ପୁଣି ଧାନ, ପନିପରିବା କିଆରୀ ନଷ୍ଟ କଲେ

Get real time updates directly on you device, subscribe now.

ରଙ୍ଗେଇଲୁଣ୍ଡା, (ବି.ବି.ନୁ୍ୟଜ୍): ସପ୍ତାହେ ହେଲା ଚିକିଟି ଓ ରଙ୍ଗେଇଲୁଣ୍ଡା ବ୍ଲକ୍ରେ ହାତୀ ଉପଦ୍ରବ ଲାଗି ରହିଛି । ସନ୍ଧ୍ୟା ବେଳେ ଗାଁ ଲୋକ ତାଟିକବାଟ ପକାଇ ରହୁଛନ୍ତି । ହାତୀଙ୍କୁ ଘଉଡ଼ାଇବା ଦିଗରେ ବନ ବିଭାଗ ତତ୍ପରତା ଦେଖାଉନଥିବାରୁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି । ଶନିବାର ମଧ୍ୟରାତ୍ରରେ ଚିକିଟି ବ୍ଲକ୍ କୃଷ୍ଣନଗର ଗାଁ ଭିତରକୁ ପଶି ଆସିଥିଲେ ୧୦ରୁ ୧୨ଟି ହାତୀ । ଗାଁ ଶେଷମୁଣ୍ଡ ମନ୍ଦିର ପଛ ପଟକୁ ଯାଇ ନଳିନୀ ଦେଓଙ୍କ ପ୍ରାୟ ୨୪ ବସ୍ତା ଧାନ ନଷ୍ଟ କରି ଦେଇଥିଲେ । ତାଙ୍କ ବାଡ଼ି ପଟକୁ ଯାଇ କଦଳୀ ଗଛଗୁଡ଼ିକ ମୋଡ଼ି ଦେଇଥିଲେ । ହାତୀପଲଙ୍କ ଯୋଗୁଁ ଜଳସେଚନ ପାଇଁ ଥିବା ସ୍ପ୍ରିଙ୍କଲର୍ ପାଇପ୍ ଲାଇନ୍ଗୁଡ଼ିକ ଭାଙ୍ଗି ଯାଇଛି । ରମେଶ ଦାସଙ୍କ ପରିବା ବାଡ଼ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ହାତୀ ଦଳ । ଗାଁ ଗାଁ ଯାଇ ଚାଷ କରିଥିବା ପରିବା ବିକିବା ସହ ଋଣ ବାଡ଼ି କରି ଚଳୁଥିବା ରମେଶ ନିଜର ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ବିବ୍ରତ ହୋଇ ପଡ଼ିଛନ୍ତି । ଗାଁ ଲୋକ ଉଠିପଡ଼ି ପଶି ଆସିଥିବା ହାତୀଙ୍କୁ ଘଉଡ଼ାଇବାରେ ଲାଗିଥିଲେ । ତେବେ ଏହି ସମୟରେ ଗ୍ରାମର ନରସିଂହ ବିଶୋଇ ଅଳ୍ପକେ ହାତୀ ଆକ୍ରମଣରୁ ବଞ୍ଚି ଯାଇଥିଲେ । ଦିନତମାମ ପାହାଡ଼ ଓ ଜଙ୍ଗଲରେ ରହି ସନ୍ଧ୍ୟା ବେଳେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି ହାତୀପଲ । ଧାନ ଖାଇବା ସହ ଫିଙ୍ଗାଫୋପଡ଼ା କରୁଛନ୍ତି । ବନବିଭାଗ ହାତୀମାନଙ୍କ ଉପଦ୍ରବର ପ୍ରତିକାର ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons