ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ସକ୍ରିୟ ଥିବା ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଲ୍ଏଫ୍ଆଇ)ର ଦୁର୍ଦ୍ଧାନ୍ତ ସଦସ୍ୟ ରାଜୁ କିଣ୍ଡୋ (୩୮) ଏବଂ ତାର ସହଯୋଗୀ ସାନମୁନୁ ସାହୁ (୪୫)କୁ ପୁଲିସ୍ ଧରିବାରେ ସଫଳ ହୋଇଛି । ହେଲେ ରାଜୁକୁ ପୁଲିସ୍ ଧରିବାକୁ ଯିବା ସମୟରେ ସେ ଜଣେ ଅଧିକାରୀଙ୍କ ଉପରକୁ ଗୁଳି ମାଡ଼ କରିଥିଲା । ମାତ୍ର ଏଥିରେ ସେହି ଅଧିକାରୀ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୁଲିସ୍ ଘଟଣା ସ୍ଥଳରୁ ୭ଟି ପିସ୍ତଲ, ଗୋଟିଏ କାରବାଇନ୍, ଦୁଇଟି ଅଫୁଟା ଗୁଳି ଓ ୪ ଲକ୍ଷ ୮୧ ହଜାର ଟଙ୍କା ଜବତ କରିଛି । ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲ ଗ୍ରାମରେ ରାଜୁ ନିଜ ଘରେ ରହି କୌଣସି ଏକ ସ୍ଥାନରେ ହିଂସାକାଣ୍ଡ ଘଟଣା ଘଟାଇବା ଲାଗି ଯୋଜନା କରୁଥିଲା । ଏ ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥ । ତାଙ୍କ ନିଦେ୍ର୍ଧଶ କ୍ରମେ ସିଏଏସ୍ଆଇ ସୁନ୍ଦରମଣି ନାୟକ, ହାବିଲଦାର ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, କନେଷ୍ଟବଳ ବିଶି କାଲୋ ଓ କନେଷ୍ଟବଳ ସୁନୀତି ମାଝିଙ୍କୁ ଗଠିତ ଏକ ଟିମ୍ ଗତକାଲି ରାତିରେ କାଦୋବାହାଲ ଗ୍ରାମରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଉକ୍ତ ଟିମ୍କୁ ଡିଭିଏଫ୍ ଟିମ୍ ସହଯୋଗ କରିଥିଲା ଓ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା । ରାଜୁର ଘର ମିଳିବା ପରେ ଯବାନମାନେ କବାଟ ବାଡେ଼ଇ ଥିଲେ । ମାତ୍ର କେହି କବାଟ ଖୋଲି ନଥିଲା । ଘର ଭିତରେ ଥିବା ରାଜୁ କବାଟ ଫାଙ୍କରେ ପୁଲିସ୍ ଉପରେ ନଜର ରଖି ପିସ୍ତଲ ଧରି ଆକ୍ରମଣ କରିବା ଲାଗି ପ୍ରସ୍ତୁତ ରହିଥିଲା । କବାଟ ନଖୋଲିବାରୁ ଯବାନମାନେ କବାଟ ଭାଙ୍ଗି ଭିତରକୁ ପଶି ରାଜୁକୁ କାବୁ କରିବା ଲାଗି ଉଦ୍ୟମ କରିବା ସମୟରେ ସେ ସିଏଏସ୍ଆଇ ଶ୍ରୀ ନାୟକଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ହେଲେ ଗୁଳିଟି ଶ୍ରୀ ନାୟକଙ୍କ ମୁଣ୍ଡ ଉପର ଦେଇ ପଳାଇ ଯାଇଥିଲା । ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହା ପରେ ପୁଲିସ୍ ତାକୁ କାବୁ କରି ତା ପାଖରୁ ଗୋଟିଏ ଦେଶୀ ପିସ୍ତଲ ଓ ଦୁଇ ରାଉଣ୍ଡ ଅଫୁଟା ଗୁଳି ଜବତ କରିଥିଲା । ସେଠାରେ ପୁଲିସ୍ ତାକୁ ପଚରାଉଚରା କରିବା ପରେ ତା ପଡୋଶୀ ସାନମୁନୁ ଘରୁ ଆଉ ଗୋଟିଏ ପିସ୍ତଲ ପାଇଥିଲା ।
ଯବାନମାନେ ଦୁଇଟି ଘରେ ଅଧିକ ତଲାସୀ ଚଳାଇ ୫ଟି ଦେଶୀ ପିସ୍ତଲ, ଗୋଟିଏ କାରବାଇନ ଓ ନଗଦ ୪ ଲକ୍ଷ ୮୧ ହଜାର ଟଙ୍କା ଜବତ କରାଯାଇଛି । ରାଜୁ ନାଁରେ ହତ୍ୟା, ଦାଦାବଟି ଆଦାୟ, ହତ୍ୟା ଉଦ୍ୟମ ଓ ବୋମା ବିସ୍ଫୋରଣ ମାମଲା ରହିଛି । ରାଏବଗା ଥାନାରେ ତା ନାଁରେ ୬ଟି ଓ ବୀରମିତ୍ରପୁର ଥାନାରେ ଗୋଟିଏ ମାମଲା ରହିଛି । ସେ ପିଏଲ୍ଏଫ୍ଆଇର ଗ୍ରୁପ୍ ଲିଡର ଜୟଧର ଅଧୀନରେ କାମ କରୁଥିଲା । ଝାଡଖଣ୍ଡ ପୁଲିସ୍ ଏନ୍କାଉଣ୍ଟରରେ ଜୟଧରର ମୃତୁ୍ୟ ଘଟିବା ପରେ ରାଜୁ ରାଏବଗା ଅଞ୍ଚଳରେ ନିଜକୁ ପିଏଲ୍ଏଫ୍ଆଇ ସଦସ୍ୟ କହି ଅପରାଧିକ କାର୍ଯ୍ୟକଳାପ ଚଳାଇଥିଲା । ପୁଲିସ୍ ରାଜୁ ଘରକୁ ସିଜ୍ କରି ଅଧିକ ତଦନ୍ତ ଜାରି ରଖିଛି ବୋଲି ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.