ପୁଣି ଶବାଗାରରୁ ଆଖି ଗାଏବ୍

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନ୍ୟୁଜ୍): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରୁ ପୁଣି ଆଖି ଗାଏବ । ଗତ ଗୁରୁବାର ରାତିରେ ଏକ ୪ ବର୍ଷର ଶିଶୁକନ୍ୟା ଆଖି ଦୁଇଟି ଉଭାନ୍ ହୋଇ ଯାଇଥିଲା । ଏହି ରହସ୍ୟମୟ ଘଟଣା ଉପରୁ ଏଯାଏଁ ପରଦା ଉଠି ନଥିବା ବେଳେ ମଙ୍ଗଳବାର ଦୁର୍ଘଟଣାରେ ମୃତ ଜଣେ ଯୁବକଙ୍କ ଡାହାଣ ଆଖି ଗାଏବ ହୋଇଯାଇଛି । ୪ ଦିନ ବ୍ୟବଧାନରେ ଦୁଇ ଦୁଇଟି ମୃତ ଶରୀରରୁ ଆଖି ଗାଏବ୍ ହୋଇଯିବା ଘଟଣା ସ୍ୱାସ୍ଥ୍ୟ ପ୍ରଶାସନର ଚରମ ଅବହେଳାକୁ ପଦାରେ ପକାଇଛି । ଏହି ସମ୍ବେଦନଶୀଳ ଘଟଣାକୁ କେନ୍ଦ୍ର କରି ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା । କ୍ଷତିପୂରଣ ଦାବି କରି ଯୁବକଙ୍କ ପରିବାର ଓ ସମ୍ପର୍କୀୟ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।
ମୃତ ଯୁବକର ଡାହାଣ ଆଖି ନାହିଁ । ଭିତର ଅଂଶ ଲାଲ୍ ଦେଖାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଆଖି କୁଆଡ଼େ ଗଲା କହିବା ସମ୍ଭବ ନୁହଁ । ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ । ଏଥିରେ ଯାହାର ସମ୍ପୃକ୍ତି ଥିବ କିମ୍ବା ଯେଉଁ ସ୍ତରରେ ଅବହେଳା ହୋଇଥିବ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ନିଶ୍ଚିତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ ବାସୁଦେବ ଶତପଥୀ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି କିଛିଟା ଶାନ୍ତ ପଡ଼ିଥିଲା । ରେଡ୍କ୍ରସ ପକ୍ଷରୁ ୨୦ ହଜାର ଟଙ୍କା ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ୧୦ ହଜାର ଟଙ୍କାର ସହାୟତା ରାଶି ପରେ ପରିବାର ଲୋକ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇଥିଲେ । ଉପଜିଲ୍ଲାପାଳ ଅନୁଗୁଳ ପୁଲିସ୍କୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ଅପରାହ୍ଣ ସାଢେ ଗୋଟାଏ ବେଳେ ୨ ଜଣ ଡାକ୍ତର ଶବ ବ୍ୟବଚ୍ଛେଦ କରିଥିଲେ । ବ୍ୟବଚ୍ଛେଦର ସମସ୍ତ ପ୍ରକ୍ର୍ରିୟାର ଭିଡିଓଗ୍ରାଫି କରାଯାଇଥିଲା ।
ସୂଚନା ମୁତାବକ, ମୃତ ଯୁବକ ଜଣଙ୍କ ହେଲେ ଜରପଡ଼ା ଥାନା କୁଶକିଳା ଗ୍ରାମର ମକାରୁ ନାଏକଙ୍କ ପୁଅ ଜମ୍ବେଶ୍ୱର ନାଏକ(୩୨) । ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ଗୋଟିଏ ପୁଅ(୧୫) ଓ ଝିଅ(୧୪) ରହିଛନ୍ତି । ରାଜ୍ୟ ବାହାରେ କାମ କରୁଥିବା ଜମ୍ବେଶ୍ୱର ୪ ଦିନ ତଳେ ଘରକୁ ଆସିଥିଲେ । ସୋମବାର ବାଇକ(ଓଆର୍ ୧୯ଏମ୍୪୯୪୭)ରେ ଜଣେ ସମ୍ପର୍କୀୟ (ବିଭୁତି ନାଏକ)ଙ୍କ ସହ ବୁଲିବାକୁ ଯାଉଥିବା କହି ଅନୁଗୁଳ ଆସିଥିଲେ । ଅପରାହ୍ଣ ପ୍ରାୟ ସାଢେ ୫ଟା ବେଳେ ଘରକୁ ଫେରୁଥିବା ବେଳେ ଅନୁଗୁଳ-ଛେଣ୍ଡିପଦା ରାସ୍ତାର ମୋନେଟ ଫାଟକ ସମ୍ମୁଖରେ ସାମ୍ନାରୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍(ଓଆର୍ ୧୯ ଡି ୬୨୬୧)ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜମ୍ବେଶ୍ୱରଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ବେଳେ ବିଭୁତି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରିଥିଲା ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଜମ୍ବେଶ୍ୱରକୁ ମୃତ ଘୋଷଣା କରିଥିଲେ । ପରେ ଡାକ୍ତରଖାନା କର୍ମଚାରୀ ମୃତଦେହକୁ ଶବାଗାରରେ ରଖି ତାଲା ଠୁଙ୍କିଥିଲେ । ଶବାଗାର ବାହାରେ ଜଣେ ପୁଲିସ୍ ରାତି ତମାମ୍ ଜଗି ରହିଥିଲେ । ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୮ଟା ବେଳେ ନିଶା ଶିଳ୍ପାଞ୍ଚଳ ଥାନା ଉପସ୍ଥିତିରେ ପଞ୍ଚନାମା ପାଇଁ ଜମ୍ବେଶ୍ୱରଙ୍କ ମୃତଦେହ ବାହାରକୁ ଅଣାଯାଇଥିଲା । ଶବ ବ୍ୟବଚ୍ଛେଦ ପାଇଁ ନୂତନ ଶବାଗାର ପାଖକୁ ନିଆଯାଇଥିଲା । ସେଠାରେ ଜମ୍ବେଶ୍ୱରଙ୍କ ମୃତଦେହକୁ ଦେଖି ପରିବାର ଲୋକ ହତବାକ ହୋଇ ଯାଇଥିଲେ । କାରଣ ତାଙ୍କ ଡାହାଣ ଆଖି ଗାଏବ ହୋଇଯାଇଥିଲା । ଆଖିକୁ କେହି ଡାଡ଼ି ନେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ସେମାନେ ଶବକୁ ବ୍ୟବଚ୍ଛେଦ କରିବାକୁ ନଦେଇ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ।
ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ଶିଶୁ କନ୍ୟାର ଆଖି ଗାଏବ୍ ଘଟଣା ରହସ୍ୟାବୃତ୍ତ ଥିବା ବେଳେ ଆଜି ଆଉ ଜଣେ ଯୁବକଙ୍କ ଆଖି ଗାଏବ୍କୁ ସହଜରେ ଗ୍ରହଣ କରି ପାରିନଥିଲେ । ଏହା ପଛରେ କୌଣସି ର‌୍ୟାକେଟ୍ କାମ କରୁଛି ବୋଲି ପରିବାର ଲୋକ ଅଭିଯୋଗ କରିବା ସହ କ୍ଷତିପୂରଣ ଓ ତଦନ୍ତ ଦାବି କରିଥିଲେ । ସଙ୍ଗେ ସଙ୍ଗେ ଶହ ଶହ ଲୋକ ଚିକିତ୍ସାଳୟରେ ରୁଣ୍ଡ ହୋଇଯାଇଥିଲେ । ଉଭୟ ବିଜେପି ଓ କଂଗ୍ରେସର ନେତାମାନେ ପହଞ୍ଚି ପରିବାର ଲୋକଙ୍କୁ ସମର୍ଥନ କରିଥିଲେ । ପରିବାର ଲୋକଙ୍କ ସହ ବିଜେପି ଓ କଂଗ୍ରେସର ନେତାମାନେ ସରକାରୀ ବିରୋଧୀ ନାରା ପକାଇଥିଲେ । ପ୍ରାୟ ୫ ଘଣ୍ଟା କାଳ ଉତ୍ତେଜନା ଲାଗି ରହିଥିଲା । ସ୍ଥିତି ଆୟତ୍ତ କରିବା ପାଇଁ ଜିଲ୍ଲ୍ାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ବିଜେପି ଓ କଂଗ୍ରେସ ନେତା ମାନେ ତଦନ୍ତ ଦାବି କରିବା ସହିତ ପରିବାର ଲୋକଙ୍କୁ କ୍ଷତିପୂରଣ ଓ ଏଭଳି ଘଟଣା ଯେପରି ପୁନରାବୃତ୍ତି ନଘଟେ ଦାବି କରିଥିଲେ । ବହୁ ଆଲୋଚନା ଓ ଆନ୍ଦୋଳନ ପରେ ଉପଜିଲ୍ଲାପାଳ କ୍ଷତିପୂରଣ ବାବଦକୁ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଓ ମେଡିକାଲ୍ କର୍ତ୍ତୃପକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହା ସହିତ ବାପ-ମା’ ଛେଉଣ୍ଡ ଜମ୍ବେଶ୍ୱରଙ୍କ ପୁଅ-ଝିଅଙ୍କ ପାଠପଢାର ବ୍ୟବସ୍ଥା କରିବାକୁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ।
ସେହିପରି ଆଖି ଉଭାନ୍ ଘଟଣାର ଯେପରି ପୁନରାବୃତ୍ତି ନଘଟେ ସେଥିପାଇଁ ଆଜିଠୁ ମେଡିକାଲ୍ର ପ୍ରମୁଖ ସ୍ଥାନମାନଙ୍କରେ ସିସିଟିଭି ଲାଗିବ । ଅତିଶୀଘ୍ର ନୂତନ ଶବାଗାରକୁ କାର୍ଯ୍ୟକ୍ଷମ କରାଯିବ । କାଳେ ପୁରୁଣା ଶବାଗାରର ଫ୍ରିଜର୍ରେ ମୂଷା ରହି ଆଖି ଖାଉଥାଇପାରନ୍ତି ସେଥିପାଇଁ ନୂଆ ଶବାଗାର କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ସେଠାରେ ଶବ ରଖାଯିବ ନାହିଁ । ରାତିରେ ମୃତଦେହ ଆସିଲେ ଜିଲ୍ଲାପାଳଙ୍କଠାରୁ ଅନୁମତି ଆଣି ଶବ ବ୍ୟବଚ୍ଛେଦ କରାଯିବ । କୌଣସି ମୃତଦେହ ଆସିବା ମାତ୍ରେ ଖୋଦ୍ ଏଡିଏମ୍ଓ ଓ ସିଡିଏମ୍ଓ ନିଜେ ଶବକୁ ତନ ତନ କରି ଯାଞ୍ଚ କରିବେ । ଏଭଳି ଗଣ୍ଡା ଗଣ୍ଡା ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇଥିଲେ । ଘଟଣାକୁ ନେଇ ଏଡିଏମ୍ଓ କହିଛନ୍ତି, ଗତ ଗୁରୁବାର ରାତିରେ ଆଖି ଗାଏବ ହୋଇଥିବା ଶିଶୁକନ୍ୟାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟକୁ ପୁଲିସ୍ ପ୍ରଶାସନକୁ ଦିଆଯାଇଛି । ଶିଶୁ କନ୍ୟାର ଆଖି ରହିଛି । ସେ ରୋଗଗ୍ରସ୍ତ ଥିବାରୁ ଡିହାଇଡ୍ରେସନ ହୋଇ ଆଖି କରୋଟ ମଧ୍ୟକୁ ଚାଲିଯାଇଛି । ଆଜି ଯୁବକଙ୍କ ଡାହାଣ ଆଖି ନାହିଁ । ଆଖି କୁଆଡେ ଗଲା ତଦନ୍ତ ପରେ ଜଣା ପଡ଼ିବ । ପୁରୁଣା ଶବାଗାରକୁ ଅତିଶୀଘ୍ର ନୂତନ ଶବାଗାରକୁ ସ୍ଥାନାନ୍ତର କରାଯିବ । ଆଜି କ୍ରେନ୍ ଆଣି ଫ୍ରିଜରକୁ ନୂଆ ଶବାଗାରକୁ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons