ପୁଣି ଅଟକିଲା ଫାଶୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ନିର୍ଭୟା ଗଣବଳାକ୍ରାର ଓ ହତ୍ୟା ଘଟଣାର ୪ ଦୋଷୀ ରାତି ପାହିଥିଲେ ଫାଶୀ ଖୁଣ୍ଟରେ ଝୁଲିଥାନ୍ତେ । କିନ୍ତୁ ଆଇନର ଗଳାବାଟ ବ୍ୟବହାର କରି ଦୋଷୀମାନେ ପୁଣିଥରେ ଫାଶୀକୁ ରୋକିବାରେ ସଫଳ ହୋଇଛନ୍ତି । ଘଟଣାର ଅନ୍ୟତମ ଦୋଷୀ ପବନ ଗୁପ୍ତା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିବାରୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମଙ୍ଗଳବାର ଦୋଷୀମାନେ ପାଇବାକୁ ଥିବା ଫାଶୀ ଉପରେ ରୋକ ଲଗାଇଛନ୍ତି । ରାଜକ୍ଷମା ଆବେଦନ ସମ୍ପର୍କିତ ରାୟ ଆସିବା ପରେ ନୂଆ ଡେଥ ୱାରେଣ୍ଟ ଜାରି କରାଯିବ ବୋଲି କୋର୍ଟ କହିଛନ୍ତି । ସୋମବାର ପବନର କୁ୍ୟରେଟିଭ ପିଟିସନ ସୁପି୍ରମକୋର୍ଟରେ ଖାରଜ ହେବା ପରେ ସେ ରାଜକ୍ଷମା ଆବେଦନ କରିଥିଲା ।
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏନ୍ ଭି ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ସୋମବାର ପବନର କୁ୍ୟରେଟିଭ ପିଟିସନ ଖାରଜ କରିଦେଇଥିଲେ । ତାକୁ ମିଳିଥିବା ମୃତୁ୍ୟଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇବାକୁ ସେ ପିଟିସନରେ ନିବେଦନ କରିଥିଲା । ସେପଟେ ଡେଥ୍ ୱାରେଣ୍ଟ ଉପରେ ରୋକ ଲଗାଇବାକୁ ଦୋଷୀ ଅକ୍ଷୟ ଏବଂ ପବନର ଆବେଦନକୁ ମଧ୍ୟ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ସୋମବାର ଖାରଜ କରି ଦେଇଥିଲେ । କୁ୍ୟରେଟିଭ ପିଟିସନ ଖାରଜ ହେବା ପରେ ପବନଙ୍କ ଓକିଲ ଏପି ସିଂହ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲେ । ରାଜକ୍ଷମା ଆବେଦନ କରିବା ପରେ ସେ ତୁରନ୍ତ ପଟିଆଲା ହାଉସ କୋର୍ଟରେ ପହଞ୍ଚି ରାଜକ୍ଷମା ଆବେଦନ ହୋଇଥିବା କାରଣରୁ ଫାଶୀ ଉପରେ ରୋକ ଲଗାଇବାକୁ ପିଟିସନ ଦାୟର କରିଥିଲେ । ଏହା ଉପରେ ଶୁଣାଣି କରି କୋର୍ଟ ଫାଶୀ ଉପରେ ରୋକ ଲଗାଇଛନ୍ତି ।
ତେବେ ମାମଲାର ଶୁଣାଣି ସମୟରେ ପଟିଆଲା ହାଉସ୍ କୋର୍ଟର ଅତିରିକ୍ତ ଦୌରାଜଜ ଧର୍ମେନ୍ଦ୍ର ରାଣା ଆଡଭୋକେଟ ସିଂହଙ୍କ ଉପରେ ଖୁବ୍ ବର୍ଷିଥିଲେ । କହିଥିଲେ, ଆପଣ ବାରମ୍ବାର ନିଆଁ ସହ ଖେଳୁଛନ୍ତି । ଏନେଇ ଆପଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । କୌଣସି ବ୍ୟକ୍ତିର ଭୁଲ ପଦକ୍ଷେପ ଦ୍ୱାରା ପରିଣାମ କେତେ ଭୟାବହ ହୋଇପାରେ ଏହା ଆପଣ ଜାଣି ରଖିବା ଆବଶ୍ୟକ ।
