ପୁରୀ : ପୁରୀ ପେଣ୍ଠକଟାସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ( ଆରଏସ୍ଏସ୍ )ର ବାଲ୍ମିକୀ ଛାତ୍ରାବାସରୁ ବୁଧବାର ଜଣେ ଛାତ୍ରଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରଙ୍କୁ ପାକଶାସ୍ତ୍ରୀ ପ୍ରଥମ ବର୍ଷର ଛାତ୍ର ଆଶିଷ କୁମାର ଷଡ଼ଙ୍ଗୀ ଭାବେ ଚିହ୍ନଟ କରାଯାଇଛି ।
ଆଶିଷ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଛାତ୍ର ଆତ୍ମହତ୍ୟା କରିଥିବା ନେଇ ଜଣାପଡିବା ପରେ ହଷ୍ଟେଲ ଅଧିକ୍ଷକ ଡ଼. ଉମେଶ ଚନ୍ଦ୍ର ମିଶ୍ର ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ସମୁଦ୍ରକୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପଠାଇଛି।
ଘଟଣାସ୍ଥଳରୁ ପୋଲିସ ଏକ ମୋବାଇଲ ଫୋନ ଜବତ କରିଥିବା ବେଳେ ପ୍ରେମରେ ବିଫଳ ହୋଇ ଛାତ୍ର ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ। ହେଲେ ଛାତ୍ର ଆତ୍ମହତ୍ୟା ସମୟର ଏକ ଲାଇଭ ଭିଡ଼ିଓ କରିଥିବା ପୋଲିସ କହିଥିବା ବେଳେ ମାମଲାର ତଦନ୍ତ ଆରମ୍ଭ କରିଛି।
Comments are closed, but trackbacks and pingbacks are open.