ପୁଣି ଭାସିଗଲା କଲ୍ୟାଣୀ ନଦୀ ଅସ୍ଥାୟୀ ପୋଲ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ବିପତ୍ତି କଲ୍ୟାଣସିଂହପୁର ବ୍ଲକର ପିଛା ଛାଡୁନି । କଲ୍ୟାଣୀ ନଦୀର ଅସ୍ଥାୟୀ ପୋଲ ପୁଣିଥରେ ଭାସିଯାଇଛି । ଏହାଦ୍ୱାରା ୫ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗୁରୁବାର କଳାହାଣ୍ଡି ଜିଲ୍ଲାର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପୋଲରେ ବ୍ୟବହୃତ ହୁ୍ୟମ୍ ପାଇପ ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀ ନଦୀ ଗର୍ଭରେ ଲୀନ ହୋଇଯାଇଛି । ଗତ ୯ ଦିନ ମଧ୍ୟରେ ଦ୍ୱିତୀୟଥର ପାଇଁ ଏହି ପୋଲ ଭାସିଯାଇଥିବା ଜଣାପଡିଛି ।
ପୋଲ ଭାସିଯିବାରୁ ବିଚ୍ଛିନ୍ନ ହୋଇଥିବା ୫ ପଞ୍ଚାୟତ ହେଉଛି ପାରସାଲି, ମାଝିଗୁଡା, ସୁନାଖଣ୍ଡି, ପୋଲମା ଓ କନ୍ଧକାତିପାଡୁ । ନଦୀର ଅପରପାଶ୍ୱର୍ରେ ଏସବୁ ପଞ୍ଚାୟତ ରହିଛି । କଲ୍ୟାଣୀ ନଦୀ ଉପରେ ସ୍ଥାୟୀ ପୋଲ ନଥିବାରୁ ଆଦିମ ଜନଜାତି ଡଙ୍ଗରିଆମାନେ ଏବେ ନାହିଁନଥିବା ଅସୁବିଧା ଭୋଗିବେ । ସୂଚନାଥାଉକି, ୨୦୧୭ ଜୁଲାଇ ୧୬ ତାରିଖରେ ଯେଉଁ ଭୟଙ୍କର ବନ୍ୟା ଆସିଥିଲା ସେଥିରେ ନଦୀ ଉପର ସ୍ଥାୟୀ ପୋଲଟି ଭୁଶୁଡ଼ି ପଡ଼ିଥିଲା । ତା ପରେ ଏକାଧିକବାର ଅସ୍ଥାୟୀ ପୋଲ ନିର୍ମାଣ କରାଯାଉଥିଲେ ହେଁ ଏହା ବାରମ୍ବାର ଭାସିଯାଉଛି । ସ୍ଥାୟୀ ପୋଲ ନଥିବାରୁ ସାମାନ୍ୟ ବର୍ଷା ହେଲେ ଯାତାୟତ ଠପ୍ ହୋଇଯାଉଛି । ଏବେ ବ୍ଲକର ୫ଟି ପଞ୍ଚାୟତର ପ୍ରାୟ ୨୫ ହଜାର ଲୋକ ନାନା ସମସ୍ୟା ଭୋଗିବେ । କାରଣ ପ୍ରତିଦିନ ଏସବୁ ଅଂଚଳର ଲୋକେ କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାକୁ ନିତିଦିନିଆ କାର୍ଯ୍ୟରେ ଆସିଥାନ୍ତି । ମେଡିକାଲ୍ରୁ ଆରମ୍ଭ କରି ଜରୁରିକାଳୀନ ଆବଶ୍ୟକତା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ବ୍ଲକ ମହକୁମା ହିଁ ଏକମାତ୍ର ସ୍ଥାନ । ତା ଛଡ଼ା ପଡୋଶୀ କଲାହାଣ୍ଡି ଜିଲ୍ଲାକୁ ମଧ୍ୟ ଏହି ନଦୀ ଉପର ଦେଇ ଯାତାୟତ କରିଥାନ୍ତି । ଏହାକୁ ଆଖିରେ ରଖି ପ୍ରଶାସନ ତୁରନ୍ତ ଏକ ମୋଟରଚାଳିତ ଡଙ୍ଗା ଯୋଗାଇ ଦେବାକୁ ଦାବି କରିଛନ୍ତି ୫ଖଣ୍ଡ ପଞ୍ଚାୟତର ଲୋକେ ।
ଏହାପୂର୍ବରୁ ଗତ ୧୫ ତାରିଖ ଦିନ ଏହି ଅସ୍ଥାୟୀ ପୋଲ ଭାସିଯାଇଥିଲା । ୧୭ ତାରିଖରେ ଏହାକୁ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯାଇଥିଲା । ପୁନର୍ବାର ଏହା ୨୩ ତାରିଖ ରାତିରେ ଭାସିଯାଇଛି । ଅନ୍ୟପକ୍ଷରେ ନଦୀ ଉପରେ ନିର୍ମାଣାଧୀନ ସ୍ଥାୟୀ ପୋଲ ନିର୍ମାଣ କାମ ଆସନ୍ତା ଜାନୁୟାରୀ ମାସରେ ସରିବ ବୋଲି ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons