ବାଳକାଟି,(ବି.ବି.ନ୍ୟୁଜ୍): ହାଇୱା ଧକ୍କାରେ ପୁଅ ସାମ୍ନାରେ ବାପାଙ୍କ ଜୀବନ ଚାଲି ଯାଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସରଦେଇପୁର-ନିମାପଡ଼ା ରାସ୍ତା ବାଳକାଟି ଭାର୍ଗବୀ ବ୍ରିଜ୍ ଉପରେ । ମୃତକ ଜଣକ ହେଲେ ପୁରୀ ଜିଲ୍ଲା ନିମାପଡା ଥାନା ଚଅଁରପଦା ପଞ୍ଚାୟତ ଛତାହର ଗ୍ରାମର ସୁକାନ୍ତ ନାୟକ (୫୦) । ପୁଅ ସିପୁନ (୧୮) ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଗାଡ଼ି ଚାଳକ ଫେରାର ହୋଇଯାଇଛି । ମିଳିଥିବା ସୂଚନା ମୁତାବକ, ଶନିବାର ସକାଳୁ ସୁକାନ୍ତ ପୁଅ ସିପୁନକୁ ସାଙ୍ଗରେ ଧରି ବାଇକ୍ (ଓଡି୧୩ଏଲ୍-୬୮୫୫)ରେ ଘରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । ସୁକାନ୍ତ ବାଇକ୍ ଚଳାଉଥିଲେ । ପୂର୍ବାହ୍ନ ସାଢେ ୧୧ଟାରେ ସେ ବ୍ରିଜ୍ ଅତିକ୍ରମ କରୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ବାଲି ବୋଝେଇ ହାଇୱା (ଓଡି୦୪ଜି୮୨୯୯) ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ସୁକାନ୍ତଙ୍କ ଉପରେ ହାଇୱା ପଛ ଚକା ଚଢି ଯାଇଥିଲା । ସିପୁନ୍ ଛିଟିକି ଯାଇ ରାସ୍ତାକଡ଼ରେ ପଡିଥିଲେ । ଆହତ ଅବସ୍ଥାରେ ସିପୁନ୍ ଉଠି ଆସି ଦେଖିବା ବେଳକୁ ତାଙ୍କ ବାପା ଆଉ ଜୀବିତ ନଥିଲେ ।
ଆଖି ସାମ୍ନାରେ ବାପାଙ୍କ ମୃତଦେହ ଦେଖି ସିପୁନ୍ ହତ୍ବାକ୍ ହୋଇଯାଇଥିଲେ । ତାଙ୍କ ପାଟିରୁ କଥା ବାହାରି ନଥିଲା । ସ୍ଥାନୀୟ ଲୋକେ ସିପୁନକୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶୁ ଚିକିତ୍ସା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକ ତାତିଥିଲେ । ପୁଣି ବାଲି ବୋଝେଇ ହାଇୱା ଦୁର୍ଘଟଣା ଖବର ଶୁଣି ଆଖପାଖରୁ ଶହେରୁ ଅଧିକ ଲୋକ ସେଠାରେ ପହଞ୍ଚିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ଏପରିକି ନିଆଁ ଲଗାଇ ଦେଇଥିଲେ । ଏହି ରାସ୍ତାରେ ଦିନ ବେଳା ବାଲି ବୋଝେଇ ଟ୍ରକ ଯାତାୟାତ ବନ୍ଦ କରିବାକୁ ଅଡି ବସିଥିଲେ । ଦୀର୍ଘ ଘଣ୍ଟାଏ ପର୍ଯ୍ୟନ୍ତ ସରଦେଇପୁର-ନିମାପଡା ରାସ୍ତାର ଉଭୟ ପାଶ୍ୱର୍ରେ ଗାଡିର ଲମ୍ବା ଲାଇନ୍ ଲାଗିଥିଲା । ଘଟଣାସ୍ଥଳରେ ଜୋନ୍-୪ ଏସିପି ଅମରେନ୍ଦ୍ର ପଣ୍ଡା, ବାଲିଅନ୍ତା ଥାନାଧିକାରୀ ପ୍ରଦୀପ କୁମାର ରାଉତ, ବାଳକାଟି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର କୁମାର ସାହୁ ପହଞ୍ଚିଥିଲେ । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପ୍ରାୟ ୩ ଘଣ୍ଟା ପରେ ଏହି ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ବାଳକାଟି ଫାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପୁଲିସ ବାଲି ବୋଝେଇ ହାଇୱାକୁ ଜବତ କରିଛି ।
Comments are closed, but trackbacks and pingbacks are open.