ପୁରୀ ଫାଣ୍ଡି ସାମ୍ନାରେ କାର୍ କାଚ ଭାଙ୍ଗି ଲୁଟିଲେ ଲୁଟେରା

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ପୁଲିସ ଯେତେ କଡ଼ା ହେଲେ ମଧ୍ୟ ଚୋର ରହୁଛନ୍ତି ଦୁଇ ପାଦ ଆଗରେ । ଏପରିକି ପୁଲିସକୁ ଚ୍ୟାଲେଞ୍ଜ ଦେଇ କରୁଛନ୍ତି ଚୋରି । କେତେବେଳେ ଥାନା ସମ୍ମୁଖରୁ ତ’ ଆଉ କେତେବେଳେ ପୁଲିସ ବାରାକ୍ ସମ୍ମୁଖରୁ ଲୁଟ୍ପାଟ୍ କରୁଥିବା ଚୋର ଶୁକ୍ରବାର ପୁଲିସ ଫାଣ୍ଡି ସାମ୍ନାରୁ ଚୋରି କଲେ ଲାପ୍ଟପ୍ । ଟାଉନ୍ ଥାନା ଅଧୀନ ଜଗନ୍ନାଥ ବଲ୍ଲଭ ପାର୍କିଂରୁ ଏହି ଚୋରି ହୋଇଛି । ପାର୍କିଂରେ ଥିବା ପୁଲିସ ଫାଣ୍ଡି ସାମ୍ନାରୁ ଜଣେ ଡାକ୍ତରଙ୍କ କାର୍ କାଚ ଭାଙ୍ଗି ଦୁର୍ବୃତ୍ତ ଲଗେଜ ଓ ଲାପ୍ଟପ୍ ଚୋରି କରି ନେଇ ପଳାଇଛନ୍ତି । ଡାକ୍ତର ହେଲେ କଟକ ଓଲଟପୁରରେ କାର୍ଯ୍ୟରତ ଅର୍ଥୋପେଡିକ୍ ସର୍ଜନ୍ ଡା. ପବିତ୍ର କୁମାର ସାହୁ । ସେ ଟାଉନ୍ ଥାନାରେ ଏତଲା ଦେଇଛନ୍ତି ।
ଶୁକ୍ରବାର ହୋଟେଲ ହଲିଡେ ରିସୋର୍ଟରେ ଡାକ୍ତରମାନଙ୍କ ଏକ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିଲେ ଡା. ସାହୁ । ଅପରାହ୍ନରେ କାର୍ଯ୍ୟକ୍ରମ ସରିବା ପରେ ସେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ । ଅପରାହ୍ନ ୫ଟା ୪୫ରେ ବଡ଼ଦାଣ୍ଡ ସ୍ଥିତ ଜଗନ୍ନାଥ ବଲ୍ଲଭରେ କାର୍ (ଓଡି-୦୫କେ-୩୮୫୬) ପାର୍କିଂ କରି ଶ୍ରୀମନ୍ଦିର ଯାଇଥିଲେ । ପାର୍କିଂରେ ଥିବା ପୁଲିସ ଫାଣ୍ଡି ସମ୍ମୁଖରେ ସେ ତାଙ୍କ କାର୍ ରଖିଥିଲେ । ୪୦ ମିନିଟ୍ ପରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଥିଲେ । ପାର୍କିଂରେ ପହଞ୍ଚିବା ପରେ ତାଙ୍କ କାର୍ ପଛ ସିଟ୍ ପାଖ କାଚ ଭାଙ୍ଗାଥିବା ଦେଖିବାକୁ ପାଇଥିଲେ । କାର୍ ଭିତରେ ଥିବା ତାଙ୍କ ଲଗେଜ୍ ଓ ଲାପ୍ଟପ୍ ନଥିବା ଜାଣିବାକୁ ପାଇଥିଲେ । ଲଗେଜରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ପେନ୍ଡ୍ରାଇଭ୍ ଥିଲା । ଉକ୍ତ ପେନ୍ଡ୍ରାଇଭ୍ରେ ମଧ୍ୟ ଅନେକ ତଥ୍ୟ ରହିଥିଲା । ସେଠାରେ ଥିବା ପୁଲିସ ବାବୁମାନଙ୍କୁ ଏନେଇ ଡା. ଶ୍ରୀ ସାହୁ ପଚାରିଥିବାବେଳେ ସେମାନେ ଚୋରି ସମ୍ପର୍କରେ କିଛି ଜାଣିନଥିବା କହିଥିଲେ । ପାର୍କିଂରେ ଥିବା କର୍ମଚାରୀମାନେ ମଧ୍ୟ କିଛି ଉତ୍ତର ଦେଇନଥିଲେ । ଶେଷରେ ଏନେଇ ଥାନାରେ ଏତଲା ଦେଲେ ଡା. ଶ୍ରୀ ସାହୁ ।
ପୂର୍ବରୁ ଏକାଧିକ ଥର ଏହି ପାର୍କିଂରୁ ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । ବିଶ୍ୱର କୋଣ ଅନୁକୋଣରୁ ଆସୁଥିବା ଶ୍ରଦ୍ଧାଳୁ ଏହିଠାରେ ଗାଡି ପାର୍କିଂ କରି ଶ୍ରୀମନ୍ଦିର ଯାଇଥାଆନ୍ତି । ଏପରିକି ଶ୍ରୀମନ୍ଦିର ଚଉହଦି ଉଚ୍ଛେଦ ଯୋଗୁଁ ଏହି ପାର୍କିଂର ଗୁରୁତ୍ତ୍ୱ ଆହୁରି ବଢ଼ିଯାଇଛି । ତଥାପି ପୁଲିସ ଏଭଳି ଏକ ସମ୍ବେଦନଶୀଳ ସ୍ଥାନ ଉପରେ ନଜର ରଖୁନଥିବାରୁ ଚୋର ସକ୍ରିୟ ହୋଇପଡ଼ିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons