ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜଧାନୀରେ ଥମୁନି ବ୍ରାଉନ୍ସୁଗର କାରବାର । ମଞ୍ଚେଶ୍ୱର ଅଞ୍ଚଳରୁ ଦୁଇ ଦିନରେ ୪ ବେପାରୀ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୨.୫ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ ହୋଇଛି ।
ଗତକାଲି ସନ୍ଧ୍ୟାରେ ପୁଲିସ ଶ୍ରୀରାମନଗର ବସ୍ତିରେ ଚଢ଼ଉ କରି ଜଣେ ବେପାରୀଙ୍କୁ ଗିରଫ କରିଥିଲା । ତାଙ୍କ ନାମ ମିଥୁନ ଓରଫ ଜଗନ୍ନାଥ ମହାପାତ୍ର(୨୮) । ଘର ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ହରିପୁର । ସେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣି ମୁଣ୍ଡା ବସ୍ତିରେ ରହୁଥିଲେ । ପୁଲିସ ମିଥୁନଙ୍କ ଠାରୁ ୬.୬ ଗ୍ରାମ ବ୍ରାଉନ୍ସୁଗର ଜବତ କରିଥିଲା । ସେହିପରି ଆଜି ଅପରାହ୍ଣରେ ମଞ୍ଚେଶ୍ୱର ଥାନା ପୁଲିସ ଓ କୁଇକ୍ ଆକ୍ସନ୍ ଟିମ୍(କ୍ୟୁଏଟି) ମଞ୍ଚେଶ୍ୱର ପାଟଦେଇ ବସ୍ତିରେ ଚଢ଼ଉ କରି ୩ ବେପାରୀଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ ନୂଆପଲ୍ଲୀ ଜୟଦୁର୍ଗା ବସ୍ତିର ଗୁଣନିଧି ବାରିକ, ପାଟଦେଇ ବସ୍ତିର ତାଇଦୂର ଗାୟନ ଓ ମଞ୍ଚେଶ୍ୱର ମା’ମଙ୍ଗଳା ବସ୍ତିର ପରେଶ କୁମାର ସେଠୀ । ସେମାନଙ୍କ ନିକଟରୁ ୧୮ ଗ୍ରାମ ବ୍ରାଉନ୍ସୁଗର ୧୮ ଶହ ଟଙ୍କା ଓ ୩ଟି ମୋବାଇଲ ଫୋନ୍ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା । ୪ ବେପାରୀଙ୍କ ଜବତ ହୋଇଥିବା ବ୍ରାଉନ୍ସୁଗରର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି । ଆଜି ମିଥୁନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆସନ୍ତାକାଲି ଗୁଣନିଧି, ତାଇଦୂର ଓ ପରେଶଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।


Comments are closed, but trackbacks and pingbacks are open.