ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଜିଲ୍ଲାରେ ଥମିବା ନାଁ ଧରୁନି ଜନନୀ ଯନ୍ତ୍ରଣା । ଅନେକ ଗାଁକୁ ସବୁଦିନିଆ ରାସ୍ତା ନାହିଁ । ଫଳରେ ଆମ୍ବୁଲାନ୍ସ ଅବା ଅନ୍ୟ ଗାଡି ଗାଁଗଣ୍ଡାରେ ପହଞ୍ଚି ପାରୁନି । ଗର୍ଭବତୀଙ୍କୁ ମେଡିକାଲ ନେବାରେ ସମସ୍ୟା ଉପୁଜୁଛି । ଜିଲ୍ଲାର ଉମରକୋଟ ବ୍ଲକର ଦୁଇଜଣ ଗର୍ଭବତୀ କିଛିଦିନ ତଳେ ଏଭଳି ସମସ୍ୟାରେ ପଡି ହଇରାଣ ହୋଇଥିବାବେଳେ ଶନିବାର ପୁଣି ଏକ ଘଟଣା ନଜରକୁ ଆସିଛି । ପାପଡାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ମାଳିଆମ୍ବ ଗାଁର ଜଣେ ଗର୍ଭବତୀଙ୍କୁ ମେଡିକାଲ ନେବାକୁ ପରିବାର ଲୋକେ ଷ୍ଟେ୍ରଚରରେ ୩ କିମି ବୋହିଛନ୍ତି । ଏହି ମହିଳା ହେଲେ ଗାଁର ସୁନ୍ଦୁରୁ ସାନ୍ତାଙ୍କ ସ୍ତ୍ରୀ ଡମାଇ ।
ସୂଚନା ଅନୁସାରେ, ଶନିବାର ସକାଳେ ଡମାଇଙ୍କର ଗର୍ଭ ବେଦନା ଆରମ୍ଭ ହୋଇଥିଲା । ପରିବାର ଲୋକେ ତାଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସ ଡାକିଥିଲେ । କିନ୍ତୁ ଭଲ ରାସ୍ତା ନଥିବାରୁ ଗାଡିଟି ଗାଁଠାରୁ ତିନିକିମି ଦୂର ଖଜୁରୀ ଛକ ନିକଟରେ ଅଟକି ରହିଥିଲା । ଆମ୍ବୁଲାନ୍ସ ନିକଟକୁ ଡମାଇଙ୍କୁ ନେବାକୁ ଅନ୍ୟ ଉପାୟ ନଥିଲା ।
ପରିବାର ଓ ଗାଁ ଲୋକେ ଏକ ଷ୍ଟେ୍ରଚର ଯୋଗାଡ କରି ଡମାଇଙ୍କୁ ଶୁଆଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ କାନ୍ଧରେ ବୋହିଥିଲେ । ବର୍ଷାଯୋଗୁ ରାସ୍ତାରେ କାଦୁଅ ଭର୍ତ୍ତି ହୋଇ ରହିଥିବାରୁ ବହୁ କଷ୍ଟରେ ଲୋକେ ମହିଳାଙ୍କୁ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ପରେ ଆମ୍ବୁଲାନ୍ସ ଯୋଗୋ ଡମାଇଙ୍କୁ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବାରୁ ପରେ ତାଙ୍କୁ ପାପଡାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଅସ୍ତେ୍ରାପଚାର ପରେ ଡମାଇ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି । ସୂଚନାଯୋଗ୍ୟ, ଗତ ୨ ମାସ ମଧ୍ୟରେ ଉମରକୋଟ ବ୍ଲକର ୨ ଜଣ, ଝରିଗାଁ ବ୍ଲକର ୨ ଜଣ, ରାଇଘର ବ୍ଲକର ଜଣେ ଓ ଆଜିର ପାପଡାହାଣ୍ଡି ବ୍ଲକକୁ ମିଶାଇ ୬ ଜଣ ଗର୍ଭବତୀ ଏଭଳି ଅକଥନୀୟ ଯନ୍ତ୍ରଣା ଭୋଗିଛନ୍ତି ।
Comments are closed, but trackbacks and pingbacks are open.