ନୂଆଦିଲ୍ଲୀ: ପାକିସ୍ତାନର ଏଫ୍-୧୬କୁ ଆକାଶମାର୍ଗରେ କ୍ଷେପଣାସ୍ତ୍ର ମାଡ଼ କରି ବୀରତ୍ୱ ଦେଖାଇଥିବା ସ୍କ୍ୱାଡ୍ରନ ଲିଡର ଅଭିନନ୍ଦନ ମାତ୍ର ୬ ମାସ ବ୍ୟବଧାନରେ ପୁଣି ଥରେ ଉଡ଼ିବା ଆରମ୍ଭ କରିଛନ୍ତି । ଆଜି ଉଡ଼ାଇଛନ୍ତି ତାଙ୍କର ପ୍ରିୟ ବିମାନ ମିଗ୍-୨୧ । ଅଭିନନ୍ଦନଙ୍କୁ ସମ୍ମାନ ଜଣାଇବାକୁ ତାଙ୍କ ସହ ଆଜି ସହ-ପାଇଲଟ ଆସନରେ ଥିଲେ ଖୋଦ୍ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବି.ଏସ. ଧନୋଆ ।
ପଠାନକୋଟ ସ୍ଥିତ ବାୟୁସେନା ଷ୍ଟେସନରେ ଅଭିନନ୍ଦନ ଓ ଏୟାର ମାର୍ଶଲ ବି ଏସ ଧନୋଆ ମିଳିତ ଭାବେ ଏକ ମିଗ-୨୧ ପ୍ରଶିକ୍ଷଣ ବିମାନ ଉଡ଼ାଇଥିଲେ । ଉଭୟ ଅଧଘଣ୍ଟା ଯାଏଁ ଏହି ବିମାନ ଉଡ଼ାଇଥିଲେ । ଏହା ସହିତ କିଛି ଦଶନ୍ଧିର ବ୍ୟବଧାନ ପରେ ଶତ୍ରୁ ହାତରେ ଧରାପଡ଼ିଥିବା ଜଣେ ପାଇଲଟଙ୍କୁ ପୁଣି ଥରେ ଯୁଦ୍ଧବିମାନ ଉଡ଼ାଇବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି ।
ଆଜିର ଉଡ଼ାଣ ପରେ ବାୟୁସେନା ମୁଖ୍ୟ କହିଛନ୍ତି ଯେ ଅନେକ କାରଣରୁ ଅଭିନନ୍ଦନଙ୍କ ସହ ସେ ଆଜି ମିଳିତ ଭାବେ ମିଗ୍-୨୧ ଚଳାଇବା ହେଉଛି ସ୍ୱତନ୍ତ୍ର ଘଟଣା । ପ୍ରଥମ କାରଣ, ଅବସର ନେବା ପୂର୍ବରୁ ଆଜି ଥିଲା ତାଙ୍କର ଶେଷ ବିମାନ ଉଡ଼ାଣ ।
ଦ୍ୱିତୀୟ କାରଣ- ଉଭୟ ବାୟୁସେନା ମୁଖ୍ୟ ଓ ଅଭିନନ୍ଦନ ଭିନ୍ନ ଭିନ୍ନ ସମୟରେ ପାକିସ୍ତାନ ଉପରେ ବିମାନ ଆକ୍ରମଣରେ ସାମିଲ ଥିଲେ । ଏୟାର ମାର୍ଶଲ ଧନୋଆ କାରଗିଲ ଯୁଦ୍ଧ ସମୟରେ ଏଲ୍ଓସି ନିକଟରେ ପାକ୍ ଟାର୍ଗେଟଗୁଡ଼ିକ ଉପରେ ବୋମା ମାଡ଼ କରିଥିଲା ବେଳେ ଅଭିନନ୍ଦନ ଗତ ଫେବ୍ରୁଆରୀରେ ପାକ୍ ଯୁଦ୍ଧ ବିମାନ ଉପରେ ଆକ୍ରମଣ କରିଥିଲେ ।
ତୃତୀୟ କାରଣ- ଏୟାର ମାର୍ଶଲ ଧନୋଆ ପୂର୍ବରୁ ବାୟୁସେନାରେ ପାଇଲଟ ଥିବା ଅଭିନନ୍ଦନଙ୍କ ପିତାଙ୍କ ସହ ବି ଏକାଠି ବିମାନ ଉଡ଼ାଇଥିଲେ । ଏବେ ତାଙ୍କ ପୁଅଙ୍କ ସହ ବିମାନ ଉଡ଼ାଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରୀ ମାସରେ ପାକିସ୍ତାନର ଏଫ-୧୬ ଯୁଦ୍ଧବିମାନକୁ ଖସାଇବାରେ ସଫଳ ହୋଇଥିଲେ ସ୍କ୍ୱାଡ୍ରନ ଲିଡର ଅଭିନନ୍ଦନ ବର୍ଦ୍ଧମାନ । ଫେବ୍ରୁଆରୀ ୨୭ରେ ଭାରତ ଭିତରକୁ ପଶି ଆସିଥିବା ପାକ୍ ବିମାନଗୁଡିକୁ ଘଉଡ଼ାଇବା ପାଇଁ ଏକ ମିଗ୍ ୨୧ ବାଇସନ ବିମାନ ଯୋଗେ ଅଭିନନ୍ଦନ ଆକାଶକୁ ଉଡ଼ାଣ ଭରିଥିଲେ । ସେ ମିସାଇଲ ମାଡ଼ କରି ପାକିସ୍ତାନର ଗୋଟିଏ ଏଫ-୧୬ ଯୁଦ୍ଧବିମାନକୁ ଖସାଇ ଦେଇଥିଲେ । କିନ୍ତୁ ଏହାପରେ ତାଙ୍କର ବିମାନ ପାକ୍ ଆକ୍ରମଣରେ ନଷ୍ଟ ହୋଇଥିଲା । ବାଧ୍ୟହୋଇ ସେ ପିଓକେ (ପାକ୍ ଅଧିକୃତ କାଶ୍ମୀର) ମାଟିରେ ପାରାସୁ୍ୟଟ ଯୋଗେ ଓହ୍ଲାଇଥିଲେ । ପାକ୍ ସେନା ତାଙ୍କୁ ଦୁଇ ଦିନ ବନ୍ଦୀ ରଖିବା ପରେ ଭାରତ ଓ ଆନ୍ତର୍ଜାତିକ ଚାପରେ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲା । ତେବେ ପାରାସୁ୍ୟଟ ସାହାଯ୍ୟରେ ପିଓକେରେ ଅବତରଣ କରିବା ସମୟରେ ଅଭିନନ୍ଦନଙ୍କ ଦେହରେ ଆଘାତ ଲାଗିଥିଲା । ସେଥିପାଇଁ କିଛି ମାସ ଧରି ତାଙ୍କର ଚିକିତ୍ସା ଚାଲିଥିଲା । ଏଥିସହ ସେ ମାନସିକ ଭାବେ ଆଉ ବିମାନ ଉଡ଼ାଣ କରିପାରିବେ କି ନାହିଁ ପ୍ରଶ୍ନ ଉଠିଥିଲା । କିନ୍ତୁ ଗତ ମାସରେ ସେ ଯୁଦ୍ଧବିମାନ ଚଳାଇବା ପାଇଁ ପୂରା ଫିଟ୍ ଅଛନ୍ତି ବୋଲି ବାୟୁସେନା ତରଫରୁ ସ୍ୱୀକୃତି ଦିଆଯାଇଥିଲା ।
Comments are closed, but trackbacks and pingbacks are open.