ପୁରୀ,(ବି.ବି.ନୁ୍ୟଜ୍): ମାତ୍ର ୧୫ ଦିନ ଅନ୍ତରରେ ପୁଣି ଗର୍ଜିଲା ପୁଲିସ ବନ୍ଧୁକ । ଫୁଟିଲା ଗୁଳି । ଏଥର ହେଲା ଡବଲ ଏନ୍କାଉଣ୍ଟର୍ । ଘାଇଲା ହେଲେ ଦୁଇଜଣ ମୋଷ୍ଟ ୱାଣ୍ଟେଡ୍ । ଜଣେ ଥିଲା ବାଲି ମାଫିଆ ଓ ଅନ୍ୟ ଜଣେ ଥିଲା ନିଶା ବ୍ୟବସାୟୀ । ଆହତ ଦୁହେଁ ହେଲେ, କୁମ୍ଭାରପଡ଼ା ଥାନା ଅଧୀନ ବାଲିକୁଦା ରାମଚଣ୍ଡୀ ସାହିରେ ରହୁଥିବା ସଦର ଥାନା ଅଧୀନ ନୀଳଚକ୍ରନଗରର ଟିକି ମିଆଁ ଓରଫ ସୟାମତ୍ ଖାନ୍ (୩୨) ଓ ଟାଉନ୍ ଥାନା ଅଧୀନ ହାଡଗୋଡିଆ ସାହିର ବିଶୁ ଓରଫ ବିଶ୍ୱରଞ୍ଜନ ସାହୁ (୨୭) । ଉଭୟଙ୍କ ଗୋଡରେ ଗୁଳି ବାଜିଥିବାବେଳେ ଦୁହିଁଙ୍କୁ ପୁଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି । ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇ ଉଭୟଙ୍କୁ ପରେ କଟକ ସ୍ଥାନାନ୍ତର କରାଯାଇଛି । ଟିକି ଖାନ୍ ଜଣେ ବାଲି ମାଫିଆ ଭାବେ ସହରରେ ଜଣାଶୁଣା ଥିବାବେଳେ କୋରେକ୍ସ ବିକି ନାଁ କମେଇଛି ବିଶୁ । ଉଭୟ ବାରମ୍ବାର ଅପରାଧ ଘଟାଇ ପୁଲିସର ମୁଣ୍ଡ ବିନ୍ଧାର କାରଣ ପାଲିଥିଲେ ।

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଉମାଶଙ୍କର ଦାଶ ଏହି ଡବଲ୍ ଏନ୍କାଉଣ୍ଟର୍ ସମ୍ପର୍କରେ ତଥ୍ୟ ଦେଇଛନ୍ତି । ସୋମବାର ବିଳମ୍ବିତ ରାତି । ଟିକିକୁ ଧରିବା ପାଇଁ ପୁଲିସ ପ୍ରସ୍ତୁତ ହୋଇଥିଲା । ତାଳବଣିଆ ଥାନା ଅଧୀନ ଭୂଦାନ ଛକରେ ଟିକି ତାର ଜଣେ ସହଯୋଗୀ ସହ ଥିବା ସନ୍ଧାନ ପାଇ ପୁଲିସ ଚଢଉ କରିଥିଲା । ତାଳବଣିଆ ଥାନା ଆଇଆଇସି ଶୁଭଲକ୍ଷ୍ମୀ ପୂଜାରୀ ଓ କୁମ୍ଭାରପଡ଼ା ଥାନା ଆଇଆଇସି କୁଳମଣୀ ସେଠୀ ପୁଲିସ୍ ଟିମ୍ ସହ ଚଢଉ କରିଥିଲେ । ଟିକିକୁ ଧରିବାକୁ ଉଦ୍ୟମ କରିବାବେଳେ ସେ ପୁଲିସ ଉପରକୁ ହଠାତ୍ ଗୁଳିମାଡ଼ କରିଥିଲା । ତେଣୁ ପୁଲିସ ତାକୁ ଏନ୍କାଉଣ୍ଟର୍ କରିବାକୁ ବାଧ୍ୟ ହୋଇଥିଲା ବୋଲି ଏସ୍ପି ଶ୍ରୀ ଦାଶ କହିଛନ୍ତି । ଟିକି ଡାହାଣ ଗୋଡରେ ଗୁଳି ବାଜିଛି । ତା’ ନିକଟରୁ ଏକ ୭.