ଭୁବନେଶ୍ୱର,(ବି.ବି.ବ୍ୟୁରୋ) : ପୁରୀ ସହରରକୁ ନୂଆ ରୂପ ଦେବେ ସରକାର । ଜଗନ୍ନାଥ ଧାମକୁ ସାରାବିଶ୍ୱରୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି । ସେମାନଙ୍କୁ ପୁରୀ ସହରରେ ଉନ୍ନତ ସେବା ଓ ସୁବିଧା ଯୋଗାଇ ଦେବାକୁ ଅବଢ଼ା ଯୋଜନାରେ ୫ଟି ପ୍ରକଳ୍ପ କରାଯିବ । ଏଥିପାଇଁ ୨୬୫ କୋଟି ଟଙ୍କା ଖର୍ଚ୍ଚ ହେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ସହରର ଭିତ୍ତିଭୂମି ବିକାଶ ପାଇଁ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ପୁରୀରେ ଥିବା ପୁରୁଣା ଜେଲ୍ ପରିସରରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥା ହେବ । ଏଥିରେ ୪୦୦ କାର୍ ପାର୍କିଂ ପାଇଁ ସୁବିଧା ରହିବ । ସେହିପରି ଯାତ୍ରୀକାରେ ମଧ୍ୟ ବହୁତଳ କାର୍ ପାର୍କିଂ ବ୍ୟବସ୍ଥା କରାଯିବ । ସେଠାରେ ମଧ୍ୟ ୪୦୦ କାର୍ ପାର୍କିଂ କରାଯିବ । ଏହା ହେଲେ ପୁରୀକୁ ଆସୁଥିବା ଯାତ୍ରୀମାନଙ୍କ ଗାଡ଼ି ପାର୍କିଂ ସମସ୍ୟା ଦୂର ହୋଇପାରିବ । ଏହାବାଦ୍ ମ୍ୟୁନିସିପାଲଟି ମାର୍କେଟର ବିକାଶ କରାଯିବ । ମାର୍କେଟର ପୁନରୁଦ୍ଧାର କରାଯାଇ ଅତ୍ୟାଧୁନିିକ କରାଯିବ । ମାର୍କେଟରେ ୧୨୫୦ ଟି ଦୋକାନ ଘର ରହିବ ।
ପୁରୀ ଲୋକଙ୍କ ସୁବିଧା ପାଇଁ ଜିଲ୍ଲାପାଳଙ୍କ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଗୋଟିଏ ଛାତ ତଳକୁ ଅଣାଯିବ । ଗୋଟିଏ ସ୍ଥାନରେ ସମସ୍ତ ସରକାରୀ କାର୍ଯ୍ୟାଳୟ ରହିବ । ଏହା ହେଲେ ଲୋକ ଗୋଟିଏ ସ୍ଥାନରେ ସମସ୍ତ ସେବା ପାଇପାରିବେ । କାର୍ଯ୍ୟାଳୟ ଗୋଟିଏ ସ୍ଥାନକୁ ଆସିବା ପରେ ସ୍ଥାନାନ୍ତର ହୋଇଥିବା କାର୍ଯ୍ୟାଳୟ ପରିସରରେ ପାର୍କ ନିର୍ମାଣ କରାଯିବ । ଆଚାର୍ଯ୍ୟ ହରିହର ଛକରେ ରାସ୍ତା ସଂପ୍ରସାରଣ କରାଯାଇ ସେଠାରେ ନାଗରିକଙ୍କ ସୁବିଧା ଓ ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯିବ । ଏହି ସମସ୍ତ କାମ ପୂର୍ତ୍ତ ବିଭାଗ ଅଧୀନରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଜରିଆରେ କାର୍ଯ୍ୟକାରୀ କରାଯିବ ।
ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର, ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଅର୍ଥ ବିଭାଗ ପ୍ରମୁଖ ସଚିବ, ପୂର୍ତ୍ତ ସଚିବ ଓ ପୁରୀ ଜିଲ୍ଲାପାଳ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.