ପୁଣି ଦେଖାଦେଇଛି ସୀମା ବିବାଦ : ୨ ପଡ଼ୋଶୀ ଗାଁ ମଧ୍ୟରେ ସଂଘର୍ଷ

Get real time updates directly on you device, subscribe now.

ଗଜପତି : ପୁଣି ଦେଖାଦେଇଛି ସୀମା ବିବାଦ । ହେଲେ ସରକାରୀ ସ୍ତରରେ ନୁହେଁ । ସୀମାକୁ ନେଇ ଉଭୟ ରାଜ୍ୟର ୨ ପଡ଼ୋଶୀ ଗାଁ ମଧ୍ୟରେ ହୋଇଛି ସଂଘର୍ଷ । ଓଡିଶାର କାଜୁ ତୋଟାକୁ ଆନ୍ଧ୍ରର ବୋଲି ଦାବୀ କରି ଆନ୍ଧ୍ର ପ୍ରଦେଶର ସିଙ୍ଗିପୁର ଗ୍ରାମବାସୀ ଗଛ କାଟିଥିଲେ । ଏହାର ପ୍ରତିବାଦ କରିବାରୁ ଓଡିଶାର ଚମ୍ପାପୁର ବାସୀଙ୍କୁ ନିର୍ଦ୍ଦୁମ ଛେଚିଲେ । ଏହାକୁ ନେଇ ଉଭୟ ଗ୍ରାମବାସୀ ନିଜ ନିଜ ଥାନାରେ ଅଭିଯୋଗ କରିଛନ୍ତି । ଗାରବନ୍ଧ ପୋଲିସ ଘଟଣାର ଅନୁଧ୍ୟାନ କରୁଥିବା ବେଳେ ସୀମା ନିର୍ଦ୍ଦାରଣ ପାଇଁ ପ୍ରଶାସନ କାର୍ୟ୍ୟ ଆରମ୍ଭ କରିବ ବୋଲି କହିଛି ।
ଆନ୍ଧ୍ର ଓଡିଶା ସୀମାନ୍ତବର୍ତି ଓଡିଶାର ଏକ ସ୍ଥାନରେ ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ଚମ୍ପାପୁର ଗ୍ରମାବାସୀ ଏକ କାଜୁ ତୋଟା କରି ଦୀର୍ଘ ବର୍ଷ ହେଲା ଉପଭୋଗ କରିଆସୁଥିଲେ । ହେଲେ ଗତ ୧୩ ତାରିଖ ଦିନ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ସିଙ୍ଗିପୁର ଗ୍ରାମବାସୀ ଏହା ଆନ୍ଧ୍ର ବୋଲି ଦାବୀ କରିବା ସହ ଗଛ ଗୁଡିକୁ କାଟିବା ଆରମ୍ଭ କରିଥିଲେ । ଏହାର ପ୍ରତିବାଦ କରିବାରୁ ଚମ୍ପାପୁର ଗ୍ରାମବାସୀ ଉପରେ ଆକ୍ରମଣ କରିଥିଲେ ସିଙ୍ଗିପୁର ଗ୍ରାମବାସୀ । ଏହାକୁ ନେଇ ସିଙ୍ଗିପରୁ ବାସୀ ଆନ୍ଧ୍ରର ମଞ୍ଜୁସା ଥାନାରେ ଅଭିଯୋଗ କରିଥିବା ବେଳେ ଚମ୍ପାପୁର ବାସୀ ଗଜପତି ଜିଲ୍ଲାର ଗାରବନ୍ଧ ଥାନାରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପାଇବା ପରେ ଗାରବନ୍ଧ ଥାନା ଅଧିକାରୀ ସ୍ଥାନୀୟ ରାଜସ୍ବ ନିରିକ୍ଷକଙ୍କୁ ନେଇ ପ୍ରାଥମିକ ଭାବେ ଜମି ମାପଚୁପ କରିଥିଲେ । ଏଥିରୁ ଜଣାପଡିଥିଲା ସଂପୃକ୍ତ ଅଂଚଳଟି ଓଡିଶାର । ତେବେ ଏନେଇ ଗାରବନ୍ଧ ପୋଲିସ କୌଣସି ପ୍ରତିକ୍ରୀୟା ଦେବାକୁ ମନା କରିଦେଇଥିବା ବେଳେ ଗ୍ରାମବାସୀ କିନ୍ତୁ ଭୟରେ ରହିଛନ୍ତି । ବିଗତ ଦିନରେ ଏହି ଅଂଚଳରେ ଥିବା ଗୁଡିଖୁଡି ଏବଂ ମାଧିଆଖୋଲ ଗାଁକୁ ନେଇ ଉଭୟ ରାଜ୍ୟରେ ମଧ୍ୟରେ ଉପୁଜିଥିବା ବିବାଦ ଯେଭଳି ସୀମା ନିର୍ଦ୍ଦାରଣ ଦ୍ବାରା ସମାଧାନ କରାଯାଇଛି ସେହି ଢଙ୍ଗରେ ଏହି ଅଂଚଳର ମଧ୍ୟ ସୀମା ନିର୍ଦ୍ଦାରଣ କରିବାକୁ ଲୋକେ ଦାବୀ କରିଛନ୍ତି ।
ସୀମାରେ ଅନୁପ୍ରବେଶ ପାଇଁ ଆନ୍ଧ୍ର ସବୁ ବେଳେ ପ୍ରୟାସ କରିଆସିଛି । ଗତ କିଛି ମାସ ତଳେ ଗୁଡିଖୁଡି ଏବଂ ମାଧିଆଖୋଲ ଗାଁକୁ ନିଜର ବୋଲି ଦାବୀ କରି ଏଠାକାର ଲୋକଙ୍କୁ ଆନ୍ଧ୍ର ଭୋଟ ପରିଚୟ ପତ୍ର ଠାରୁ ଆରମ୍ଭ କରି ରାସନ କାର୍ଡ ଏବଂ ମାଗଣା ବିଜୁଳି ଯାଏଁ ସବୁକିଛି ଦେଇଥିଲା । ତେବେ ଚମ୍ପାପୁରବାସୀ ଏହା ଜାଣିବା ପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆନ୍ଧ୍ରର ଏହି ଯୋଜନାକୁ ପଣ୍ଡ କରିଥିଲା । ତେଣୁ ଏହି ରାଗରେ ଏଭଳି ସ୍ଥିତି ଉପୁଜିଥାଇପାରେ ବୋଲି କୁହାଯାଇଛି । ତେବେ ଏସଂପର୍କରେ ପ୍ରଶାସନ ନିକଟରେ ଖବର ଅଛି ଏବଂ ଅତିଶୀଘ୍ର ଏହାର ସୀମା ନିର୍ଦ୍ଦାରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons