନନ୍ଦପୁର: ଅନେକ ସ୍ୱପ୍ନ ଦେଖିଥିଲେ । ପୁଅ ବାହା କରି ଘରକୁ ବୋହୂ ଆଣିଥିଲେ । ଭାବିଥିଲେ, ସୁଖରେ କଟିଯିବ ପରିଣତ ବୟସ । ହେଲେ ପୁଅ ବାହାଘର ପରେ ସବୁକିଛି ଓଲଟପାଲଟ ହୋଇଗଲା । ଘର ଛୋଟ ଥିବାରୁ ପରିବାରର ମୁଖିଆ ସଦନ ଅନ୍ୟ ୩ ସନ୍ତାନଙ୍କୁ ଧରି ବାହାରେ ଶୋଇଲେ । ଏବେ ପରିସ୍ଥିତି ଏମତି ହୋଇଛି ଯେ, ବୋହୂର ମୃତୁ୍ୟ ପରେ ପୁଅ ସବୁଦିନ ପାଇଁ ଘରୁ ତଡ଼ି ଦେଇଛି । ପଡୋଶୀ ପିଣ୍ଡାରେ ଆଶ୍ରୟ ନେଇଛନ୍ତି ରାଇସିଂ ସଦର ପଞ୍ଚାୟତ ତଳସାହିର ସଦନ ମୁଦୁଲି ଓ ତାଙ୍କ ଅନ୍ୟ ୩ ପୁଅଝିଅ ।
୫ପ୍ରାଣୀ କୁଟୁମ୍ବଙ୍କୁ ନେଇ ସଦନଙ୍କ ସଂସାର । ସ୍ତ୍ରୀଙ୍କ ମୃତୁ୍ୟ ପରେ ବଡ଼ପୁଅକୁ ବାହା କରି କୁଟୁମ୍ବ ଚଳାଇବା ଲକ୍ଷ୍ୟରେ ଘରକୁ ବୋହୂ ଆଣିଥିଲେ । ସଦନଙ୍କ ଘର ଛୋଟ ଥିବାରୁ ସମସ୍ତଙ୍କ ପାଇଁ ଚଳିବା କଷ୍ଟକର ହେଉଥିଲା । ବାହାଘର ପରେ ଉଭୟ ପୁଅବୋହୂଙ୍କୁ ଘରେ ରଖି ସଦନ ତାଙ୍କ ଅନ୍ୟ ୩ ପୁଅଝିଅଙ୍କୁ ଧରି ପଡୋଶୀ ହରି ମୁଦୁଲିଙ୍କ ପିଣ୍ଡାରେ ଆଶ୍ରୟ ନେଇଛନ୍ତି । କିଛିଦିନ ତଳେ ବୋହୂର ମୃତୁ୍ୟ ହୋଇଗଲା । ତଥାପି ବଡ଼ପୁଅ ସେମାନଙ୍କୁ ଆଉ ଘରେ ଆଶ୍ରୟ ଦେଲେନି ବୋଲି ଦୁଃଖର ସହିତ କହିଛନ୍ତି ସଦନ । ଏମିତିକି ରେସନ କାର୍ଡରେ ୫ଜଣଙ୍କ ନାଁ ଥିବାରୁ ବଡ଼ପୁଅ ମାସିକ ୫କେଜି ଚାଉଳ ନେଇଯାଉଛି । ଏବେ ବର୍ଷାଦିନ । ୩ ପିଲାଙ୍କୁ ଧରି ପର ପିଣ୍ଡାରେ ଆଶ୍ରିତ ସଦନଙ୍କ ଅବସ୍ଥା ସଙ୍ଗୀନ ହେବାରେ ଲାଗିଛି । ଆବାସ ଗୃହଟିଏ ଯୋଗାଇ ଦେବାକୁ ସଦନ ୱାର୍ଡମେମ୍ବରଙ୍କ ଜରିଆରେ ପ୍ରଶାସନ ନିକଟରେ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ଏସିସି ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ତାଙ୍କୁ ଏଥିରୁ ବଞ୍ଚିତ କରାଯାଇଥିବା କ୍ଷୋଭର ସହ କହିଛନ୍ତି । ଅନ୍ୟପକ୍ଷରେ ଦୁଇ ପୁଅ ଓ ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଜିଲ୍ଲା ପ୍ରଶାସନ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାରକୁ ନେବା ଦରକାର । ଯୁଦ୍ଧକାଳୀନ ଭିତ୍ତିରେ ସଦନଙ୍କୁ ଥଇଥାନ ସାଙ୍ଗକୁ ଆବାସ ଯୋଜନାରେ ସାମିଲ କରିବାକୁ ନିବେଦନ କରାଯାଇଛି । ନହେଲେ ତାଙ୍କ ୩ ପିଲାଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ । ଦେଖାଯାଉ, ଅସହାୟ ସଦନଙ୍କୁ କେବେ ସାହା ହେଉଛନ୍ତି ଜିଲ୍ଲାପାଳ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.