ଗତ ଫେବ୍ରୁଆରୀ ୧୭ ତାରିଖରେ ତୃତୀୟଥର ପାଇଁ ପଟିଆଲା ହାଉସ୍ କୋର୍ଟ ୪ ଦୋଷୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି କରିଥିଲେ । ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ସେମାନଙ୍କୁ ତିହାର ଜେଲ୍ରେ ଫାଶୀ ଦେବାକୁ କୋର୍ଟ କହିଥିଲେ । ଏହା ପୂର୍ବରୁ ପ୍ରଥମେ ଜାନୁଆରୀ ୨୨ ଓ ପରେ ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦେବାକୁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଥିଲେ ମଧ୍ୟ ଦୋଷୀଙ୍କ କୁ୍ୟରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ବିଚାରାଧୀନ ରହିଥିବା ଆଧାରରେ ତାହା ଉପରେ ରହିତାଦେଶ ଲାଗୁ କରାଯାଇଥିଲା ।
ସେପଟେ ଝିଅକୁ ନ୍ୟାୟ ଦେବା ପାଇଁ ୮ ବର୍ଷ ହେବ ଲଢେ଼ଇ କରିଆସୁଥିବା ନିର୍ଭୟାଙ୍କ ମା’ ଫାଶୀ ଅଟକିବା ପରେ ଭାଙ୍ଗି ପଡ଼ିଛନ୍ତି । ଏନେଇ ନିଜ ପ୍ରତିକ୍ରିୟା ରଖି ସେ କହିଛନ୍ତି, ‘ଦୋଷୀମାନେ ନ୍ୟାୟିକ ବ୍ୟବସ୍ଥାର ଅପବ୍ୟବହାର କରିଛନ୍ତି । ଆଡଭୋକେଟ ସିଂହ ଜଣେ ଆଇନ ରକ୍ଷାକାରୀ ହୋଇ ବେଆଇନ କାମ କରୁଛନ୍ତି । ଦୋଷୀମାନେ କେବେ ଫାଶୀ ଖୁଣ୍ଟରେ ଝୁଲିବେ ସେ ଦିନକୁ ମୁଁ ଅପେକ୍ଷା କରି ରହିଛି । ଦୋଷୀମାନଙ୍କୁ ଫାଶୀ ମିଳିଲେ ଶାନ୍ତିରେ ନିଶ୍ୱାସ ନେବି । ଫାଶୀ ବାରମ୍ବାର ଘୁଞ୍ଚିବା ଭାରତର ଦୁର୍ବଳ ନ୍ୟାୟିକ ବ୍ୟବସ୍ଥାକୁ ପ୍ରମାଣିତ କରୁଛି ।
ଉଲ୍ଲେଖଯୋଗ୍ୟ, ଏହି ମାମଲାର ୪ ଦୋଷୀ ଅକ୍ଷୟ, ବିନୟ, ମୁକେଶ ଏବଂ ପବନର କୁ୍ୟରେଟିଭ ପିଟିସନ ଖାରଜ ହୋଇସାରିଛି । ପବନ ବ୍ୟତୀତ ଅନ୍ୟମାନଙ୍କର ରାଜକ୍ଷମା ଆବେଦନ ମଧ୍ୟ ଖାରଜ ହୋଇସାରିଛି । ତେବେ ପବନ ନିକଟରେ ରାଜକ୍ଷମା ଆବେଦନ କରିବାର ବିକଳ୍ପ ବାକି ରହିଥିଲା । ରାଜକ୍ଷମା ଖାରଜ ହେବା ପରେ ଦୋଷୀମାନଙ୍କୁ ୧୪ ଦିନ ସମୟ ଦେବାର ନିୟମ ରହିଛି । ଏଣୁ ଫାଶୀ ଅତି କମ୍ରେ ୧୪ ଦିନ ବିଳମ୍ବିତ ହେବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons