ଭୁବନେଶ୍ୱର,(ବି.ବି.ବ୍ୟୁରୋ): ମଞ୍ଚେଶ୍ୱର ଥାନା ନୂଆ ଜଗନ୍ନାଥ ସଡ଼କରେ ଥିବା ଏକ ପୁରୁଣା ଗାଡ଼ି ସୋ’ ରୁମ୍ରେ ଡକାୟତି ହୋଇଛି । ଡକାୟତମାନେ ୩ ଜଣଙ୍କୁ ହାଣି ୫ ଲକ୍ଷ ଟଙ୍କା ଓ ଗୋଟିଏ ସୁନାଚେନ୍ ନେଇ ଯାଇଛନ୍ତି । ଆହତମାନେ ହେଲେ ରାଇରଙ୍ଗପୁରର ବିକ୍ରମ ଶର୍ମା, ସୋ’ ରୁମ୍ କର୍ମଚାରୀ କଟକର ତାପସ ପରିଡ଼ା ଓ ଗ୍ରାହକ କୁମାର ଚିକୁ । ୩ ଜଣଙ୍କୁ ଡକାୟତମାନେ ହାଣି ରକ୍ତାକ୍ତ କରିଛନ୍ତି । ସମସ୍ତେ ଏବେ ହସ୍ପିଟାଲ୍ରେ ଚିକିତ୍ସା ହେଉଛନ୍ତି ।
ମିଳିଥିବା ସୂଚନା ମୁତାବକ, ମଞ୍ଚେଶ୍ୱର ଥାନା ନୂଆ ଜଗନ୍ନାଥ ସଡ଼କରେ ରହିଛି ମହାବୀର ମୋଟର୍ସ । ମଙ୍ଗଳବାର ଅପରାହ୍ଣ ସାଢ଼େ ୪ଟା ବେଳେ ସୋ’ ରୁମ୍ରେ ଥିଲେ ତାପସ ଓ ଅନ୍ୟ ଦୁଇ କର୍ମଚାରୀ । ଗ୍ରାହକ ଚିନୁ ଅଢ଼େଇ ଲକ୍ଷ ଟଙ୍କା ନେଇ କାର୍ କିଣିବାକୁ ଯାଇଥିଲେ । ଏହି ସମୟରେ ୫ ଜଣ ଡକାୟତ ସୋ’ ରୁମ୍ରେ ପଶିଲେ । ଖଣ୍ଡାରେ ହାଣି ମାଡ଼ ମାରି ଟଙ୍କା ସୁନାଚେନ୍ ନେଲେ । ବାହାରକୁ ଆସିବାକୁ ଯୋଜନା କରୁଥିଲା ବେଳେ ଗ୍ରାହକ ରାଇରଙ୍ଗପୁରର ବିକ୍ରମ ଶର୍ମା ସୋ’ ରୁମ୍ ଭିତିରକୁ ପଶିଥିଲେ । ଡକାୟତମାନେ ବିକ୍ରମଙ୍କୁ ଖଣ୍ଡାରେ ହାଣି ତାଙ୍କ ଠାରୁ ୨ ଲକ୍ଷ ୩୦ ହଜାର ଟଙ୍କା ନେଇଗଲେ । ଡକାୟତମାନେ ବନ୍ଧୁକ ଓ ଖଣ୍ଡା ଧରିଥିବାରୁ ତାଙ୍କୁ କାବୁ କରିବା ସମ୍ଭବ ହୋଇନଥିଲା । ସେମାନେ ଗଲା ପରେ ପୁଲିସକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ ସୋ ରୁମ୍ କର୍ମଚାରୀ । ଏନେଇ ସେମାନେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.