କୋରାପୁଟ,(ବି.ବି.ନୁ୍ୟଜ): ପାଡ଼ୁଆ ଥାନା ଦାର୍ଲିପୁଟ ନିକଟରେ ଦୁର୍ଘଟଣାର ଶିକାର ହୋଇ ପାତାଳୀ ନଦୀକୁ ଖସି ପଡ଼ିଥିବା ଉଭୟ କାର୍ ଓ ଅଟୋକୁ ଆଜି ଉଦ୍ଧାର କରାଯାଇଛି । କାର୍ରେ ଥିବା ୨ ଜଣଙ୍କ ମୃତଦେହକୁ ଜବତ କରିଛି ପୁଲିସ୍ । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ଯୁବତୀ । ତାଙ୍କ ନାଁ ପ୍ରତୀକ୍ଷା ଶର୍ମା । ସେ ଉତ୍ତରପ୍ରଦେଶ ଗାଜିଆବାଦ୍ ଆଇଡିବିଆଇ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରୁଥିଲେ ବୋଲି ତାଙ୍କ ପରିଚୟପତ୍ରରୁ ଜଣାପଡିଛି । ଅନ୍ୟ ଜଣେ ମୃତକ ତାଙ୍କ ପୁରୁଷବନ୍ଧୁ ଅଜୟ ଶୁକ୍ଳା ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି ପୁଲିସ୍ । ତେବେ ଏହି କାର୍ରେ ଆଉ କେହି ଥିଲେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । କିନ୍ତୁ ଅଟୋରେ ଯାଉଥିବା ୫ ଜଣ ସୁରକ୍ଷିତ ଥିବା ପାଡ଼ୁଆ ଥାନା ଭାରାପ୍ରାପ୍ତ ଆଇଆଇସି ସରୋଜ ମଲ୍ଲିକ ସୂଚନା ଦେଇଛନ୍ତି । ପୁଲିସ୍ ସୂଚନା ଅନୁଯାୟୀ, ପ୍ରତୀକ୍ଷା ତାଙ୍କ ପୁରୁଷ ବନ୍ଧୁ ଅଜୟଙ୍କ ସହିତ ବିଶାଖାପାଟଣାରୁ କାର୍ ଭଡ଼ା କରି ନନ୍ଦପୁର ବୁଲିବାକୁ ଆସିଥିଲେ । ଅଜୟଙ୍କ ଘର ନୂଆଦିଲ୍ଲୀ । ସେ ବିଶାଖାପାଟଣାରେ ଥିବା ନାଭାଲ ରିସର୍ଚ୍ଚ ଲାବୋରେଟୋରିରେ କାମ କରୁଥିଲେ । ପ୍ରତୀକ୍ଷାଙ୍କ ଶବ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଶବଟି ଅଜୟଙ୍କର ବୋଲି ସ୍ପଷ୍ଟ ହୋଇନି । ଚିହ୍ନଟ ପକ୍ରିୟା ଜାରି ରହିଛି । ଏହି ଦୁଇ ଜଣଙ୍କ ସହିତ ଆଉ କିଏ ଆସିଥିଲେ କି ନାହିଁ, ତାହାର ମଧ୍ୟ ତଦନ୍ତ ଚାଲିଛି । ଉଭୟ ପରିବାର ସହ ବିଶାଖପାଟଣା କାର୍ ମାଲିକଙ୍କ ସହିତ ଯୋଗାଯୋଗ କରାଯାଇଛି । ନଦୀରେ ବୁଡ଼ି ଯାଇଥିବା ନାଲି ରଙ୍ଗର କାର୍ ଓ ହଳଦିଆ ରଙ୍ଗର ଅଟୋକୁ ଆଜି ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର କରାଯାଇଛି । ମୃତକଙ୍କ ପରିବାର ଲୋକେ ପହଞ୍ଚିବା ପରେ ସେମାନଙ୍କ ଶବ ବ୍ୟବଚ୍ଛେଦ କରାଯିବ । ଶବ ଦୁଇଟିକୁ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ର ମର୍ଗ ହାଉସ୍ରେ ରଖାଯାଇଥିବା ଆଇଆଇସି ଶ୍ରୀ ମଲ୍ଲିକ କହିଛନ୍ତି ।
ସୂଚନାଥାଉକି, ମଙ୍ଗଳବାର ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । ଚାଟୁଆରୁ ପାଡ଼ୁଆ ଅଭିିମୁଖେ ଅଟୋଟି ଡ୍ରରଇଭର ସହ ୫ଜଣଙ୍କୁ ନେଇ ଆସୁଥିଲା । ଏହି ସମୟରେ କାର୍ଟି ଦ୍ରୁତଗତିରେ ଚାଟୁଆ ଅଭିମୁଖେ ଯାଉଥିଲା । ଦାର୍ଲିପୁଟ ନିକଟରେ ମୁହାଁମୁହିଁ ଧକ୍କା ହୋଇ ଉଭୟ ଗାଡ଼ି ପାତାଳି ନଦୀକୁ ଖସି ପଡ଼ିଥିଲା । ନନ୍ଦପୁର ଅଗ୍ନିଶମ ବିଭାଗର ହାବିଲଦାର ସୁବାସ ଚନ୍ଦ୍ର ବାରିକ,ସଂଜୀବ ପ୍ରଧାନ, ଆନ୍ଥୋନି ଲାକ୍ରା, ପ୍ରକାଶ କିଷାନ, ଅଜିତ କୁମାର ପଟେଲ ଏବଂ ମୋହିତ କୁମାର ମୁଦୁଲି ପ୍ରମୁଖ ଖୋଜାଖୋଜି କରିବା ବେଳେ ଭାସୁଥିବା ଯୁବତୀଙ୍କ ଶବକୁ ମଙ୍ଗଳବାର ରାତିରେ ହିଁ ଉଦ୍ଧାର କରିଥିଲେ । କୋରାପୁଟ ଓଡ୍ରାଫ ଟିମ୍ର ହାବିଲଦାର ରାଜଶେ କୁମାର ସାହୁ ଏବଂ ସନ୍ତୋଷ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ଆଜି ଦୁଇଟି ଟିମ ଯାଇ ଅପରାହ୍ନରେ ଯୁବକଙ୍କ ଶବ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ ଅଟୋ ଡ୍ରାଇଭର ଅର୍ଜୁନ ଖରା ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ୪ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଏ ସଂପର୍କରେ ପାଡୁଆ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି ।


Comments are closed, but trackbacks and pingbacks are open.