ବଲାଙ୍ଗିର,(ବି.ବି.ନୁ୍ୟଜ୍): ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଟାଉନ ଥାନା ଅନ୍ତର୍ଗତ ବେହେରାପାଲିଠାରେ ଜଣେ ଯୁବକଙ୍କୁ ତଣ୍ଟିରେ ମଦ ବୋତଲ ଭୁସିହତ୍ୟା କରାଯାଇଛି । ମୃତକ ଜଣକ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ୱାନର କଲୋନୀର କେଶବ କୁମ୍ଭାର ବୋଲି ଜଣାପଡିଛି । ଏଥିସହ ମୃତକଙ୍କ ଭାଇ ତୁଷାର କୁମ୍ଭାରଙ୍କ ମଧ୍ୟ ଆକ୍ରମଣର ଶିକାର ହୋଇ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସମ୍ପର୍କରେ ଖବର ପାଇ ପୁଲିସ ରାଜେନ୍ଦ୍ର ବିଭାର ନାମକ ଜଣେ ଯୁବକଙ୍କୁ ଅଟକ ରଖିଥିବା ବେଳେ ଆକ୍ରମଣକାରୀ ମନଜିତ କୁମ୍ଭାର ଫେରାର ଥିବା ପୁଲିସ ସୂତ୍ରରୁ ପ୍ରକାଶ ।
ପୁଲିସ ସୂଚନାନୁଯାୟୀ, କେଶବ ଏବଂ ତୁଷାର ବୁର୍ଲା ଅଂଚଳର ହୋଇଥିବା ବେଳେ ଗତ ୧୬ତାରିଖରେ ସେମାନେ ବେହେରାପାଲିସ୍ଥିତ ସମ୍ପର୍କିୟ ରଞ୍ଜନ କୁମ୍ଭାରଙ୍କ ଘରକୁ ଆସିଥିଲେ । ଗୁରୁବାର ସଂଧ୍ୟାରେ ସେମାନେ ସହରରେ ବୁଲିବାକୁ ବାହାରିଥିଲେ । ସେମାନେ ବୁଲୁଥିବା ବେଳେ ବେହେରାପାଲି ଅଞ୍ଚଳର ମନଜିତ କୁମ୍ଭାର ଏବଂ ରାଜେନ୍ଦ୍ର ବିଭାରଙ୍କ ସହ ଭେଟ ହୋଇଥିଲା । କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । କିନ୍ତୁ ଉକ୍ତ ଗଣ୍ଡଗୋଳଟି ଗତକାଲି ଥଣ୍ଡା ପଡିଯାଇଥିଲା । ଆଜି ସକାଳେ ପୁଣି ଉଭୟ କେଶବ ଏବଂ ତୁଷାର ସହରକୁ ବୁଲିବାକୁ ବାହାରି ଅପରାହ୍ନରେ ବେହେରାପାଲି ଫେରୁଥିବା ବେଳେ ସ୍ଥାନୀୟ ରେଳ ଫାଟକଠାରେ ମନଜିତ ଏବଂ ରାଜେନ୍ଦ୍ର ସହ ସେମାନଙ୍କର ଭେଟ ହୋଇଥିଲା । ଗତକାଲି ରାତିର ପୁରୁଣା ରାଗକୁ ନେଇ ସେମାନଙ୍କ ମଧ୍ୟରେ ବଚ୍ସା ହୋଇଥିଲା । ଏଥିରେ ମନଜିତ ଉତକ୍ଷିପ୍ତ ହୋଇ ଧରିଥିବା ଏକ ମଦବୋତଲରେ କେଶବ ଏବଂ ତୁଷାରଙ୍କୁ ଆକ୍ରମଣ କରିଥିଲା । କେଶବଙ୍କ ତଣ୍ଡିରେ ବୋତଲ ଭୁସିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତୁଷାରଙ୍କୁ ଉଦ୍ଧାର କରି ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ନେଇଥିଲେ । ଘଟଣା ପରେ ମନଜିତ ଫେରାର ମାରିଥିବା ବେଳେ ରାଜେନ୍ଦ୍ରକୁ କାବୁ କରି ପୁଲିସ ଥାନାକୁ ଆଣିଛି । କେଶବଙ୍କ ଶବ ବ୍ୟବଚ୍ଛେଦ କରାଇ ପଠାଇ ଦିଆଯାଇଛି । ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
Comments are closed, but trackbacks and pingbacks are open.