
ଅହମ୍ମଦାବାଦ: ଇଂଲଣ୍ଡ ଅଧିନାୟକ ଜୋ ରୁଟ ପୁଣି ନିଜ ରଣନୀତିରେ ବିଫଳ ହେଲେ । ଜଣେ ପରେ ଜଣେ ବ୍ରିଟିଶ ବ୍ୟାଟ୍ସମ୍ୟାନ ଆଜି ଭାରତୀୟ ସ୍ପିନରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ । ଫଳରେ ଚତୁର୍ଥ ଟେଷ୍ଟ ମାତ୍ର ତିନି ଦିନ ମଧ୍ୟରେ ଶେଷ ହୋଇଗଲା । ଭାରତ ଇନିଂସ ଓ ୨୫ ରନ୍ରେ ବିଜୟୀ ହୋଇ ୩-୧ରେ ସିରିଜ କବ୍ଜା କରିଛି ।
ଏଥିସହିତ ସିରିଜକୁ ନେଇ ଚାଲିଥିବା ଆଲୋଚନା, ପର୍ଯ୍ୟାଲୋଚନା ଓ ପିଚ୍ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଚତୁର୍ଥ ଟେଷ୍ଟର ଫଳାଫଳ ଉପରେ ଆଇସିସି ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲ ଲାଇନ ଅପ୍ ନିର୍ଭର କରୁଥିଲା । ଯଦିଓ ପୂର୍ବରୁ ନୁ୍ୟଜିଲାଣ୍ଡ ଫାଇନାଲରେ ପ୍ରବେଶ କରି ସାରିଥିଲା । କିନ୍ତୁ ଦ୍ୱିତୀୟ ଦଳ ଭାବେ କିଏ ଫାଇନାଲ ଖେଳିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଯାହାର ଅନ୍ତ ଘଟିଛି । ଭାରତ ଟେଷ୍ଟ ଚାମ୍ପିଅନସିପ୍ରେ ସର୍ବାଧିକ ୫୨୦ ପଏଣ୍ଟ ପାଇ ଶୀର୍ଷ ସ୍ଥାନ ଅଧିକାର କରିଛି । ଜୁନ୍ ୧୮ରୁ ୨୨ ତାରିଖ ମଧ୍ୟରେ ଐତିହାସିକ ଲର୍ଡ୍ସରେ ଫାଇନାଲ୍ ଖେଳାଯିବ । ଭାରତ-ନୁ୍ୟଜିଲାଣ୍ଡ ମୁହାଁମୁହିଁ ହେବେ ।
ତୃତୀୟ ଦିବସ ଭ୍ରମଣକାରୀ ଦଳ ପାଇଁ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତକୁ ସହଳ ଆଉଟ୍ କରିବା ସହ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଲଢୁଆ ବ୍ୟାଟିଂ କରି ଯଥା ସମ୍ଭବ ବଡ଼ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଫଳାଫଳ ଥିଲା ସମ୍ପୂର୍ଣ୍ଣ ଭିନ୍ନ । ଭାରତ ୩୬୫ ରନ୍ ସଂଗ୍ରହ କରିବା ସହ ୧୬୦ ରନ୍ରେ ଅଗ୍ରଣୀ ହାସଲ କରିଥିଲା । ଜବାବରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଦାୟିତ୍ୱହୀନ ବ୍ୟାଟିଂ କରି ମାତ୍ର ୧୩୫ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା ।
ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲ ୫ଟି ଲେଖାଏଁ ୱିକେଟ୍ ନେଇ ଇଂଲଣ୍ଡକୁ ଧରାଶାୟୀ କରିଥିଲେ । ଶତକ ଅର୍ଜନ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରିଷଭ ପନ୍ତ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ସେହିପରି ୩୨ଟି ୱିକେଟ୍, ଗୋଟିଏ ଶତକ ସହ ମୋଟ୍ ୧୮୯ ରନ୍ ସଂଗ୍ରହ କରିଥିବା ଅଶ୍ୱିନ ପ୍ଲେୟାର ଅଫ ଦ ସିରିଜ ବିବେଚିତ ହୋଇଥିଲେ ।
ତୃତୀୟ ଦିବସରେ ଭାରତ ଅସମାପ୍ତ ପ୍ରଥମ ଇନିଂସ ୭/୨୯୪ ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ସୁନ୍ଦର ଓ ପଟେଲ ସତର୍କତାର ସହ ବ୍ୟାଟିଂ କରିଥିଲେ । ଇଂଲଣ୍ଡର ଲକ୍ଷଚୁ୍ୟତ ବୋଲରମାନଙ୍କ ବିପକ୍ଷରେ ରନ୍ ସଂଗ୍ରହ କରିବା କଷ୍ଟକର ନଥିଲା ।
ସୁନ୍ଦର ବେଶ୍ ଦର୍ଶନୀୟ ସଟ୍ ଖେଳି ଚାଲିଥିଲେ । ଦଳୀୟ ସ୍କୋର ଦ୍ରୁତ ବେଗରେ ଆଗେଇଥିଲା । ଉଭୟ ଅଷ୍ଟମ ୱିକେଟ୍ରେ ଯୋଗ କରିଥିଲେ ୧୦୬ ରନ୍ । ଦଳୀୟ ସ୍କୋର ୩୬୫ରେ ପହଞ୍ଚି ସାରିଥିଲା । ସୁନ୍ଦର ପ୍ରଥମ ଟେଷ୍ଟ ଶତକ ନିକଟତର ହେଉଥିଲେ । ଏହି ସମୟରେ ପଟେଲ ତ୍ରୁଟି କରିଥିଲେ । ରୁଟ୍ଙ୍କ ଓଭର୍ର ଅନ୍ତିମ ବଲ୍ରେ ସୁନ୍ଦର ମିଡ୍ ଅନ୍ ଅଞ୍ଚଳକୁ ଏକ ସଟ୍ ଖେଳିଥିଲେ । ବୋଲିଂ ୱିକେଟ୍ ପଟେ ଥିବା ପଟେଲ ରନ ନେବାକୁ ପ୍ରୟାସ କରିବାକୁ ଯାଇ ବିଫଳ ହୋଇଥିଲେ । ମିଡ୍ ଅନ୍ରେ ଫିଲ୍ଡିଂ କରୁଥିବା ଜନି ବେୟାରଷ୍ଟୋଙ୍କ ଥ୍ରୋରେ ପଟେଲ(୪୩) ରନ୍ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ଓଭରରେ ବେନ୍ ଷ୍ଟୋକ୍ସ ଉଭୟ ଈଶାନ୍ତ ଶର୍ମା ଓ ମହମ୍ମଦ ସିରାଜଙ୍କୁ ଆଉଟ୍ କରିଥିଲେ । ସୁନ୍ଦରଙ୍କ ଶତକ ସ୍ୱପ୍ନ ମଉଳି ଯାଇଥିଲା । ସେ ୯୬ ରନ୍ କରି ଅପରାଜିତ ରହିଥିଲେ । ଭାରତ ୩୬୫ରନ୍ରେ ସୀମିତ ରହିଥିଲା । ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ ୪ଟି ଓ ଜେମ୍ସ ଆଣ୍ଡରସନ ୩ଟି ୱିକେଟ୍ ନେଇଥିଲେ ।
୧୬୦ ରନ୍ରେ ପ୍ରଥମ ଇନିଂସ ପଛୁଆ ଥାଇ ଇଂଲଣ୍ଡ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା । ଦୁଇ ଓପନର ଜ୍ୟାକ୍ କ୍ରାଓଲି ଓ ଡମ୍ ସିବଲି ୧୦ ରନ୍ ସଂଗ୍ରହ କରିଥିଲେ । ପଞ୍ଚମ ଓଭର ବୋଲିଂ କରିବାକୁ ଆସି ଅଶ୍ୱିନ ବିପର୍ଯ୍ୟୟ ଘଟାଇଥିଲେ । ସେ ଚତୁର୍ଥ ବଲ୍ରେ କ୍ରାଓଲି(୫) ଓ ପଞ୍ଚମ ବଲ୍ରେ ଜନି ବେୟାରଷ୍ଟୋ(୦)ଙ୍କୁ ଆଉଟ୍ କରିଥିଲେ । ଏହାପରେ ଆସିଥିବା ଜୋ ରୁଟ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ହେଁ ଅନ୍ୟ ପଟରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ସିବଲୀ ୩, ବେନ ଷ୍ଟୋକ୍ସ ୨ ଓ ଓଲି ପୋପ ୧୫ ରନ୍ କରି ଆଉଟ୍ ହୋଇଥିଲେ । ରୁଟ୍ ୩୦ ରନ୍ କରିଥିଲେ ହେଁ ଶେଷରେ ଅଶ୍ୱିନଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ୬୫ ରନ୍ରେ ଇଂଲଣ୍ଡ ୬ଟି ୱିକେଟ୍ ହରାଇଥିଲା ।
ଅନ୍ତିମ ଭାଗରେ ଡାନ ଲରେନ୍ସ କିଛି ଆକର୍ଷଣୀୟ ସଟ୍ ଖେଳି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସ୍ପିନ୍ ବୋଲିଂର ସାମ୍ନା କରିପାରି ନଥିଲେ । ଲରେନ୍ସ ଓ ବେନ ଫୋକ୍ସଙ୍କ ମଧ୍ୟରେ ସପ୍ତମ ୱିକେଟ୍ରେ ୪୯ ରନ୍ର ଭାଗିଦାରୀ ଗଠନ ହୋଇଥିଲା । ଫୋକ୍ସ ୧୩ ରନ କରି ଆଉଟ୍ ହେବା ପରେ ଡମ୍ ବେସ ୨, ଜ୍ୟାକ୍ ଲିଚ ୨ ରନ୍ କରି ପାଭିଲିୟନ ଫେରିଥିଲେ । ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ଲରେନ୍ସ(୫୦) ଆଉଟ୍ ହେବା ସହ ଇଂଲଣ୍ଡର ଇନିଂସ ୧୩୫ରେ ପରିସମାପ୍ତି ଘଟିଥିଲା ।
ପୂର୍ବରୁ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ସୁଯୋଗର ସଦୁପଯୋଗ କରି ନପାରି ୨୦୫ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୫୫ ରନ୍ କରିଥିଲେ । ଜବାବରେ ଭାରତ ପ୍ରଥମ ଇନିଂସରେ ୩୬୫ ରନ୍ ସଂଗ୍ରହ କରିଥିଲା । ପନ୍ତ ଶତକ(୧୦୧) ଓ ସୁନ୍ଦର (୯୬ଞ୍ଚ) ରନ୍ କରିଥିଲେ । ପଟେଲ ଏହି ମ୍ୟାଚ୍ରେ ଅକ୍ତିଆର କରିଥିଲେ ୯ (୪୍ମ୫)ଟି ୱିକେଟ୍ । ୩ଟି ଟେଷ୍ଟ ଖେଳି ପଟେଲ ମୋଟ୍ ୨୭ଟି ୱିକେଟ୍ ପାଇଛନ୍ତି । ସେହିପରି ଅଶ୍ୱିନ ୮ (୩୍ମ୫)ଟି ୱିକେଟ୍ ନେଇଥିଲେ ।
Comments are closed, but trackbacks and pingbacks are open.