୬୫ ବନ୍ଧୁକ, ଗୋଟିଏ ଗୁଳି, ୨ଟି ମୋବାଇଲ ଓ ୧୦ ହଜାର ୫୦ ଟଙ୍କା ଜବତ କରାଯାଇଛି । ପୁଲିସକୁ ଗୁଳିମାଡ଼ କରିବା ଅଭିଯୋଗରେ ତାଳବଣିଆ ଥାନାରେ ଦଫା ୨୯୪, ୩୨୩, ୩୫୩, ୩୦୭ ଆଇପିସି ଓ ୨୫ ଏବଂ ୨୭ ଆର୍ମସ୍ ଆକ୍ଟ ବଳରେ ମାମଲା (୬୩/୧୯) ରୁଜୁ ହୋଇଛି । କୁମ୍ଭାରପଡା ଥାନା ଆଇଆଇସି କୁଳମଣି ସେଠୀଙ୍କ ଏତଲା କ୍ରମେ ଏହି ମାମଲା ରୁଜୁ ହୋଇଛି । ତା’ର ସହଯୋଗୀ ଖସି ପଳାଇଥିବା ପୁଲିସ କହିଛି ।
ସେହିପରି ବିଶୁକୁ ଗିରଫ କରିବାକୁ ପ୍ରସ୍ତୁତ ଥିଲା ପୁଲିସ । ଟାଉନ୍ ଥାନା ଆଇଆଇସି ଉପେନ୍ଦ୍ର କୁମାର ପ୍ରଧାନ ଓ ବାସେଳୀ ସାହି ଥାନା ଆଇଆଇସି ଜୀବନାନନ୍ଦ ଜେନା ତାଙ୍କ ଟିମ୍ ସହ ଚଢ଼ଉ କରିଥିଲେ । ମଙ୍ଗଳାଘାଟ ଠାରେ ବିଶୁକୁ କାବୁ କରିବାକୁ ପୁଲିସ ଟିମ୍ ଘେରିଯାଇଥିଲା । କିନ୍ତୁ ପୁଲିସ ଆଖିରେ ପୁଣି ଧୂଳି ଦେଇ ଖସିଯିବାକୁ ଉଦ୍ୟମ କରିଥିଲା ବିଶୁ । ପାଖରେ ରଖିଥିବା ବନ୍ଧୁକ ବାହାର କରି ପୁଲିସ ଉପରକୁ ସେ ମଧ୍ୟ ଗୁଳିମାଡ଼ କରିଥିଲା । କିନ୍ତୁ ସୌଭାଗ୍ୟବଶତଃ ପୁଲିସ ଖସିଗଲା । କିନ୍ତୁ ଅଭିଯୁକ୍ତ ବିଶୁକୁ ଛାଡି ନ ଥିଲା । ବିଶୁକୁ ଏନ୍କାଉଣ୍ଟର୍ କରାଗଲା । ତାର ଡାହାଣ ଗୋଡରେ ବାଜିଛି ଗୁଳି । ପରେ ପୁଲିସ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତା’ ନିକଟରୁ ଏକ ବନ୍ଧୁକ ଓ ଗୁଳି ସହ ଏକ ମୋପେଡ ଜବତ କରାଯାଇଛି । ପୁଲିସକୁ ଗୁଳିମାଡ଼ କରିବା ଅଭିଯୋଗରେ ବାସେଳୀ ସାହି ଥାନାରେ ଆଇଆଇସି ଜୀବନାନନ୍ଦ ଜେନାଙ୍କ ଏତଲା କ୍ରମେ ଦଫା ୩୩୨, ୨୯୪, ୩୫୩, ୩୦୭ ଆଇପିସି ଓ ୨୫ ଏବଂ ୨୭ ଆର୍ମସ୍ ଆକ୍ଟ ବଳରେ ମାମଲା (୮୨/୧୯) ରୁଜୁ ହୋଇଛି ।
Comments are closed, but trackbacks and pingbacks are open.