କଟକ,(ବି.ବି.ନୁ୍ୟଜ୍): ପାର୍ବଣ ଋତୁ ଆରମ୍ଭରୁ କଟକ ସହରରେ ଜୋର୍ ଧରିଛି ପୁଲିସ୍ର ଅପରାଧ ଦମନ ଅଭିଯାନ । ଆଜି ଭୋର୍ରେ କମିସନରେଟ୍ ପୁଲିସ ପୁଣି ଏକ ଏନ୍କାଉଣ୍ଟର୍ କରି ଅପରାଧୀଙ୍କ ଭିତରେ ଭୟ ଖେଳାଇଛି । ପୁଲିସ୍ ଗୁଳିରେ ଆହତ ହୋଇଛି ସିଡିଏ ସେକ୍ଟର ୧୩ ଅଞ୍ଚଳରେ ରହୁଥିବା କୁଖ୍ୟାତ ଚୋର ବୁଧିଆ ଦାସ(୨୮) । ବୁଧିଆ ନିକଟରୁ ପୁଲିସ୍ ଗୋଟିଏ ୯ ଏମ୍ଏମ୍ ପିସ୍ତଲ, ଦୁଇଟି ଗୁଳି, ମାଗାଜିନ୍ ଜବତ କରିଛି । ଗୁଳି ମାଡ଼ରେ ଆହତ ବୁଧିଆକୁ ଚିକିତ୍ସା କରାଇବା ପାଇଁ ପୁଲିସ୍ ତାକୁ ଏସ୍ସିବି ଡାକ୍ତରଖାନାରେ ଭର୍ତ୍ତି କରିଛି । ଅଭିଯୁକ୍ତର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଡାକ୍ତର କହିଛନ୍ତି । ଏହି ଘଟଣାକୁ ମିଶାଇ କଟକ ଡିସିପି ଅଖିଳେଶ୍ୱର ସିଂଙ୍କ ୨ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସହରରେ ୨୧ ଜଣ ଅପରାଧୀଙ୍କୁ ଏନ୍କାଉଣ୍ଟର୍ କରାଗଲାଣି ।
ସିଡିଏ ସେକ୍ଟର ୧୩ ବସ୍ତି ଇଲାକାରେ ରହୁଥିବା ବୁଧିଆ ଦାସ ଚାଉଳିଆଗଞ୍ଜ ଥାନାଞ୍ଚଳର ଜଣେ ବ୍ୟବସାୟୀଙ୍କୁ ବଟି ମାଗିବା ସହ ଧମକ ଚମକ ଦେଇଥିଲା । ଏ ସଂକ୍ରାନ୍ତରେ ବୁଧିଆ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ଗତକାଲି ଏକ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ସିଡିଏରେ ରହୁଥିବା ଖବର ପାଇ ଚାଉଳିଆଗଞ୍ଜ ଥାନା ପୁଲିସ୍ ସମେତ ସ୍ପେସାଲ୍ ସ୍କ୍ୱାଡ୍ ଆଇଆଇସି ଅଜୟ କୁମାର ଦାସଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଆଜି ଭୋର୍ରୁ ସେକ୍ଟର ୧୩ ଅଞ୍ଚଳରେ ଖାନତଲାସ୍ ଚଳାଇଥିଲେ । ବୁଧିଆର ସନ୍ଧାନ ପାଇ ପୁଲିସ୍ ତାକୁ ଗିରଫ କରିବା ପାଇଁ ଉଦ୍ୟମ କରିବା ମଧ୍ୟରେ ଘଟଣାସ୍ଥଳରୁ ଖସି ପଳାଇବା ପାଇଁ ସେ ନାନା କସରତ କରିଥିଲା । ଖସିଯିବାରେ ବିଫଳ ହେବାରୁ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା । ଅଭିଯୁକ୍ତର ଗୁଳିମାଡ଼ ଦେଖି ପୁଲିସ୍ ମଧ୍ୟ ପାଲଟା ଆକ୍ରମଣ କରିଥିଲା । ପୁଲିସ୍ର ଗୋଟିଏ ଗୁଳି ବୁଧିଆର ଡାହାଣ ଗୋଡ଼ରେ ବାଜିବାରୁ ସେ ଆଉ ଦୌଡ଼ି ନପାରି ତଳେ ପଡିଯାଇଥିଲା । ଘଟଣାସ୍ଥଳରେ ପୁଲିସ୍ ଟିମ୍ ତାକୁ କାବୁ କରିନେଇଥିଲେ ।
ଗିରଫ ସମୟରେ ପୁଲିସ୍ ଟିମ୍ ବୁଧିଆ ପାଖରୁ ଗୋଟିଏ ବନ୍ଧୁକ, ଗୁଳି ଜବତ କରିଥିଲେ । ଦୁର୍ଦ୍ଧାନ୍ତ ବୁଧିଆ ବିରୋଧରେ କଟକ କମିସନରେଟ୍ର ବିଭିନ୍ନ ଥାନା ସମେତ ଉପକୂଳ ଜିଲ୍ଲା କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ ଓ କଟକ ଗ୍ରାମାଞ୍ଚଳ ଥାନାରେ ଏକାଧିକ ଚୋରି, ଡକାୟତି, ରାହାଜାନି, ଦାଦାବଟି ଆଦାୟ, ହତ୍ୟା ଧମକ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଆଦି ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି । ଅପରପକ୍ଷରେ, କଟକ ଡିସିପି ଭାବେ ଅଖିଳେଶ୍ୱର ସିଂ ଦାୟିତ୍ୱ ନେବା ପରଠାରୁ ସହରରେ ଏଇଟି ୨୧ତମ ଏନ୍କାଉଣ୍ଟର । ୨୦୧୭ ଅଗଷ୍ଟ ୧୫ ତାରିଖରେ ଅଖିଳେଶ୍ୱରଙ୍କ ଏନ୍କାଉଣ୍ଟର ଆରମ୍ଭ ହୋଇଥିଲା । ବିଡ଼ାନାସୀ ଅଞ୍ଚଳର ଦୁର୍ଦ୍ଧାନ୍ତ ଅପରାଧୀ ରଘୁଆ ଓରଫ ରଘୁ ଦାସ ପୁଲିସର ଗୁଳିମାଡ଼ରେ ସେଦିନ ଆହତ ହେବା ଖବର ହଇଚଇ ସୃଷ୍ଟି କରିଥିଲା । ସେହିଦିନଠାରୁ ଅଦ୍ୟାବଧି ଜଣକ ପରେ ଅପରାଧୀଙ୍କୁ ପୁଲିସ୍ ଏନ୍କାଉଣ୍ଟର କରି ସହରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଉଦ୍ୟମ ଜାରି ରଖିଛି ।
Comments are closed, but trackbacks and pingbacks are open.