
ଭଦ୍ରକ,(ବି.ବି.ନୁ୍ୟଜ): ମାତ୍ର ୩ ଦିନର ବ୍ୟବଧାନରେ କଟକସ୍ଥିତ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଭଦ୍ରକ ପୌରାଞ୍ଚଳରୁ ପୁଣି ଥରେ ବ୍ରାଉନସୁଗର ଜବତ କରିବାକୁ ସକ୍ଷମ ହୋଇଛି । ଏହି ଘଟଣାରେ ଅବକାରୀ ବିଭାଗ ଜଣେ ଯୁବକକୁ ଗିରଫ କରିଛି । ତା’ ନିକଟରୁ ୩୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଗିରଫ ଯୁବକ ହେଉଛି ପୌରାଞ୍ଚଳ ଅନ୍ତର୍ଗତ ଚାରିଘରିଆ ଅଞ୍ଚଳର ପ୍ରଦୀପ ଦାସ ।
ପ୍ରଦୀପ ଦୀର୍ଘଦିନରୁ ବ୍ରାଉନସୁଗର କାରବାର ଚଳାଇ ଆସୁଥିଲା । ଏନେଇ ସୂଚନା ପାଇ ପୂର୍ବ ଯୋଜନା ମୁତାବକ, କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରାଯାଇ ତାକୁ ଗିରଫ କରାଯାଇଥିଲା । ତା’ ନିକଟରୁ ଜବତ ୩୫ ଗ୍ରାମ ବ୍ରାଉନସୁଗର ମୂଲ୍ୟ ପ୍ରାୟ ୩ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୂଚନାରୁ ପ୍ରକାଶ ।
ସୂଚନାଯୋଗ୍ୟ, ୩ ଦିନ ତଳେ ଇନ୍ସପେକ୍ଟର ଜଗଦୀଶ ସାମଲଙ୍କ ନେତୃତ୍ୱରେ ଏକ ଟିମ୍ ବଉଳପୋଖରୀ ଗ୍ରାମରେ ଚଢ଼ଉ କରି ଜଣେ ଯୁବକକକୁ ଗିରଫ କରିଥିଲେ । ତା’ ନିକଟରୁ ୧୧୩ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା । ଏହି ସମୟରେ ୨ଜଣ ଫେରାର ହୋଇ ଯାଇଥିଲେ ।
ତେବେ ଭଦ୍ରକ ଜିଲ୍ଲା ଏବେ ବ୍ରାଉନସୁଗର କାରବାରର ପେଣ୍ଠସ୍ଥଳୀ ପାଲଟି ସାରିଛି । ଗତ ୩ମାସ ମଧ୍ୟରେ ଜିଲ୍ଲାରୁ ପୁଲିସ ଓ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପୌରାଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୩ କୋଟି ଟଙ୍କାରୁ ଊଦ୍ଧ୍ୱର୍ ମୂଳ୍ୟର ବ୍ରାଉନସୁଗର ଜବତ କରି ସାରିଲେଣି । କିନ୍ତୁ ଏଦିଗରେ ଜିଲ୍ଲା ଅବକାରୀ ବିଭାଗକୁ ଆଦୌ ସଫଳତା ମିଳିପାରି ନାହିଁ । ବିଭାଗକୁ କୌଣସି ସୂଚନା ମିଳୁ ନାହିଁ ନା ବିଭାଗୀୟ ପଦାଧିକାରୀ ଓ କର୍ମଚାରୀ ଜାଣି ମଧ୍ୟ ଏଦିଗରେ ଚୁପ ବସୁଛନ୍ତି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଚଳିତ ବର୍ଷ ଏଯାବତ ୧୫ରୁ ଊଦ୍ଧ୍ୱର୍ ବ୍ରାଉନସୁଗର ବେପାରୀଙ୍କୁ ଜିଲ୍ଲା ପୁଲିସ ଓ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଧରି ସାରିଲେଣି । ଯଦି କଟକରୁ ଆସି ଉକ୍ତ ଟିମ ବ୍ରାଉନସୁଗର ବ୍ୟବସାୟୀଙ୍କୁ ଧରିବାକୁ ସକ୍ଷମ ହୋଇ ପାରୁଛି, ତେବେ ଜିଲ୍ଲା ଅବକାରୀ ବିଭାଗ କରୁଛି କ’ଣ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଅପରପକ୍ଷେ ଜିଲ୍ଲା ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ କେବଳ ଦେଶୀ ରନ୍ଧା ମଦ କାରବାର କରୁଥିବା ଛୋଟ ବ୍ୟବସାୟୀଙ୍କୁ ଧରି ହାତଗୋଡ଼ ବାନ୍ଧି ବସିଛି । ବାହାର ଜିଲ୍ଲାରୁ ପ୍ରତ୍ୟେକ ଦିନ ହଜାର ହଜାର ଦେଶୀ ମଦ ବଡ଼ବଡ଼ ଟୁ୍ୟବ ଯୋଗେ ଆସୁଥିଲେ ମଧ୍ୟ ଏସମସ୍ତ ମଦ ମାଫିଆଙ୍କ ନିକଟରେ ଜିଲ୍ଲା ଅବକାରୀ ପୁଲିସ ପହଞ୍ଚି ପାରୁ ନାହାନ୍ତି । ଏହି ନିଶା କାରବାରର ଅନ୍ତ ଘଟାଇବା ଦିଗରେ ଜିଲ୍ଲା ଅବକାରୀ ବିଭାଗ ଆନ୍ତରିକତା ପ୍ରଦର୍ଶନ କରିବାକୁ ସାଧାରଣରେ ଦାବି ହେଉଛି ।


Comments are closed, but trackbacks and pingbacks are open.