ଛତ୍ରପୁର, (ବି.ବି.ନୁ୍ୟଜ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ସୁମଣ୍ଡଳ ବସ୍ଷ୍ଟାଣ୍ଡ୍ ଠାରେ ଗୁଳି କରି ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ହତ୍ୟା ମାମଲାର ପର୍ଦ୍ଧାଫାସ୍ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି । ଏଥିରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ କୋଦଳା ଥାନା ସୁମଣ୍ଡଳର ଅଜୟ ବାରିକ ଓ ଗଗନ ବିଶ୍ୱାଳ, ଖଲ୍ଲିକୋଟ ଥାନା ଖୋଜାପଲ୍ଲୀର ବଳରାମ ପରିଡ଼ା ଓରଫ୍ ବଳିଆ, ତୋଟାଗାଁର ପବନା ପାହାନ ଏବଂ କହ୍ନେଇପୁରର ପ୍ରଶାନ୍ତ ସ୍ୱାଇଁ । ସେମାନଙ୍କ ଠାରୁ ୭.୬୨ ଏମ୍ଏମ୍ କ୍ୟାଲିବର୍ ପିସ୍ତଲ୍ ୩ଟି, ମ୍ୟାଗାଜିନ୍ ୫ଟି, ଗୁଳି ୬୨ ରାଉଣ୍ଡ୍, ମୋବାଇଲ୍ ଫୋନ୍ ୩ଟି, ଗୋଟିଏ ଇଣ୍ଡିକା କାର୍ (ଓଡି୦୭କେ- ୩୪୮୪), ୨ଟି ଲେଖାଏଁ ଏଟିଏମ୍ କାର୍ଡ, ଅଜୟ ଓ ବଳରାମର ଆଧାର କାର୍ଡ ଏବଂ ବ୍ୟାଙ୍କ୍ ପାସ୍ବୁକ୍, କଲେଜ ପରିଚୟ ପତ୍ର ଓ ନଗଦ ୩୫୦୦ ଟଙ୍କା ଜବତ ହୋଇଛି । କଲେଜ ପରିଚୟପତ୍ରଟି ଅଜୟର ଛାତ୍ରାବସ୍ଥାର ଥିବା ବେଳେ ନଗଦ ଟଙ୍କା ବଳରାମଠୁ ଜବତ କରିଛି ପୁଲିସ । ପୂର୍ବରୁ ଦେବବାଜଙ୍କ ମୋବାଇଲ୍ ଘଟଣା ଦିନ ହିଁ ସୁମଣ୍ଡଳ ଠାରୁ କିଛି ଦୂରରେ ଅପରାଧୀମାନେ ଫିଙ୍ଗି ଦେଇ ଚାଲି ଯାଇଥିବା ବେଳେ ପୁଲିସ ତାହା ଜବତ କରିଥିଲା । ଛତ୍ରପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୋମବାର ଅପରାହ୍ଣରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏବଂ ଗଞ୍ଜାମ ଏସ୍ପି ବ୍ରିଜେଶ ରାଏ ଏହି ହତ୍ୟା ଘଟଣା ବାବଦରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି ।
ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ସୂଚନା ମୁତାବକ- ୨୦ ତାରିଖ ସକାଳ ପ୍ରାୟ ୮ଟା ୩୦ରେ ଦେବରାଜ ସାହୁ ସୁମଣ୍ଡଳ ବସ୍ଷ୍ଟାଣ୍ଡ୍ ଠାରେ ଚାହା ପିଉଥିବା ବେଳେ ଏହି ୫ ଜଣ ଆସି ହତ୍ୟାକାଣ୍ଡ ଘଟାଇଥିଲେ । ୩ ଗୁଳି, ଫାୟାରିଂ ଓ ଡେମେଜ୍ଡ୍ କାଟ୍ରିଜ୍ ଘଟଣାସ୍ଥଳରୁ ଜବତ ହୋଇଥିଲା । କୋଦଳା ଥାନାରେ ଏ ନେଇ କେସ୍ ନମ୍ବର ୨୩/୨୦.୧.୨୦୨୧ (ଆର୍ମସ୍ ଆକ୍ଟ ଓ ଆଇପିସି ବିଭିନ୍ନ ଦଫା) ରୁଜୁ ହୋଇଥିଲା । ପୁରୁଷୋତ୍ତମପୁର ଏସ୍ଡିପିଓଙ୍କ ନେତୃତ୍ୱରେ ୩ଟି ଟିମ୍ ତଦନ୍ତରେ ନିୟୋଜିତ ଥିଲା ଯାହାର ତଦାରଖ କରୁଥିଲେ ଏଏସ୍ପି ଠାକୁର ପ୍ରସାଦ ପାତ୍ର ।
ଉପରୋକ୍ତ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅଜୟ, ବଳରାମ, ପବନା କାର୍ରୁ ଓହ୍ଲାଇ ଦେବରାଜଙ୍କ ଉପରକୁ ଗୁଳି କରିଥିଲେ । ସେମାନେ ବ୍ଲାଙ୍କ୍ ଫାୟାରିଂ ସମେତ ମୋଟ ୧୬ ରାଉଣ୍ଡ୍ ଗୁଳିଚାଳନା କରିଥିଲେ ଯେଉଁଥିରୁ ୮ ରାଉଣ୍ଡ୍ ଦେବରାଜଙ୍କ ଶରୀରରେ ବାଜିଥିଲା । ଶବ ବ୍ୟବଚ୍ଛେଦ ବେଳେ ଶରୀରରୁ ୭ ରାଉଣ୍ଡ୍ ଗୁଳି ବାହାରିଥିବା ବେଳେ ଘଟଣାସ୍ଥଳରୁ ଆଉ ଏକ ଖୋକା ମିଳିଥିଲା । କାଳେ ଦେବରାଜ ଜୀବିତ ଥିବେ ସେଥିପାଇଁ ତଳେ ଲୋଟି ପଡ଼ିବା ପରେ ବି ତାଙ୍କ ଶରୀରକୁ ଗୋଡ଼ରେ ଓଲଟାଇ ପିଠି ପଟୁ ମଧ୍ୟ ଫାୟାରିଂ କରିଥିଲେ ଅଭିଯୁକ୍ତ । ପ୍ରଥମେ ଓ ଘଟଣା ଘଟାଇ କାର୍ ନିକଟକୁ ଫେରିବା ବେଳେ ମଧ୍ୟ ଅଭିଯୁକ୍ତମାନେ ଫାଙ୍କା ଗୁଳିଚାଳନା କରିଥିଲେ । ଏହା ପରେ ସେମାନେ ଶାଳିଆ ଡ୍ୟାମ୍ ଦେଇ କେନ୍ଦ୍ରାପଡ଼ା ପଟକୁ ଚାଲି ଯାଇଥିଲେ । ତେବେ ପୁଲିସ ବ୍ୟାପକ ତନାଘନା କରି ସେମାନଙ୍କୁ ଶାଳିଆ ଡ୍ୟାମ୍ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରୁ ଗିରଫ କରିଥିବା କହିଛନ୍ତି ଡିଆଇଜି ଭୋଇ । ଅଭିଯୁକ୍ତମାନଙ୍କ ମଧ୍ୟରୁ ପ୍ରଶାନ୍ତ ଉକ୍ତ କାର୍ର ଡ୍ରାଇଭର୍ ଥିବା ବେଳେ ଗଗନ ବିଶ୍ୱାଳ ସୂଚନାଦାତା ଭାବେ କାମ କରୁଥିଲା । ଘଟଣା ସମୟରେ ସେ ଚାହା ଦୋକାନ ନିକଟରେ ଉପସ୍ଥିତ ରହି ଅଭିଯୁକ୍ତମାନଙ୍କୁ ଆଗୁଆ ସୂଚନା ଦେଉଥିଲା । ଘଟଣାରେ ବ୍ୟବହୃତ କାର୍କୁ ସେମାନେ ଗତ ୨ ମାସ ହେଲା ଭଡ଼ାରେ ଆଣିଥିଲେ ଓ ପ୍ରଶାନ୍ତକୁ ଡ୍ରାଇଭିଂ ପାଇଁ ନିୟୋଜିତ କରିଥିଲେ । ସେହିପରି ପବନା ନାମରେ ପୂର୍ବରୁ ୨ଟି ଏବଂ ଅଜୟ ଓ ବଳିଆ ନାମରେ ଗୋଟିଏ ଲେଖାଏଁ କେସ୍ ଖଲ୍ଲିକୋଟ ଓ କୋଦଳା ଥାନାରେ ଆଗରୁ ରୁଜୁ ହୋଇଛି । ଖଲ୍ଲିକୋଟ ଥାନା ମାଣିକପୁର ଅଞ୍ଚଳରେ ଘଟିଥିବା ଏକ ଗୁଳିକାଣ୍ଡରେ ଏହି ତିନିହେଁ ଆଗରୁ ସମ୍ପୃକ୍ତ ଥିବା ଜଣାଯାଇଛି ।
ଡିଆଇଜିଙ୍କ ସୂଚନା ମୁତାବକ ବ୍ୟକ୍ତିଗତ ପୂର୍ବ ଶତ୍ରୁତାରୁ ଦେବରାଜଙ୍କୁ ହତ୍ୟା କରାଯାଇଛି । ରାଜନୈତିକ ବିବାଦ କିଛି ନଥିବା ସେ ସ୍ପଷ୍ଟ କରିଛନ୍ତି । ଦେବରାଜ ସାହୁ ମାଙ୍କଡ଼ା ପଥର, ଚିପ୍ସ୍, ଗୋଡ଼ି, ବାଲି ବ୍ୟବସାୟ କରୁଥିଲେ । ତାଙ୍କର ଏକାଧିକ ଟିପ୍ପର ଓ ଟ୍ରକ୍ ଜରିଆରେ ଅନେକ ସମୟରେ ଏସବୁ ସାମଗ୍ରୀ ବେଆଇନ ଭାବେ ଚାଲାଣ ହେଉଥିଲା । ଅଜୟ ଗତ ସେପ୍ଟେମ୍ବର ମାସ ପୂର୍ବରୁ ତହସିଲ ପ୍ରଶାସନକୁ ସୂଚନା ଦେଇ ଦେବରାଜଙ୍କ ଟ୍ରକ୍ ଧରାଇ ଦେଇଥିଲା । ଫଳରେ ଦେବରାଜଙ୍କୁ ଲକ୍ଷାଧିକ ଟଙ୍କା ଜରିମାନା ଦେବାକୁ ପଡ଼ିଥିଲା । ଗତ ସେପ୍ଟେମ୍ବର ମାସରେ ଦେବରାଜ, ତାଙ୍କ ପରିବାର ଲୋକ ଓ ସମର୍ଥକମାନେ ଏହି ଘଟଣା ନେଇ ଅଜୟ ବାରିକ ଓ ତାଙ୍କ ପରିବାର ଲୋକଙ୍କୁ ପିଟିଥିଲେ । ଯଦିଓ ଏ ନେଇ କୋଦଳା ଥାନାରେ କୌଣସି କେସ୍ ହୋଇ ନଥିଲା, କିନ୍ତୁ ସେହି ଦିନଠୁ ଅଜୟ ଗାଁ ଛାଡ଼ି ଅନ୍ୟତ୍ର ଚାଲି ଯାଇଥିଲା । ଏଥିସହ ସେ ଦେବରାଜଙ୍କୁ ହତ୍ୟା କରିବାକୁ ନିଶ୍ଚୟ କରି ନେଇଥିଲା । ତାର ବଡ଼ ଭାଇର ବି ଅପରାଧିକ ରେକର୍ଡ ଅଛି । ମାଆଙ୍କୁ କହି ସେମାନେ ନିଜର ଜମି ଗାଁର ଜଣେ ବ୍ୟକ୍ତିଙ୍କୁ ବିକି ଟଙ୍କା ଯୋଗାଡ଼ କରିଥିଲେ ଓ ସେଥିରୁ ୩ଟି ବନ୍ଧୁକ, ୧୧୬ ରାଉଣ୍ଡ୍ ଗୁଳି ଜବତ କରିଥିଲେ । କାର୍ ଭଡାରେ ଆଣିଥିଲେ । ଏପରିକି ଅଭିଯୁକ୍ତମାନେ ପୂର୍ବରୁ ଦୁଇ ଥର ଦେବରାଜଙ୍କୁ ଛକିଥିଲେ ମଧ୍ୟ ହତ୍ୟା କରିବାରେ ସଫଳ ହୋଇପାରି ନଥିଲେ । ଏହି ବନ୍ଧୁକ ଓ ଗୁଳି କାହାଠାରୁ ଓ କିଭଳି କିଣାଯାଇଛି ତାହାର ତଦନ୍ତ ଜାରି ରଖିଛି ପୁଲିସ । ଏହି ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅନୁସନ୍ଧାନ ଚାଲୁ ରହିଛି ।
ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଓ ଏସ୍ପିଙ୍କ ସମେତ ଏଏସ୍ପି ପାତ୍ର, ଅନ୍ୟ ଦୁଇ ଏଏସ୍ପି ବିଜୟ କୁମାର ମଲ୍ଲିକ ଓ ଅଶୋକ କୁମାର ମହାନ୍ତି, ପୁରୁଷୋତ୍ତମପୁର ଏସ୍ଡିପିଓ ସୀମା ସ୍ୱାଇଁ, କୋଦଳା ଥାନା ଆଇଆଇସି ଦେବାଶିଷ ମହାନ୍ତି, ବେଗୁନିଆପଡ଼ା ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଦୀପ୍ତିରଞ୍ଜନ ବେହେରା ଉପସ୍ଥିତ ଥିଲେ । ଏଏସ୍ପି ପାତ୍ରଙ୍କ ନେତୃତ୍ୱରେ ଗଠିତ ତଦନ୍ତ ଟିମ୍ରେ ପୁରୁଷୋତ୍ତମପୁର ଏସ୍ଡିପିଓ, କୋଦଳା ଥାନାଧିକାରୀଙ୍କ ସମେତ ପୁରୁଷୋତ୍ତମପୁର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ, ଗାଙ୍ଗପୁର ଥାନା ଆଇଆଇସି ଧିରେନ୍ଦ୍ର କୁମାର ଦାସ, କୋଦଳା ଥାନା ଏସ୍ଆଇ ଅନୀଲ ସାହୁ ପ୍ରମୁଖ ସାମିଲ୍ ଥିଲେ ।


Comments are closed, but trackbacks and pingbacks are open.